ଗରିବଙ୍କ ପାଇଁ ବରଦାନ ସାଜିଛି BSKY ଯୋଜନା, ଆରୋଗ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରୋଗୀ | News Room Odisha

ଗରିବଙ୍କ ପାଇଁ ବରଦାନ ସାଜିଛି BSKY ଯୋଜନା, ଆରୋଗ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରୋଗୀ

ବରଗଡ : ପାଇକମାଲ ବ୍ଲକ ସରେଇକେଲା ଗାଁର ମିଲି ପ୍ରଧାନ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ଜିଲ୍ଲା ର ଏକ ଘରୋଇ ଡାକ୍ତରଖାନା ଯାଇ ପରାମର୍ଶ ନେଇଥିଲେ । ଡାକ୍ତର ତାଙ୍କ ଗର୍ଭାଶୟରେ ମାଂସ ପିଣ୍ଡୁଳା ବଢ଼ିଥିବା ସହ କର୍କଟ ଜନିତ ବୋଲି ରୋଗ ଚି଼ହ୍ନଟ କରିଥିଲେ l ତୁରନ୍ତ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇ ଦୁଇ ଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ କହିଥିଲେ । କର୍କଟ ଜନିତ ଟ୍ୟୁମର ଜଣାପଡିବା ପରେ ଗରିବ ମିଲିଙ୍କ ପରିଜନଙ୍କ ପାଦ ତଳୁ ମାଟି ଖସି ଗଲା । କେମିତି ଚିକିତ୍ସା କରାଯିବ, ଟଙ୍କା କେଉଁଠୁ ଆସିବ ସେନେଇ ପୁରା ପରିବାର ଚିନ୍ତାରେ ଥିଲେ । କିନ୍ତୁ ତାଙ୍କ ଅସ୍ତ୍ରୋପଚାର ପାଇଁ ଘରେ ଟଙ୍କା ନଥିଲା। କୌଣସି ମତେ ରୋଗୀଙ୍କ ପରିଜନ ସମାଜସେବୀ ଦୀପା ବାରିକ ଓ ଦିବସ ସାହୁଙ୍କ ସହ ଯୋଗାଯୋଗ କରିଥିଲେ । ଉଭୟ ସାମାଜିକ କର୍ମୀ ପ୍ରଚଳିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଉନ୍ନତ ମାନର ଚିକିତ୍ସା ହୋଇପାରିବ ବୋଲି ଆଶ୍ୱାସନା ଦେବା ସହ ଜାନୁଆରୀ ୨୬ ତାରିଖ ଦିନ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଛତିଶଗଡ ରାଜ୍ୟ ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର (ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର )କୁ ପଠେଇଥିଲେ l ସେଠାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡରେ ସମସ୍ତ ପରୀକ୍ଷା ମାଗଣା ରେ କରିବା ସହ ତୁରନ୍ତ ଭର୍ତ୍ତି କରାଯାଇଥିଲା ଏବଂ ଚଳିତ ମାସ ୧୦ ତାରିଖ ତାଙ୍କର ମାଗଣାରେ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ସଫଳ ହେବା ସହ ପରବର୍ତ୍ତୀ ପରୀକ୍ଷଣରୁ ମିଲି କର୍କଟ ରୋଗକୁ ପ୍ରତିହତ କରି କର୍କଟ ମୁକ୍ତ ହୋଇ ଆରୋଗ୍ୟ ହୋଇପାରିଛନ୍ତି l ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଏହି ଯୋଜନା ତାଙ୍କ ପାଇଁ ବରଦାନ ସଦୃଶ ହୋଇଛି ବୋଲି କହିଥିଲେ ।

ଏହା ସହିତ ଦୁଇଙ୍କ ସାମାଜିକ କର୍ମୀଙ୍କ ସହାୟତା ଓ ପରାମର୍ଶ ଯୋଗୁଁ ଉନ୍ନତ ଚିକିତ୍ସା ମିଳୁଥିବା ବାଲକୋ ମେଡିକାଲ ଭଳିଆ ଡାକ୍ତରଖାନା ପହଞ୍ଚି ସଠିକ ସମୟ ରେ ଚିକିତ୍ସା ପାଇ ପାରିଥିବାରୁ ଉଭୟ ଙ୍କୁ କୋଟି ଧନ୍ୟବାଦ ଜଣାଇଛନ୍ତି ପୀଡିତା ମିଲି ପ୍ରଧାନ ।