ଗଜପତି: ନିର୍ବାଚନ ସେମିଫାଇନାଲ ଲଢ଼େଇରେ ଚାମ୍ପିଅନ୍ ବିଜେଡି

ପାରଳାଖେମୁଣ୍ଡି: ପ୍ରଥମେ ପଞ୍ଚାୟତ ଭୋଟ ଓ ପରେ ପୌର ଭୋଟ… ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିକଟରେ ଅନୁଷ୍ଠିତ ଏହି ଦୁଇ ଭୋଟ ଲଢେଇକୁ ସେମିଫାଇନାଲ୍ ଭାବେ ବିବେଚନା କରାଯାଉଛି। ଆଉ ଏଥିରେ ବେଶ୍ ଦମଦାର ବିଜୟ ସହ ନିଜକୁ ଚାମ୍ପିଅନ୍ ଭାବେ ଉପସ୍ଥାପିତ କରିଛି ବିଜେଡି। ଗତ ସାଧାରଣ ନିର୍ବାଚନରେ ପରାଜୟ ଭୋଗିଥିବା ବିଜେଡି କିନ୍ତୁ ଧିରେ ଧିରେ ନିଜ ସଙ୍ଗଠନକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ସହ ନିଜ ତୁଟି ସୁଧାରି ବିଜୟ ଲକ୍ଷ୍ୟକୁ ନିଶ୍ଚିତ ହାସଲ କରିବା ଦିଗରେ ଅଗ୍ରସର ହେଉଥିବା ସ୍ପଷ୍ଟ ସଙ୍କେତ ଦେଇସାରିଛି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଉପରେ ପୁଣି ଗଜପତି ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରବାସୀ ଭରସା, ଆସ୍ଥା ପ୍ରକଟ କରିଥିବା ସ୍ପଷ୍ଟ ଅନୁମାନ କରି ହେଉଛି।

ପ୍ରଥମେ ପଞ୍ଚାୟତ ନିର୍ବାଚନରେ ବାଜିମାତ୍ କରିଥିଲା ବିଜେଡି। ମୋଟ ୧୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୧୧ଟିରେ ବିଜୟ ହାସଲ ସହ ଉଭୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷା ପଦବି ସହଜରେ ହାତେଇଥିଲା। ଜିଲ୍ଲାର ୭ଟି ଯାକ ବ୍ଲକ୍‌ ଅଧ୍ୟକ୍ଷ ଆସନରେ ମଧ୍ୟ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତିଥିବା ବେଳେ ୬ଟି ବ୍ଲକ୍‌ର ଉପାଧ୍ୟକ୍ଷ ପଦରେ ମଧ୍ୟ ବିଜେଡି ସମର୍ଥିତ ପ୍ରାର୍ଥୀ ଆସୀନ ହୋଇଥିଲେ। ଆଉ ପୌର ନିର୍ବାଚନରେ ଉଭୟ ପାରଳାଖେମୁଣ୍ଡି ପୌରପାଳିକା ଓ କାଶୀନଗର ଏନ୍‌ଏସିରେ ମଧ୍ୟ ଆଖିଦୃଶିଆ ବିଜୟ ହାସଲ କରିପାରିଛି ବିଜେଡି। ଉଭୟ ସହରାଞ୍ଚଳର ଚେୟାରମ୍ୟାନ୍‌ ପଦବି ସହ ସଂଖ୍ୟାଧିକ ୱାର୍ଡରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ଉଭୟ ସହରାଞ୍ଚଳକୁ ଦଖଲ କରିଥିବା ବିଜେଡି ଦଳର ନିର୍ମଳା ସେଠୀ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଓ ଏମ୍.ସୁଧାରାଣୀ କାଶୀନଗର ଏନ୍‌ଏସି ଚେୟାରମ୍ୟାନ୍ ହୋଇଛନ୍ତି। ବିଜେଡିର ଏମ୍.ସୁଧାରାଣୀ ଲଗାତାର ତୃତୀୟ ଥର ପାଇଁ ଏହି ଏନ୍‌ଏସି ଅଧ୍ୟକ୍ଷା ହୋଇ ରେକର୍ଡ କରିଛନ୍ତି। ଏହି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡରୁ ୧୦ଟିରେ ବିଜେଡି ଜିତିଥିବା ବେଳେ ପାରଳାଖେମୁଣ୍ଡି ପୌର ପରିଷଦର ୧୬ଟି ୱାର୍ଡ ମଧ୍ୟରୁ ୧୪ଟିରେ ବିଜୟ ହାସଲ କରିଥିଲା ଶାସକ ଦଳ। ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଠାରୁ ଢେର ପଛରେ ରହି ଯାଇଥିଲେ। ପଞ୍ଚାୟତ ନିର୍ବାଚନରେ ପରାଜିତ ବିଜେପି ଓ କଂଗ୍ରେସ ସମ୍ମାନ ରକ୍ଷା ପାଇଁ ସହରାଞ୍ଚଳରେ ବିଜୟୀ ହେବାକୁ ରଣନୀତି କରିଥିଲେ। ହେଲେ ବିଜେଡିର ଚମକ ଆଗରେ ସେସବୁ ଫେଲ୍ ମାରିଲା। ପାରଳାଖେମୁଣ୍ଡିର ପୌରାଞ୍ଚଳର ୧୬ରୁ ଗୋଟିଏ ଏବଂ କାଶୀନଗର ଏନ୍‌ଏସିର ୧୩ଟି ୱାର୍ଡରୁ ୪ଟିରେ ବିଜେଡି କାଉନ୍‌ସିଲର ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଥିଲେ। କେବଳ ଏତିକି ନୁହେଁ ପାରଳାଖେମୁଣ୍ଡିର ୩ଟିରେ ବିଜେପି ଏବଂ ୨ଟି ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା ମଧ୍ୟ କରିନଥିଲେ। କଂଗ୍ରେସ ପାରଳାଖେମୁଣ୍ଡି ପୌରାଞ୍ଚଳରେ ମାତ୍ର ୭୭୨ ଖଣ୍ଡ ଭୋଟ ପାଇବା ତଥା ଅଧିକାଂଶ ୱାର୍ଡରେ ପାର୍ଟି ୫୦ ଖଣ୍ଡ ଭୋଟ ମଧ୍ୟ ପାଇବାରେ ବିଫଳ ହେବା ଦଳର ବିପର୍ଯ୍ୟୟର ସ୍ପଷ୍ଟ ନମୁନା ଅଟେ। ଏଭଳି ସ୍ଥଳେ ଲୋକଙ୍କ ପ୍ରଥମ ପସନ୍ଦର ଦଳ ଭାବେ ବିଜେଡି ପୁଣି ନିଜ ଦବଦବା ଜାହିର କରିଛି।

ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ପାରଳାଖେମୁଣ୍ଡି ପୌରାଧକ୍ଷା ପଦବି ପାଇଁ ବିଜେଡି ପକ୍ଷରୁ ନିର୍ମଳା ସେଠୀ, ବିଜେପି ତରଫରୁ ଏମ୍.ରାଜେଶ୍ଵରୀ ଏବଂ କଂଗ୍ରେସ ପକ୍ଷରୁ ଖଗେଶ୍ଵରୀ ବେହେରା ପ୍ରାର୍ଥୀ ଥିଲେ। ବିଜେଡି ୧୩୩୮୦, ବିଜେପି ୭୩୮୦ ଏବଂ କଂଗ୍ରେସ ମାତ୍ର ୭୭୨ ଖଣ୍ଡ ଭୋଟ ପାଇଥିଲେ। କାଶୀନଗର ଏନ୍‌ଏସି ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବିଜେପିରୁ କେ.ଦିବ୍ୟା ଏବଂ ବିଜେଡିରୁ ଏମ୍.ସୁଧାରାଣୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀ ମଧ୍ୟ ଦେବାରେ ବିଫଳ ହୋଇଥିଲା। ସୁଧାରାଣୀ ହ୍ୟାଟ୍ରିକ୍ ବିଜୟ ସହ ରେକର୍ଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସହରର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ନିର୍ମଳା ଓ ସୁଧାରାଣୀ।

ବିଶେଷ କରି ଗଜପତି ଜିଲ୍ଲା ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଥିବା ବେଳେ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି। ଉଭୟ ଗାଁ ଓ ସହର ଭୋଟର ବିଜେପି ସମେତ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିବା ସ୍ପଷ୍ଟ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଉଭୟ ବିରୋଧୀ ଦଳର ଭୁଲ ରଣନୀତି ହେତୁ ସେମାନେ ଶାସକ ଦଳ ଆଗରେ ନିଶ୍ଚିତ ପରାଜୟ ଲଭିଛନ୍ତି। ଆଉ ସଠିକ୍ ରଣନୀତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଫଳରେ ବିଜେଡି ଜିତାପଟ ହାସଲ କରିଥିଲା। ପଞ୍ଚାୟତ ଭୋଟ ଏବଂ ପୌର ଭୋଟରେ ବିଜେପି ଓ କଂଗ୍ରେସ ଦଳ ଯେଭଳି ବିପର୍ଯ୍ୟୟ ଭୋଗିଛନ୍ତି ତାହା ଉଭୟ ଦଳ ପାଇ ଏକ ଶକ୍ତ ଧକ୍କା ହୋଇଛି । ତେଣେ ପ୍ରଥମେ ପଞ୍ଚାୟତ ଓ ପରେ ପୌର ନିର୍ବାଚନରେ ବିଜୟ ସହ ବିଜେଡି ସାଧାରଣ ନିର୍ବାଚନ ପାଇଁ ନିଜ ବିଜୟ ଏକରକମ ପକ୍କା କରିବାରେ ଲାଗିଛି।

Comments are closed.