ରାଜନୀତି ମଇଦାନରେ ଚମକିଲେ ଗୋପବନ୍ଧୁ

ବ୍ରହ୍ମପୁର: ଇତିହାସର ପୁନରାବୃତ୍ତି ଆଉ ଇତିହାସରେ ପରିବର୍ତ୍ତନ ମଧ୍ୟ। ହଁ ଏକାଥରକେ ଉଭୟ ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଛି ଯେବେ ପଞ୍ଚାୟତ ନିର୍ବାଚନର ଫଳ ସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗଞ୍ଜାମ ଜିଲ୍ଲାରେ ଲଗାତାର ପଞ୍ଚମ ଥର ପାଇଁ ଜିଲ୍ଲା ପରିଷଦ ଗଢ଼ିବାକୁ ଯାଉଛି ବିଜେଡି। ପୂର୍ବଥର ଅପେକ୍ଷା ଅଧିକ ସିଟ୍ ହାସଲ କରିବାର ରେକର୍ଡ ଏଥର ମଧ୍ୟ ବଜାୟ ରଖିଛି ଶାସକ ଦଳ। ୨୦୦୭ରେ ୪୫, ୨୦୧୨ରେ ୬୦, ୨୦୧୭ରେ ୬୪ ଆସନ ଦଖଲ କରିଥିବା ବିଜେଡି ଏଥର ତାର ଜିଲ୍ଲା ପରିଷଦ ଆସନ ସଂଖ୍ୟାରେ ଆଉ ୪ଟି ଯୋଡ଼ିଛି। ପୁଣି ଥରେ କ୍ଲିନ୍ ସ୍ବିପ୍ ରେକର୍ଡବ୍ରେକ୍ ସଫଳତାର ପୁନରାବୃତ୍ତି ଘଟିଛି ଗଞ୍ଜାମ ଜିଲ୍ଲାରେ। ସେହିପରି ପ୍ରତି ବ୍ଲକ୍‌ରେ ଉଡ଼ିଛି ବିଜେଡିର ବିଜୟ ପତାକା। ଶଙ୍ଖ ଧ୍ବନି ଏତେ ତୀବ୍ର ହୋଇଛି ଯେ ହାତ ଥରିଯାଇଛି ଓ ପଦ୍ମ ବି ମଉଳି ଯାଇଛି। ତେବେ ଏହି ବିଜୟ ମଧ୍ୟରେ ଯେଉଁ ଆଖିଦୃଶିଆ ଜିତାପଟ ହୋଇଛି ତାହା ହେଉଛି ଗୋପାଳପୁର ନିର୍ବାଚନମଣ୍ଡଳୀର ସମସ୍ତ ୪ଟି ଯାକ ଜିଲ୍ଲା ପରିଷଦ ଆସନକୁ ମୂଳପୋଛ କରି ନେଇଛି ବିଜେଡି। ଦୀର୍ଘ ଦୁଇ ଦଶନ୍ଧିର ବ୍ୟବଧାନ ପରେ ଏପରି ଘଟିଛି ଯେତେବେଳେ କି ଏହି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୪ଟି ଯାକ ଜିଲ୍ଲା ପରିଷଦ ଆସନ ଏକାଥରକେ ବିଜେଡି ଅକ୍ତିଆର କରିଛି। ସେଥିରେ ପୁଣି ଆଉ ଏକ ଆନନ୍ଦଦାୟକ କଥା ହେଉଛି ଦୀର୍ଘ ୨୦ ବର୍ଷ ପରେ ଜୋନ୍‌- ୫୩କୁ କରାୟତ୍ତ କରିଛି ଶାସକ ଦଳ। ଗତ ୪ ଥର ହେବ ଅନ୍ୟ ଦଳ ଏହି ଆସନରୁ ଜିତି ଆସୁଥିଲେ। ହେଲେ ଏଥର ବିଜେଡିର ଦବଦବା ଆଗରେ ଫିକା ପଡ଼ିଯାଇଛି ବିରୋଧୀଙ୍କ ସବୁ ରଣକୌଶଳ। ଜୋନ୍‌- ୫୩ରେ ଶୁଭିଛି ଶଙ୍ଖନାଦର ଧ୍ଵନୀ।

