ବିଧାନସଭା ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ | News Room Odisha

ବିଧାନସଭା ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରୁ ବିଧାନସଭାର ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ୬ ଦିନିଆ ଅଧିବେଶନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ସକାଳ ୧୧ଟା ୩୦ରେ ବୈଠକ ହେବ । ସାଧାରଣତଃ ବିଧାନସଭା ଅଧିବେଶନର ଦୁଇଦିନ ପୂର୍ବରୁ ସର୍ବଦଳୀୟ ବୈଠକ ହୋଇଥାଏ ।

କିନ୍ତୁ ପୌର ନିର୍ବାଚନ ପାଇଁ ବିଧାୟକମାନେ ବ୍ୟସ୍ତ ରହୁଥିବାରୁ ଅଧିବେଶନ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଛି ବୋଲି ବିଧାନସଭା ପକ୍ଷରୁ କୁହାଯାଇଛି।

ବାଚସ୍ପତି କହିଛନ୍ତି ଯେ ବିଧାନସଭାର ନିୟମାବଳୀ ଏବଂ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନରେ ପ୍ରଶ୍ନକାଳ, ଶୂନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ଆଦି ରହିବ। ମାର୍ଚ୍ଚ ୨୫ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ପ୍ରଦାନ କରିବେ। ମାର୍ଚ୍ଚ ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୦ ତାରିଖରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରୀ ବିଲ୍ ପାରିତ ହେବ। ଏସବୁ ପ୍ରସଙ୍ଗରେ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି କହିଛନ୍ତି ।