ଭିକ୍ଷା ବୃତ୍ତି ନୁହେଁ, ସ୍ବାବଲମ୍ବୀ ହେବେ ପାରଳାର କିନ୍ନର

ପାରଳାଖେମୁଣ୍ଡି: ସାଧାରଣତଃ କିନ୍ନରମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖୁଥାନ୍ତି। ଏମିତି ବି ହୁଏ ଯେ ଖୋଦ୍ ପରିବାର ଲୋକ ଏମାନଙ୍କୁ ନିଜ ଠାରୁ ଦୂରେଇ ରଖିଥାପି କିମ୍ବା ନିଜେ ଏମାନଙ୍କ ଠାରୁ କୌଣସିମତେ ଦୂରେଇ ଯାଆନ୍ତି। ଫଳରେ ନିଜର ଜୀବନ ଜୀବିକା ସଂଗ୍ରହ ପାଇଁ କିନ୍ନରମାନେ ଭିକ୍ଷାବୃତ୍ତି, ବଳପୂର୍ବକ ଅର୍ଥ ଆଦାୟ, ଚୋରି, ସ୍ଥଳବିଶେଷରେ ବେଶ୍ୟାବୃତ୍ତି ଭଳି ଅସାମାଜିକ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି। କାରଣ ସେମାନଙ୍କୁ ସହଜରେ କୌଣସି କର୍ମନିଯୁକ୍ତି ମିଳିପାରେ ନାହିଁ। ଏଣୁ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗ ଭାବେ ସରକାରଙ୍କ ଦ୍ଵାରା ମାନ୍ୟତା ମିଳିଥିଲେ ହେଁ ସେମାନଙ୍କ ସାମାଜିକ, ଆର୍ଥିକ ସ୍ଥିତିରେ ବିଶେଷ ଉନ୍ନତି ଘଟିପାରି ନାହିଁ। ତଥାପି କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରୟାସ ହୋଇ ଆସୁଛି। ଆମ ରାଜ୍ୟରେ ମଧ୍ୟ ଭୁବନେଶ୍ବର, ଜୟପୁର, ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ କିନ୍ନରମାନଙ୍କୁ ସାବଲମ୍ବୀ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସିଛି ପ୍ରଶାସନ। ଆଉ ସେହି ଧାରାରେ ଏବେ ଯୋଡ଼ି ହୋଇଛି ଗଜପତି ଜିଲ୍ଲା ପ୍ରଶାସନ।

ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ପଦକ୍ଷେପର ସୂତ୍ରଧର ସାଜିଛନ୍ତି। କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ସହାୟତାର ହାତ ବଢ଼ାଇଛି ଗଜପତି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ କିନ୍ନରଙ୍କ ପାଇଁ ଖୋଲାଯାଇଛି ଏକ ଚା’ଦୋକାନ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଦୋକାନ ଘର ନିର୍ମାଣ କରାଯାଇ କିନ୍ନରଙ୍କୁ ଯୋଗାଇ ଦିଆଯାଇଛି। ଏଥିସହ ସେମାନଙ୍କୁ ଜିଲ୍ଲା ସମାଜ ସୁରକ୍ଷା ପାଣ୍ଠିରୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଟଙ୍କାରେ ସେମାନେ ନିଜର ବ୍ୟବସାୟ ଆରମ୍ଭ କରିବା ଧାର୍ଯ୍ୟ ହୋଇଛି। ଏହି ଦୋକାନରେ ଚାହା, କଫି, ପାଣି ବୋତଲ, ଜଳଖିଆ ଆଦି ବିକ୍ରି କରି କିନ୍ନରମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ।

କିନ୍ନରମାନଙ୍କ ନିକଟରେ ଅନେକ ପ୍ରତିଭା ରହିଥାଏ। ହେଲେ ସମାଜରେ ସେମାନଙ୍କୁ ଅଛୁଆଁ କରିଦିଆଯାଉ ଥିବାରୁ ସେମାନଙ୍କ ପାଇଁ ଜୀବନ ଜୀବିକା କାଠିକର ହୋଇ ଯାଇଥାଏ। ଗଜପତି ଜିଲ୍ଲାପାଳ କହିଛନ୍ତି ଯେ- ସମାଜରେ କାଠିକର ପରିସ୍ଥିତିର ସମ୍ମୁଖୀନ ହେଉଥିବା କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ଏହା ଏକ ପ୍ରୟାସ। ଏହାଦ୍ଵାରା ତୃତୀୟ ଲିଙ୍ଗୀମାନେ ମୁଖ୍ୟସ୍ରୋତକୁ ଫେରିପାରିବେ ବୋଲି ଆଶା କରିହେବ। ସେପଟେ କିନ୍ନରମାନେ ମଧ୍ୟ ରୋଜଗାର ପନ୍ଥା ମିଳିଥିବାରୁ ଖୁସି ଅଛନ୍ତି। ପ୍ରଶାସନ ଦ୍ବାରା ପ୍ରତିଷ୍ଠା ହୋଇଥିବା ଏହି ଦୋକାନ ସେମାନଙ୍କୁ ନୂତନ ରାହା ଦେବ ବୋଲି କିଛି କିନ୍ନର ଆଶାବ୍ୟକ୍ତ କରିଛନ୍ତି। କଷ୍ଟ ସହି, ନିଷ୍ଠାପର ପରିଶ୍ରମ କରି ନିଜ ପ୍ରତିଭା ପ୍ରଦର୍ଶନ କରିବୁ ବୋଲି କହିଛନ୍ତି ସେମାନେ।

ପୂର୍ବରୁ କଷ୍ଟକର ପରିସ୍ଥିତିରେ ଥିଲେ ପାରଳାଖେମୁଣ୍ଡିର କିନ୍ନରଗଣ। ଏବେ ସେମାନେ ନୂତନ ପଥର ପଥିକ ସାଜିବାକୁ ଯାଉଛନ୍ତି। ସେମାନଙ୍କ ସ୍ଥିତିରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ଏମାନଙ୍କ ପାଇଁ କର୍ମ ନିୟୋଜନର ବ୍ୟବସ୍ଥା କଥା ଯୋଜନା କରିଥିଲେ। ଏବେ ତାହା ସଫଳ ରୂପ ନେବାକୁ ଯାଉଛି। ଉତ୍କଳ ଦିବସରେ ଏହି ଦୋକାନ ଖୋଦ୍ ଗଜପତି ଜିଲ୍ଲାପାଳ ଉଦ୍‌ଘାଟନ କରିଥିଲେ। ପ୍ରଶାସନର ଏଭଳି କାମକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

Comments are closed.