ରଙ୍ଗେଇଲୁଣ୍ଡା ବ୍ଲକ୍‌ର ପଞ୍ଚାୟତ ପ୍ରତିନିଧିଙ୍କୁ ଜନସେବା ମନ୍ତ୍ର | News Room Odisha

ରଙ୍ଗେଇଲୁଣ୍ଡା ବ୍ଲକ୍‌ର ପଞ୍ଚାୟତ ପ୍ରତିନିଧିଙ୍କୁ ଜନସେବା ମନ୍ତ୍ର

ଗଞ୍ଜାମ ଜିଲ୍ଲାର ପ୍ରଥମ ବ୍ଲକ ଭାବେ ଆଜି ରଙ୍ଗେଇଲୁଣ୍ଡା ରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଜନସେବାର ମନ୍ତ୍ର ଦିଆଯାଇଛି।

ବ୍ରହ୍ମପୁର: ସର୍ବଦା ଲୋକଙ୍କ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ଵ ଦିଅନ୍ତୁ। ଗ୍ରାମାଞ୍ଚଳ ବିକାଶ ଲାଗି ଉଦ୍ୟମ ଜାରି ରଖନ୍ତୁ। ସାଧାରଣ ଜନତାଙ୍କ ସହ ଯୋଡ଼ି ହୋଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ସହ ଜନସାଧାରଣ ଯେପରି ତାହାର ସୁଫଳ ଯଥାର୍ଥ ଭାବେ ପାଇପାରିବେ ସେଥିପ୍ରତି ଗୁରୁତ୍ଵ ଦିଅନ୍ତୁ। ବୁଧବାର ରଙ୍ଗେଇଲୁଣ୍ଡା ବ୍ଲକ୍‌ର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବିଧିବଦ୍ଧ ଭାବେ ସରକାରୀ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ଏଭଳି ଜନସେବା ମନ୍ତ୍ର ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶ।

ବୁଧବାର ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ଏହି ସ୍ୱତନ୍ତ୍ର ଅଧିବେଶନ। ବ୍ଲକ୍‌ର ସମସ୍ତ ନବନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ବିଭିନ୍ନ ପଞ୍ଚାୟତର ପ୍ରତିନିଧିତ୍ବ କରୁଥିବା ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ଏହି ଅବସରରେ ନିଜ କାର୍ଯ୍ୟକାଳ ମଧ୍ୟରେ ସେମାନେ କିପରି ପଞ୍ଚାୟତ ସୁପରିଚାଳନା କରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଥିଲା। ଯେହେତୁ ଅନେକ ପୁରୁଣା ପଞ୍ଚାୟତ ପ୍ରତିନିଧିଙ୍କ ସହ ଅନେକ ନବନିର୍ବାଚିତ ଜନପ୍ରତିନିଧି ରହିଛନ୍ତି ତେଣୁ ସେମାନଙ୍କୁ ଏ ବାବଦରେ ମାର୍ଗଦର୍ଶନର ଆବଶ୍ୟକତା ରହିଥିଲା।

ଡ. ଦାଶ ସମସ୍ତ ଜନପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ- ରଙ୍ଗେଇଲୁଣ୍ଡା ବ୍ଲକ୍ ସର୍ବଦା ବିକାଶ ପଥରେ ଆଗରେ ରହିଛି। ଆଗକୁ ମଧ୍ୟ ରହିବ, ସେଥିପାଇଁ ନୂତନ ଓ ପୁନଃନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ମିଳିତ ଭାବେ ସର୍ବଦା ଉଦ୍ୟମ ଜାରି ରଖିବା ଆବଶ୍ୟକ। ଉନ୍ନୟନ କାର୍ଯ୍ୟରେ ସାମୂହିକ ପ୍ରୟାସ, ସ୍ୱଚ୍ଛତା, ଗ୍ରାମାଞ୍ଚଳର ରୂପାନ୍ତରଣ, ସହମତି ଭିତ୍ତିରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ ସେ। ସେହିପରି ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ସ୍ଵଚ୍ଛତା ଉପରେ ସବୁବେଳେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ବେଳାଭୂମି ଓ ଗ୍ରାମାଞ୍ଚଳରେ ସ୍ୱଚ୍ଛତା, ପ୍ଲାଷ୍ଟିକ୍‌ ବର୍ଜନ ବାବଦରେ କହିବା ସହ ପ୍ରତ୍ୟେକ ଗ୍ରାମକୁ ବାହ୍ୟ ମଳମୂତ୍ରତ୍ୟାଗ ଗ୍ରାମ କରିବା, ୫-ଟି ନୀତି ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ସମସ୍ତ ୩୨ଟି ଗ୍ରାମପଞ୍ଚାୟତର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ। ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଜିଲ୍ଲାପାଳ। ବିଡିଓ ପ୍ରସନ୍ନ କୁମାର ପାତ୍ର ସଭା ପରିଚାଳନା କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ସିଏଚ୍.ଉଷାରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ୫୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ତଅପୋଇ ଦାସ, ଏବିଡିଓ ତ୍ରିପତି ବାଲାଜୀ ସାମନ୍ତରା, ବହୁ ସରକାରୀ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।