କଠୋର ଶାରୀରିକ ଓ ମାନସିକ ସାଧନା… ନିଜ ଶରୀରକୁ କଷ୍ଟ ଦେଇ ଦେବୀଙ୍କୁ ସନ୍ତୁଷ୍ଟ କରାଇ ମନୋସ୍କାମନା ପୂରଣ କରିବାର ଉଚ୍ଚ ଆଧ୍ୟାତ୍ମିକ ସାଧନା… ଖାଦ୍ୟପେୟରୁ ଆରମ୍ଭ କରି ଶୟନ ଓ ଜାଗରଣ ପର୍ଯ୍ୟନ୍ତ ସବୁକୁ ନିର୍ଦ୍ଧାରିତ ରୀତିନୀତି ମଧ୍ୟରେ ସମ୍ପାଦନ… ଏମିତି ଅନେକ କିଛି ଉପାଦାନର ପ୍ରତିଫଳନ ହେଉଛି ଗଞ୍ଜାମ ଜିଲ୍ଲାର ସହସ୍ରାଧିକ ବର୍ଷର ଦଣ୍ଡଯାତ୍ରା। ଆଧ୍ୟାତ୍ମିକତା ସହ ନୃତ୍ୟ ଧାରାର ଅନନ୍ୟ ସମ୍ମିଶ୍ରଣ ସାଜିଛି ଦଣ୍ଡନାଚର ପରମ୍ପରା। ତେବେ କରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ହେବ ଏହି ଅନନ୍ୟ ପରମ୍ପରା ବେଶ୍ ପ୍ରଭାବିତ ହୋଇଥିଲା। ଏପରିକି ବିଗତ ବର୍ଷ ଆଦୌ ଏହି ଯାତ୍ରାକୁ ଅନୁମତି ମିଳି ନଥିଲା ବେଳେ ଗତ ବର୍ଷ କେବଳ ରୀତିନୀତି ପାଳନ ଦୃଷ୍ଟିରୁ ନାମକୁ ମାତ୍ର ଯାତ୍ରା ସମ୍ପନ୍ନ କରାଯାଇଥିଲା। ତେବେ କଟକଣା ହେତୁ ଅନେକ ଦଣ୍ଡନାଚ ଦଳ ଆଦୌ ଯାତ୍ରା ଆରମ୍ଭ କରିନଥିଲେ। ଆଉ ଚଳିତ ଥର ମହାମାରୀର ପ୍ରାଦୁର୍ଭାବ ପ୍ରାୟ କ୍ଷୀଣ ହୋଇ ସାରିଥିବାରୁ ତଥା ସେହି ଦୃଷ୍ଟିରୁ କଟକଣା ସମ୍ପୂର୍ଣ୍ଣ କୋହଳ କରାଯାଇଥିବାରୁ ଜିଲ୍ଲାର ଗାଁ ଗାଁରେ ପୁଣି ଦଣ୍ଡନାଚର କୋଳାହଳମୟ ତଥା ଦୈବୀ ଭାବଧାରା ସମ୍ପନ୍ନ ପରିବେଶ ପରିଲକ୍ଷିତ ହେଉଛି।
ନାଟ୍ୟ ସଂସ୍କୃତି କୁହନ୍ତୁ କିମ୍ବା ଯାତ୍ରା ପରମ୍ପରା, ମାନବକୁ ଆଧ୍ୟାତ୍ମବାଦ ସହ ଯୋଡ଼ି ପାରୁଥିବା ଏହି ପ୍ରକ୍ରିୟା ନିଜ ଭିତରେ ଅଦ୍ବିତୀୟ। ବର୍ଷ ପରେ ବର୍ଷ ବିତି ଚାଲିଛି, ସମୟ ମଧ୍ୟ ପରିବର୍ତ୍ତତ ହେଉଛି। ତଥାପି ନିଜ ସ୍ବତନ୍ତ୍ରତା ବଜାୟ ରଖିଛି ଶିବ ଓ ଶକ୍ତିଙ୍କ ଉପାସନା ସହ ଜଡ଼ିତ ଦଣ୍ଡ ଯାତ୍ରା ବା ଦଣ୍ଡ ନାଚ। ଯଦିଓ କନ୍ଧମାଳ, ନୟାଗଡ଼, ଗଜପତି ଆଦି ଜିଲ୍ଲାରେ ମଧ୍ୟ ଏହା ପ୍ରଚଳିତ, କିନ୍ତୁ ଗଞ୍ଜାମ ଜିଲ୍ଲାର ଦଣ୍ଡ ଯାତ୍ରା ସାରା ଓଡ଼ିଶାରେ ଅନନ୍ୟ। ଅନ୍ୟ ସ୍ଥାନମାନଙ୍କରେ ଦଣ୍ଡ ନାଚରେ ମନୋରଞ୍ଜନ ଓ ଶରୀରର କିଛିଟା ଭାବଭଙ୍ଗୀକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଗଞ୍ଜାମ ଦଣ୍ଡ ଯାତ୍ରାର ବିଶେଷତ୍ୱ ହେଉଛି ଅଗ୍ନିଶମ ଜଳି ନିଜ ଶରୀରକୁ କଷ୍ଟ ଦେଇ ଶୁଦ୍ଧପୁତ ହେବା। ଏହାହିଁ ହଜାର ହଜାର ବର୍ଷର ବିଧି ମଧ୍ୟରେ ସମାହିତ।
ନାମରୁ ହିଁ ଯାତ୍ରାର ପଦ୍ଧତି ବାବଦରେ ଜାଣିହୁଏ। ଯେଉଁଠି ମାନସିକଧାରୀ ଭକ୍ତ (ଦଣ୍ଡୁଆ) ନିଜ ଶରୀରକୁ କଷ୍ଟ ଦେଇ ମୋକ୍ଷପ୍ରାପ୍ତି ପାଇଁ ଦୈବୀ ଆରାଧନାରେ ନିଜକୁ ସମର୍ପିତ କରିଥାଏ। ପୌରାଣିକ ବିଶ୍ୱାସ ମୁତାବକ ଏକଦା ୧୩ ଜଣ ଅଭିଶପ୍ତ ଋଷିପୁତ୍ର କଳି ଯୁଗରେ ପୃଥିବୀପୃଷ୍ଠରେ ଜନ୍ମ ନେଇଥିଲେ। ମୋକ୍ଷପ୍ରାପ୍ତି ପାଇଁ ସେମାନେ ସନ୍ନ୍ୟାସୀତୁଲ୍ୟ ୧୩ ଦିନରାତି ଶରୀରକୁ କଷ୍ଟ ଦେଇ ନିଷ୍ଠାପୂର୍ବକ ସାଧନା କରିଥିଲେ। ଏଥିରୁ ସୃଷ୍ଟି ହୋଇଥିଲା କାମନା ଦଣ୍ଡ। ଏହାକୁ ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଓ ପାରମ୍ପରିକ ଲୋକନୃତ୍ୟ ଭାବେ ପରିଗଣିତ କରାଯାଇଥାଏ। ଲୋକ ସଂସ୍କୃତି ଗବେଷକଙ୍କ ମତରେ ଏହା ବିଶ୍ଵର ଏକମାତ୍ର ଲୋକନୃତ୍ୟ ଯାହା ୧୬ଟି ବ୍ୟବସ୍ଥାକୁ ନେଇ ଗତିଶୀଳ।
