ଶ୍ରୀମନ୍ଦିରରେ ହୋଲି ଉତ୍ସବ

ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଫଗୁଦଶମୀ ନାମରେ ଖ୍ୟାତ। ଫଗୁ ଦର୍ଶମୀରେ ମଧ୍ୟାହ୍ନ ଧୂପ ସରିଲା ପରେ ତିନି ବାଡ଼ରେ ମଇଲମ ହୋଇ ନାଲି ପାଟବସ୍ତ୍ର ଠାକୁରମାନଙ୍କୁ ଲାଗି ହୁଏ। ଏହା ପରେ ପାଳିଆ ମେକାପ ଭଣ୍ଡାର ଘରୁ ଚନ୍ଦନ ଆଣିବା ପରେ ତିନି ବାଡ଼ରେ ପାଳିଆ ପୁଷ୍ପାଳକ ମାନେ ସର୍ବାଙ୍ଗ ଚନ୍ଦନଲାଗି ନୀତି କରନ୍ତି। ରତ୍ନସିଂହାସନ ରେ ତିନିବାଡ଼ରେ ଚାଚେରୀ ବେଶ ଆରମ୍ଭ ପୂର୍ବରୁ ମହାଜନଙ୍କ ଦ୍ୱାରା ଶ୍ରୀଦେବୀ, ଭୂଦେବୀ ଦକ୍ଷିଣ ଘରକୁ ବିଜେହୋଇ ବେଶ ହୁଅନ୍ତି।ବେଶ ପରେ ପାଣି ପଡ଼ି ଚାଚେରୀ ଭୋଗ ଛାମୁକୁ ଆସେ। ଏହା ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ସିଂହାସନକୁ ବିଜେ ହେଲା ପରେ ପଞ୍ଚୋପଚାରରେ ଚାଚେରୀ ଭୋଗ ହୁଏ। ପାଣିପଡ଼ିଲା ପରେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତଙ୍କ ଦ୍ୱାରା ଫଗୁଲାଗି ସହ ବନ୍ଦାପନା ହୋଇଥାଏ। ଚାଚେରୀ ବେଶ ଶୁକ୍ଳଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ । ଦୋଳ ପୂର୍ଣ୍ଣିମୀରେ ଠାକୁରମାନଙ୍କ ସୁନାବେଶ ହୋଇଥାନ୍ତି।

ଏହା ପରେ ଆଜ୍ଞାମାଳ ପାଇବା ପରେ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ (ମହାଲକ୍ଷ୍ମୀ), ଭୂଦେବୀ (ସରସ୍ୱତୀ) ବିମାନରେ ବିଜେହୋଇ ସିଂହଦ୍ୱାର ଦେଇ ଘଣ୍ଟ, ଛତା, ଚାମର, କାହାଳୀ ପଟୁଆରରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରନ୍ତି।

ଠାକୁରମାନଙ୍କ ବିଜେ ପରେ ଶ୍ରୀମନ୍ଦିରେ ସନ୍ଧ୍ୟା ଆଳତି ହୋଇ ସନ୍ଧ୍ୟା ଧୂପ ହୁଏ। ଜଗନ୍ନାଥବଲ୍ଲଭ ମଠରେ ଭୋଗ, ଜଉଡ଼ାବ ଖେଳ, ଫଗୁ ଲାଗି ଓ ବନ୍ଦାପନା, ଶୀତଳ ଭୋଗ ସରିବା ପରେ ବିଜେ ପ୍ରତିମାମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରି ରୁନ୍ଧାଫିଟି ଜଳଲାଗି ପରେ ଶ୍ରୀଦେବୀ, ଭୂଦେବୀ ରତ୍ନସିଂହାସନକୁ ଏବଂ ଦୋଳଗୋବିନ୍ଦ ଦକ୍ଷିଣ ଘରକୁ ବିଜେ ହୁଅନ୍ତି।

ଫାଲ୍ଗୁନ ଶୁକ୍ଳ ପାପନାଶିନୀ ଏକାଦଶୀ ତିଥିରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ପୂର୍ବ ଏକାଦଶୀ ମାନଙ୍କରେ ଶ୍ରୀ ମଦନମୋହନ ଏକାଦଶୀ ନୀତି ରେ ବିଜେ ହୁଅନ୍ତି। କିନ୍ତୁ ଫଗୁ ଦଶମୀଠାରୁ ହୋଲି ପର୍ଯ୍ୟନ୍ତ ଶ୍ରୀଦୋଳଗୋବିନ୍ଦ ସମସ୍ତ ନୀତିକୁ ବିଜେ ହୁଅନ୍ତି। ଉକ୍ତ ଦିନ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଭୂଜରୁ ଜାତ ଶ୍ରୀଦୋଳଗୋବିନ୍ଦଙ୍କ ଜୟବିଜୟଦ୍ୱାରଠାରେ ଏକାଦଶୀ ବନ୍ଦାପନା, ଶୀତଳ ଭୋଗ ପରେ ବାମ ଭୂଜରୁ ଜାତ ଶ୍ରୀଦେବୀ, ଭୂଦେବୀ ଜୟବିଜୟ ଦ୍ୱାରକୁ ବିଜେ ହୁଅନ୍ତି ଓ ସେଠାରେ ଫଗୁ ବନ୍ଦାପନା ହୋଇ ଆଜ୍ଞାମାଳ ପାଇବା ପରେ ବିମାନକୁ ବିଜେ କରନ୍ତି ଏବଂ ପଞ୍ଚୁପାଣ୍ଡବଙ୍କ ସହିତ ଜଗନ୍ନାଥବଲ୍ଲଭ ମଠଠାରେ ନୀତି ସାରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି।

Comments are closed.