ଗଞ୍ଜାମ ଜିଲ୍ଲାର ଅନ୍ୟତମ ବୃହତ୍ ବ୍ଲକ୍ ରଙ୍ଗେଇଲୁଣ୍ଡା। ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ବ୍ଲକ୍‌ର ୩ଟି ଯାକ ଆସନ ସମେତ କୁକୁଡାଖଣ୍ଡି ବ୍ଲକ୍‌ର ୧୦ ନମ୍ବର ଜୋନ୍‌ରେ ବିପୁଳ ବିଜୟ ଲାଭ କରିଛି ବିଜେଡି। ଏଥିରୁ ୨ଟି ଜୋନ୍‌ରେ ଗତଥର ବିଜେପି ଜିତିଥିଲା। ଅର୍ଥାତ୍ ଗୋପାଳପୁର ବିଧାନସଭା ଆସନରେ ନିଜ ଜିଲ୍ଲା ପରିଷଦ ଆସନକୁ ଗତଠାରୁ ଦୁଇ ଗୁଣ କରିବା ସହ ବିରୋଧୀ ବିଜେପିକୁ ଚିତପଟାଙ୍ଗ କରି ଦେଇଛନ୍ତି ବିଜେଡି ପ୍ରାର୍ଥୀ। ଗତ ୪ ଥରରେ ଯାହା ହୋଇ ନଥିଲା, ଏଥର ଇତିହାସକୁ ବଦଳାଇ ତାହାକୁ ବାସ୍ତବ କରି ଦେଖାଇଛି ବିଜେଡି। କେବଳ ଏତିକି ନୁହେଁ ରଙ୍ଗେଇଲୁଣ୍ଡା ବ୍ଲକକୁ ମଧ୍ୟ ପୁଣି ଥରେ ଦଖଲ କରିଛି ବିଜେଡି। ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଧିକାଂଶ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ମଧ୍ୟରୁ ଅଧିକାଂଶ ପଦରେ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତିଛନ୍ତି।

ଜଣେ ଛାତ୍ର ପରୀକ୍ଷାରେ ସଫଳତା ପାଇଁ ଯେଭଳି ବର୍ଷ ଆରମ୍ଭରୁ କଠୋର ପରିଶ୍ରମ କରିଥାଏ, ତେବେ ଯାଇ ସେ ହାସଲ କରିପାରେ ଶ୍ରେଷ୍ଠ ଫଳାଫଳ। ଜୋନ୍‌- ୫୩, ୫୪, ୫୫ ଓ ଜୋନ୍‌ ୧୦ରେ ବିଜେଡି ପ୍ରାର୍ଥୀଙ୍କ ବିଜୟକୁ ସେହି ନଜରରେ ଦେଖାଯାଇ ପାରେ। ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡଃ ଗୋପବନ୍ଧୁ ଦାଶ। ରାଜନୀତିର ମଇଦାନରେ ଚମକିଛନ୍ତି ସେ। ବିରୋଧୀଙ୍କୁ ନିଜ ଅଭୂତପୂର୍ବ ରଣକୌଶଳରେ ପଞ୍ଚାୟତ ନିର୍ବାଚନର ପଡ଼ିଆରୁ ଅଲ୍‌ଆଉଟ୍‌ କରିବାରେ କେବଳ ଯେ ସେ ସମର୍ଥ ହୋଇନାହାନ୍ତି ବରଂ ମୁଖ୍ୟମନ୍ତ୍ରୀଙ୍କ ଭରସାକୁ ଜିତି ପାରିଛନ୍ତି। ଜନସ୍ବାର୍ଥ ବିରୋଧୀ କାର୍ଯ୍ୟକଳାପ ହେତୁ ଦଳରୁ ଗୋପାଳପୁର ବିଧାୟକ ବାଦ୍ ପଡ଼ିବା ପରେ ଯେଉଁ ନେତୃତ୍ବ ଶୂନ୍ୟ ଅବସ୍ଥା ସୃଷ୍ଟି ହୋଇଥିଲା ତାହାକୁ କେବଳ ଯେ ନିଜ ଦମ୍ଭରେ ଦୂର କରି ଦଳକୁ ବିଜୟ ଅଭିମୁଖେ ଆଗେଇ ନେଇଥିଲେ ତାହା ନୁହେଁ, ଏଥିସହ ଦଳୀୟ ସଙ୍ଗଠନକୁ ପୂର୍ବାପେକ୍ଷା ଅଧିକ ସଶକ୍ତ, ସଙ୍ଗଠିତ ଓ ସମ୍ମିଳିତ କରି ଗୋଟିଏ ବିରୋଧୀ ଦଳକୁ ପ୍ରଭାବହୀନ କରି ଦେଇଥିବା ବେଳେ ଅନ୍ୟ ବିରୋଧୀଙ୍କ ଅପପ୍ରଚାରକୁ ନିଷ୍ପ୍ରଭ କରି ଦେଇପାରିଛନ୍ତି ମିଷ୍ଟଭାଷୀ ଗୋପବନ୍ଧୁ।

