ଆଜି ଜାଗର, କ୍ଷୁଦ୍ର କଳାକୃତି କଲେ ଦୁଇ ଯୁବ ଶିଳ୍ପୀ

ବ୍ରହ୍ମପୁର: ମହାଶିବରାତ୍ରୀ ଅବସରରେ ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରି କ୍ଷୁଦ୍ରାତିକ୍ଷୁଦ୍ର କଳାକୃତି ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସହରର ଦୁଇ ଯୁବ ଓ ଉଦୀୟମାନ ଶିଳ୍ପୀ। କ୍ଷୁଦ୍ର କାଷ୍ଟ ଶିଳ୍ପୀ ଦିଲ୍ଲୀପ ମହାରଣା ଏକ ଇଞ୍ଚ ଉଚ୍ଚତା ବିଶିଷ୍ଟ କାଠର ଏକ କ୍ଷୁଦ୍ର ଶିବ ମୂର୍ତ୍ତି ନିର୍ମାଣ କରିଛନ୍ତି। ଧ୍ୟାନସ୍ଥ ମୁଦ୍ରାରେ ବସିଥିବା ମହାଦେବଙ୍କ ଏହି କ୍ଷୁଦ୍ରାକୃତିକୁ ସେ ରାମଲିଙ୍ଗେଶ୍ୱର ନାମ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ତଥା ଏବେ ରେଶମ ସହରର ଅନ୍ୟତମ ଆକର୍ଷଣ ପାଲଟିଥିବା ରାମଲିଙ୍ଗେଶ୍ୱର ପୋଖରୀ ମଧ୍ୟଭାଗରେ ଯେମିତି ଏକ ଧ୍ୟାନସ୍ଥ ପ୍ରତିମା ଅଛି ଅବିକଳ ସେହିପରି ଏକ ମୂର୍ତ୍ତିର କ୍ଷୁଦ୍ରାକୃତି ତିଆରି କରିଛନ୍ତି ଦିଲ୍ଲୀପ। ବ୍ୟାଘ୍ର ଚର୍ମ ସହ ମୁଣ୍ଡ, ତ୍ରିଶୂଳ, ଶିବଙ୍କ ଗଳାରେ ସର୍ପ ଆଦି ଦେଖିବାକୁ ମିଳିବ ଦିଲ୍ଲୀପ ମହାରଣାଙ୍କ ଏହି କ୍ଷୁଦ୍ର ନିର୍ମାଣ କାର୍ଯ୍ୟରେ। ୫ ଘଣ୍ଟା କାଳ ପରିଶ୍ରମ କରି ଏହାକୁ ପ୍ରସ୍ତୁତ କରିଥିଲେ ସେ।

ଆଗରୁ ଦିଲ୍ଲୀପ ଏକ ଇଞ୍ଚ ଏବଂ ଅଧା ଇଞ୍ଚ ବିଶିଷ୍ଟ ମା’ ଦୁର୍ଗାଙ୍କର ପ୍ରତିମା ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ନିଜ ନାମକୁ ସାମିଲ୍ କରାଇ ପାରିଛନ୍ତି। ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରାମ ମନ୍ଦିର ଏବଂ ଶ୍ରୀମନ୍ଦିର ପ୍ରତିକୃତି ମଧ୍ୟ ନିର୍ମାଣ କରିଥିବା ଦାବି କରିଛନ୍ତି ସେ। ଖଲ୍ଲିକୋଟ କଲେଜ ଯୁକ୍ତ ତିନି ବାଣିଜ୍ୟ ଦ୍ବିତୀୟ ବର୍ଷ ଛାତ୍ର ଦିଲ୍ଲୀପଙ୍କୁ ବାପା ଭଗବାନ ମହାରଣା, ମାଆ ଝୁନୁ ମହାରଣା ଏବଂ ଭାଇ ମନୋଜ ମହାରଣା, ମାମୁଁ ତଥା ସିନେ ନିର୍ମାତା ସନ୍ୟାସୀ ମହାରଣା ପ୍ରେରଣା ଯୋଗାଇ ଆସୁଛନ୍ତି । ଧ୍ୟାନସ୍ଥ ମହାଦେବଙ୍କ କ୍ଷୁଦ୍ର ଆକୃତିକୁ ସେ ବିଏମ୍‌ସି କମିଶନର୍ ସିଦ୍ଧେଶ୍ଵର ବଳିରାମ ବୋଦାରଙ୍କୁ ଉପହାର ଆକାରରେ ଭେଟି ଦେବାକୁ ଇଚ୍ଛୁକ ଦିଲ୍ଲୀପ।

ସେହିପରି ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା ବିଶ୍ବର ସର୍ବକ୍ଷୁଦ୍ର ଶିବଲିଙ୍ଗ ଓ ମୂର୍ତ୍ତି ନିର୍ମାଣ କରିଥିବା ଦର୍ଶାଇଛନ୍ତି। ପଥରରେ ନିର୍ମିତ ଶିବଲିଙ୍ଗର ଉଚ୍ଚତା ମାତ୍ର ୨ ମିମି ଏବଂ ମୂର୍ତ୍ତିର ଉଚ୍ଚତା ୫ ମିମି । ଏଥିସହ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଥିବା କହିଛତି ସତ୍ୟ। ସେହିପରି ଜାଗର ବାଗାଁ ସ୍ଵରୂପ ବିଶ୍ଵରେ ଶାନ୍ତି ବଜାୟ ନିମନ୍ତେ ୮ ଟନ୍‌ ବାଲିରେ ମହାଦେବଙ୍କ ୫ ଫୁଟର ପ୍ରତିମା, ଯୁଦ୍ଧାସ , ପୃଥିବୀ ସହ ଶାନ୍ତିର ପ୍ରତୀକ ଯୋଡ଼ା କପୋତ ଥିବା ବାଲୁକା କଳା ନିର୍ମାଣ କରିଛନ୍ତି ସତ୍ୟ ।

Comments are closed.