ବ୍ୟୟ ମଞ୍ଜୁରୀ ବିଲ ପାରିତ, ବିଧାନସଭା ଅଧିବେଶନ ଶେଷ | News Room Odisha

ବ୍ୟୟ ମଞ୍ଜୁରୀ ବିଲ ପାରିତ, ବିଧାନସଭା ଅଧିବେଶନ ଶେଷ

ଭୁବନେଶ୍ୱର – ବିଧାନସଭାରେ ପାରିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ । ଆସନ୍ତା ୪ ମାସ ପାଇଁ ୧ ଲକ୍ଷ ୬ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଲେଖାନୁଦାନ ଅନୁମୋଦନ ହୋଇଛି । ଏଥିସହ ବିଧାନସଭାର ୬ଦିନିଆ ବଜେଟ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା ହୋଇଛି ।ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବା ସହ ଏହା ଉପରେ ଆଲୋଚନା ହେବାପରେ ତାହା ଗୃହର ଅନୁମୋଦନ ଲାଭ କରିଛି ।

୬ ଦିନିଆ ଅଧିବେଶନରେ ୫ଟି ସରକାରୀ ବିଲ୍ ଉପସ୍ଥାପନ ହେବା ସହ ତାହା ପାରିତ ହୋଇଛି । ୫ଟି ସିଏଜି ରିପୋର୍ଟ, ୨୨ଟି ବାର୍ଷିକ ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି । ୪ଟି ଅଧ୍ୟାଦେଶକୁ ମଧ୍ୟ ଗୃହରେ ଆଗତ କରାଯାଇଥିଲା । ଏହି ଅଧିବେଶନରେ ମାତ୍ର ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିଛି । ଧାନକିଣାରେ ବ୍ୟାପକ ଅନିୟମିତତା ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ ।