ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି: ବ୍ୟାପକ ସଚେତନତା ସୃଷ୍ଟି ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ଵ

ଭୁବନେଶ୍ୱର – ଏ ବର୍ଷ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ବନ୍ଧିତ କାର୍ଯ୍ୟପନ୍ଥା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକରେ ଅଂଶୁଘାତ ଚିକିତ୍ସା, ବନାଗ୍ନି ନିରୋଧ ଆଦି ବ୍ୟବସ୍ଥାକୁ ପୁନଃ ପରଖିବା ସହ ସେସବୁକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ସଜାଗ ରଖିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପାନୀୟ ଜଳ ଉତ୍ସର ବିଶୁଦ୍ଧୀକରଣ ସହ ନିୟମିତ ଯାଞ୍ଚ୍ ଓ ଆବଶ୍ୟକ ସ୍ଥଳେ ଆଶୁ ମରାମତି ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ନଳକୂପ ଓ କୂଅ ଆଦି ନିକଟରେ ପଶୁପକ୍ଷୀମାନଙ୍କ ନିମନ୍ତେ ଜଳକୁଣ୍ଡ ନିର୍ମାଣ, ଜଙ୍ଗଲରେ ବୋହୁଥିବା ଝରଣାରେ ବାଲି ବସ୍ତା ଦେଇ ଛୋଟ ଛୋଟ ଆଡ଼ିବନ୍ଧ ନିର୍ମାଣ, ଆବଶ୍ୟକସ୍ଥଳେ ଜଳକୁଣ୍ଡ ସ୍ଥାପନ ଆଦି ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସହର ଓ ଗ୍ରାମାଞ୍ଚଳରେ ନିଜ ନିଜ ବାସଗୃହ ନିକଟରେ ପଶୁପକ୍ଷୀଙ୍କ ପାଇଁ ଜଳକୁଣ୍ଡ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।ଉନ୍ନୟନ କମିସନର ପ୍ରଦୀପ ଜେନା ଜଣାଇଥିଲେ ଯେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ଫେବ୍ରୁଆରି ମାସରୁ ଆରମ୍ଭ କରାଯାଇଛି। ନିର୍ଦ୍ଧାରିତ କାର୍ ଏସ୍ଓପି ସମସ୍ତ ବିଭାଗକୁ ପଠାଯାଇଛି। ସଂପୃକ୍ତ ବିଭାଗମାନେ ନିଜ ନିଜ ମୁକାବିଲା ଯୋଜନାର କାର୍ଯ୍ୟାନ୍ୱୟନ ଅଗ୍ରଗତି ବିଷୟରେ ନିୟମିତ ଭାବେ ସ୍ୱତନ୍ତ୍ର ରିଲିଫ୍ କମିସନ ଅଫିସଙ୍କୁ ଅବଗତ କରାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧିତ ସତର୍କତା ଗୁଡିକ ବିଷୟରେ ଗ୍ରାମ ପଞ୍ଚାୟତ ସଂସଦ ଓ ସହରାଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଲଗାତର ଜାରି ରଖିବାକୁ ଉନ୍ନୟନ କମିସନର ଜିଲ୍ଲା ଓ ବ୍ଳକ୍ ସ୍ତରୀୟ ଅଧିକାରୀମାନଙ୍କୁ କହିଥିଲେ ।

Comments are closed.