ଦଣ୍ଡଯାତ୍ରାର ଅବଧି ଭିନ୍ନ ଭିନ୍ନ ଯଥା ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ। ସାଧାରଣତଃ ଚୈତ୍ର ପ୍ରତିପଦା ଠାରୁ ମାସନ୍ତ ପର୍ଯ୍ୟନ୍ତ ହୁଏ ଦଣ୍ଡ ନାଚ ଯାହା ସଂକ୍ରାନ୍ତି ତିଥିରେ ମେରୁ ଯାତ୍ରା ଭାବେ ଶେଷ ହୁଏ। ମାନସିକଧାରୀମାନେ ନିଜ ଅଞ୍ଚଳର ଦଣ୍ଡ ନାଚ ଦଳ ସହ ସାମିଲ ହେବା ପାଇଁ ନିବେଦନ କରିଥାନ୍ତି। ଯାତ୍ରା ପୂର୍ବଦିନ ଦଣ୍ଡୁଆମାନେ ଦେବୀ ମନ୍ଦିରରେ ଅଧିଆ ପଡ଼ିବା ସହ ନିର୍ଜଳ ଉପବାସ ରୁହନ୍ତି। ପର ଦିନ ମାଆଙ୍କ ମୁଖ୍ୟ ଆୟୁଧ ଦଣ୍ଡ ମିଳିବା ପରେ ପାଟ ଦଣ୍ଡୁଆଙ୍କ ସହ ଗ୍ରାମ ପରିକ୍ରମା କରି ପୋଖରୀରେ ସ୍ନାନାଦି ପରେ କାନ୍ଦୁଲ କାଠିକୁ ଘଷି ସେଥିରୁ ଅଗ୍ନି ଉତ୍ପନ୍ନ କରନ୍ତି। ଅଗ୍ନିସ୍ଥାପନ ସହ ଆରମ୍ଭ ହୁଏ ଦଣ୍ଡ ଯାତ୍ରା। ମାଆଙ୍କ ପୂଜା, ହୋମ, ଭୋଗ ଅର୍ପଣ କରାଯାଏ। ଦଳ ସହ ସର୍ବଦା ଥାଏ ଶକ୍ତିଙ୍କ ପ୍ରତୀକ ପ୍ରଭା ଓ ମହାଦେବଙ୍କ ମୂର୍ତ୍ତି। ପାଳ ଗୁଡ଼ାଇ ଗୁଡ଼ାଇ ତିଆରି କରାଯାଇଥାଏ ଗଦି, ଯେଉଁଥିରେ ଦଣ୍ଡ ନାଚ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ନି ସର୍ବଦା ପ୍ରଜଳିତ ରହିଥାଏ। ପୂଜା, ଦୀପ ପ୍ରଜ୍ଜଳନ, ରୋଷେଇ ଆଦି ପାଇଁ ଏଥିରୁ ହିଁ ଅଗ୍ନି ସଂଯୋଗ କରାଯାଏ। ଖୋଲା ପଡ଼ିଆ, ଗ୍ରାମ/ବସତି ବାହାରେ, ନିକାଞ୍ଚନ ଜାଗାରେ ରହିଥାନ୍ତି ଦଣ୍ଡୁଆ। ଭୋଜନ, ଶୟନ, ବିଚରଣ ସବୁକିଛି ଧରାବନ୍ଧା ନିୟମ ଭିତରେ କରିବାକୁ ହୁଏ। ଭୋଜନ ପାଇଁ କଟା ବଟା ମନା, ଥରେ ହିଁ ପ୍ରସାଦ ରୋଷେଇ ଓ ସେବନ ହୁଏ। ସେହି ସମୟରେ କୌଣସି ଶବ୍ଦ ନ ହେବା ବିଧେୟ। ନାରୀ ସଙ୍ଗ, ମୈଥୁନ, ଆମିଷ ଆଦି ସମ୍ପୂର୍ଣ୍ଣ ବାରଣ। ଦଣ୍ଡୁଆମାନଙ୍କ ପାଇଁ ନାରୀ ହେଉଛନ୍ତି ମାତୃ ବା ଦୈବୀଶକ୍ତିର ପ୍ରତୀକ। ନିଷ୍ଠାପର ଜୀବନ ଜୀଉଁଥିବାରୁ ଯାତ୍ରା ବେଳେ କୌଣସି ଛୁଆଁଅଛୁଆଁ, ମୃତ୍ୟୁ ବା ଜନ୍ମଜନିତ କଟକଣା ଏମାନଙ୍କ ଉପରେ ଲାଗୁ ହୁଏନି। ଦଣ୍ଡୁଆମାନଙ୍କ ହାତରେ ଥିବା ଦଣ୍ଡ ଓ ମୟୁର ପୁଞ୍ଛରେ ପିଲାମାନେ ଝାଡ଼ି ହେଲେ ରୋଗ ଓ ପାପରୁ ମୁକ୍ତି ମିଳେ ବୋଲି ବିଶ୍ଵାସ ରହିଛି।