ପ୍ରଶାସକ ଭାବେ କାର୍ଯ୍ୟକାଳ ସମୟରେ ତାଙ୍କ ନିର୍ମଳ ଭାବମୂର୍ତ୍ତି, କାର୍ଯ୍ୟଦକ୍ଷତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନଜରରେ ପଡ଼ିଥିଲା। ନିର୍ବିବାଦୀୟ ବ୍ୟକ୍ତିତ୍ଵ, ନିଷ୍କଳଙ୍କ ଚରିତ୍ର, ଉଦାର ଭାବମୂର୍ତ୍ତି ଆଉ ସର୍ବୋପରି ସମସ୍ତଙ୍କ ଦ୍ୱାରା ଗ୍ରହଣୀୟତା ଯୋଗୁଁ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ଵାସ ବୃଦ୍ଧି ହୋଇଥିଲା। ଏଣୁ ଗୋପାଳପୁରରେ ନେତୃତ୍ଵ ହରାଇ ଏକରକମ ନିରୁତ୍ସାହିତ ହୋଇ ରହିଥିବା ଦଳୀୟ ସଙ୍ଗଠନକୁ ସୁଧାରି ସଶକ୍ତ କରିବା ପାଇଁ ଡଃ ଦାଶଙ୍କୁ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଯିଏ ସାରା ଓଡ଼ିଶାର ସର୍ବମାନ୍ୟ ନେତା ତାଙ୍କ ଆଶା ଓ ବିଶ୍ଵାସକୁ ବଜାୟ ରଖି ବିଜେଡିକୁ ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିପୁଳ ବିଜୟ ଆଣି ଦେଇଛନ୍ତି ସେ। ବିଜୟର ଏ ଚମକ ସମସ୍ତ ବିରୋଧୀଙ୍କୁ ନିରୁତ୍ସାହିତ କରିବା ସହ ଆଗାମୀ ପୌର ତଥା ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଚମକପ୍ରଦ ଫଳର ମୁଣ୍ଡି ମାରିଛି।

ତେବେ ଏ ଚମକ ରାତାରାତି ହାସଲ ହୋଇ ନଥିଲା। ଏହା ପଛରେ ରହିଛି ଗୋପବନ୍ଧୁଙ୍କ ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପର ପ୍ରୟାସ। ନିଜ ନାମକୁ ସାର୍ଥକ କରି ସେ ବିଜେଡି ପାଇଁ ବିଜୟର ମାର୍ଗ ପ୍ରଶସ୍ତ କରିବାକୁ ଅନ୍ୟ ଯେକୌଣସି ନେତାଙ୍କ ଠାରୁ ସର୍ବାଧିକ ପରିଶ୍ରମ କରିଛନ୍ତି ସେ। ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ନେଇ ପ୍ରାରମ୍ଭିକ ସୂଚନା ମିଳୁ ମିଳୁ ବିଜେଡିର ତୃଣମୂଳରୁ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦକୁ ନେଇ ପ୍ରୟାସକୁ ତ୍ବରାନ୍ବିତ କରିଥିଲେ। ଅନ୍ୟ ଦଳ ସୁପ୍ତ ଅବସ୍ଥାରେ ଥିବା ବେଳେ ଜନସ୍ବାର୍ଥ ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ରାଜରାସ୍ତାକୁ ତାଙ୍କ ନେତୃତ୍ବରେ ଓହ୍ଲାଇଥିଲା ବିଜେଡି। ପୁଣି ଦଳୀୟ ସଙ୍ଗଠନକୁ ଅଧିକ ମଜବୁତ କରିବା ସହ ଗୋଟିଏ ଛତା ତଳେ ମହିଳା- ଯୁବ- ଛାତ୍ର ବିଜେଡିକୁ ସଙ୍ଗଠିତ କରି ବିଜୟର ମଞ୍ଜି ବୁଣିଥିଲେ ଏହାର ମୁଖ୍ୟ ସୂତ୍ରଧର ଡ଼ଃ ଦାଶ। ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ବା ଲୋକଙ୍କ ନିକଟତର ହେବା ତାଙ୍କ ପାଇଁ ଥିଲା ପ୍ରମୁଖ। ତାଙ୍କ ନେତୃତ୍ବରେ ନକରାତ୍ମକ ପ୍ରଚାରକୁ ପଛରେ ଛାଡ଼ି ବିକାଶ ପ୍ରସଙ୍ଗରେ ଶାସକ ଦଳ ନେତା ଓ କର୍ମୀଙ୍କ ଭୋଟ ଭିକ୍ଷା ଜନସାଧାରଣଙ୍କୁ ଆକୃଷ୍ଟ କରିଥିଲା। ଏଥର ଚାରୋଟି ଯାକ ଜୋନ୍ ଦଖଲ କରିବାକୁ ବିଜେଡି ପୁରା ଦମ୍ ଲଗାଇ ଦେଇଥିଲା। କେବଳ ସେତିକି ନୁହେଁ ଗଞ୍ଜାମ ରାଜନୀତିରେ ଗୋପବନ୍ଧୁଙ୍କ ଆବିର୍ଭାବ ସମଗ୍ର ଜିଲ୍ଲା ରାଜନୀତିକୁ ପ୍ରଭାବିତ କରିଛି ।

Comments are closed.