ଦଣ୍ଡ ନାଚରେ ପ୍ରତ୍ୟହ ପାଳିତ ହୁଏ ୧୬ଟି ବିଧି ବା ଦଣ୍ଡ। ଯାତ୍ରା ଆୟୋଜକଙ୍କ ଘର ଆଗରେ ପତାକା ସ୍ଥାପନରୁ ଆରମ୍ଭ ହୁଏ ପ୍ରକ୍ରିୟା। ମଧ୍ୟାହ୍ନରେ ଧୂଳି ଦଣ୍ଡ ବେଳେ ପ୍ରଚଣ୍ଡ ଖରାରେ ମାଟି ବା ଧୂଳିରେ ଗଡ଼ି ଶରୀରକୁ କଷ୍ଟ ଦେଇ ନାଚ ହୁଏ। ତା ପରେ ପୋଖରୀରେ ପାଣି ଦଣ୍ଡ ଓ ନିଜ ରହଣୀସ୍ଥଳରେ ଅଗ୍ନି ଦଣ୍ଡ କରିବା ପରେ ମଧ୍ୟରାତ୍ରରେ ପୁଣି କର୍ତ୍ତାଙ୍କ ଘରକୁ ଆସନ୍ତି ଦଣ୍ଡୁଆ। ସେଠାରେ ପୂଜାର୍ଚ୍ଚନା ସହ ହୁଏ ନୃତ୍ୟ ପ୍ରଦର୍ଶନ। ସମ୍ପୂର୍ଣ୍ଣ ଶୟନ ନିଷେଧ ଥିବାରୁ ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଦଣ୍ଡୁଆଙ୍କୁ ନୃତ୍ୟ ଜରିଆରେ ଭଗବାନଙ୍କ ବିଭିନ୍ନ ଆଖ୍ୟାନ ଶୁଣାଯାଏ। ଦଣ୍ଡ ଯାତ୍ରାରେ ଦେଖିବାକୁ ମିଳେ ପାରମ୍ପରିକ ଚଢ଼େୟା- ଚଢ଼େୟାଣୀ, ନଟ- ନଟୀ, ଶବର- ଶବରୁଣୀ, ଧୋବା- ଧୋବଣୀ, କେଳା- କେଳୁଣୀଙ୍କ ନାଟ। ପାହାନ୍ତା ପ୍ରହରରେ ବୀଣାକାର ବିଭିନ୍ନ ଦଣ୍ଡ ସୁଆଙ୍ଗ (ଗୀତ) ଶୁଣାଇଥାନ୍ତି। ଏହା ପରେ କର୍ତ୍ତାଙ୍କ ଭବନ ଆଗରୁ ବିଦାୟ ନେଇଥାନ୍ତି ଦଣ୍ଡ ଦଳ। ସଂକ୍ରାନ୍ତି ତିଥିରେ ଦଣ୍ଡ ଦଳ ନିଜ ଗ୍ରାମକୁ ଫେରନ୍ତି। ସମାରୋପ କୁହାଯାଉଥିବା ମେରୁ ପର୍ବରେ ବିଭିନ୍ନ ନୀତି ସମ୍ପନ୍ନ ପରେ ଓଲଟା କରି ନିଆଁର ଧାସ ଉପରେ କିଛି ସମୟ ଝୁଲନ୍ତି ପାଟ ଦଣ୍ଡୁଆ। ଏହା ଏତେ କଷ୍ଟଦାୟକ ଯେ ଶରୀରରୁ ରକ୍ତ ସୁଦ୍ଧା ନିର୍ଗତ ହୋଇପଡ଼େ ଓ ଅନେକ ସମୟରେ ସେ ଅଚେତ ହୋଇଯାଆନ୍ତି। ଗଞ୍ଜାମ ଜିଲ୍ଲାର ଜନମାନସ ସହ ଗଭୀର ଭାବେ ଜଡ଼ିତ ଯେଉଁଥିପାଇଁ ଏହି ଯାତ୍ରାରେ ସାମିଲ ହେବାକୁ ଯିଏ ଯେଉଁଠି ଥିଲେ ମଧ୍ୟ ନିଜ ଭିଟାମାଟିକୁ ଫେରି ଆସନ୍ତି।
ତେବେ ଆଜିକାଲି ଆଧୁନିକତାର ପ୍ରଭାବ ଦଣ୍ଡ ନାଚକୁ କଳୁଷିତ କରୁଥିବା ଅଭିଯୋଗ ହେଉଛି। ରାତିରେ ପୌରାଣିକ ବାଖ୍ୟାନ ପରିବର୍ତ୍ତେ ଆଧୁନିକ ନୃତ୍ୟ ପ୍ରଦର୍ଶନ ହେଉ ବା ସେଥିରେ ମହିଳାଙ୍କ ନାଚ, ପରମ୍ପରାର ବ୍ୟତିକ୍ରମ ଚଳଣୀକୁ ଗ୍ରହଣ କରିବା ଚିନ୍ତାଜନକ ବୋଲି କହନ୍ତି ସଂସ୍କୃତି ବିଶେଷଜ୍ଞ। ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗରର ଗାଲେରୀ ଦଣ୍ଡ ଯାତ୍ରା ଓ ଶେରଗଡର କୁଲାଡ଼ି ଦଣ୍ଡ ନାଚ ନିଜ ବୃହତ୍ ଆକାର (ସହସ୍ରାଧିକ ଦଣ୍ଡୁଆ ସାମିଲ ହୁଅନ୍ତି) ପାଇଁ ପ୍ରସିଦ୍ଧ। ଏହାର ଚାହିଦା ଏତେ ଅଧିକ ଯେ ଲଟେରୀ ମାଧ୍ୟମରେ ମାଆଙ୍କ ଯାତ୍ରା ପାଇଁ ଆୟୋଜକଙ୍କ ସକାଶେ ଦିବସ ଧାର୍ଯ୍ୟ ହୋଇଥାଏ। ଭାତୃତ୍ବ ଭାବନା, ତ୍ୟାଗପୁତ ଦୈବୀ ସାଧନାର ପ୍ରତୀକ ଦଣ୍ଡ ଯାତ୍ରା। ସେଥିପାଇଁ ତ ବାହାରେ କାମ କରୁଥିଲେ ମଧ୍ୟ ମାନସିକଧାରୀ ଗାଁକୁ ଫେରି ଦଣ୍ଡ ଦଳରେ ସାମିଲ ହୋଇଥାନ୍ତି। ଯଦିଓ କରୋନା ମହାମାରୀ ଗତବର୍ଷ ଦଣ୍ଡଯାତ୍ରାରେ ବାଧକ ସାଜିଥିଲା, ତେବେ ଚଳିତ ବର୍ଷ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା ଯାହା ଗାଁ ଗାଁରୁ ଆରମ୍ଭ କରି ସହରରେ ଆଧ୍ୟାତ୍ମିକ ମାହୋଲ ବ୍ୟାପ୍ତ କରିବାରେ ଲାଗିଛି। ଯଦିଓ ଏଥର କଟକଣା ଯୋଗୁଁ ଦଣ୍ଡୁଆ ସଂଖ୍ୟା ସୀମିତ ରହିଛି, ତେବେ ଆଧ୍ୟାତ୍ମିକ ଭାବନା ହ୍ରାସ ପାଇନି। ଶହ ଶହ ବର୍ଷ ପୁରାତନ ପରମ୍ପରା ଅତୁଟ ରହିଛି।
Comments are closed.