ଡେପୁଟି ମେୟର ନିର୍ବାଚନରେ ନବୀନଙ୍କ ଦୂରଦୃଷ୍ଟି, ଗୁରୁତ୍ଵ ପାଇଲା ଯୁବଗୋଷ୍ଠୀ

ବ୍ରହ୍ମପୁର: ପ୍ରଥମେ କଟକ ଓ ତାପରେ ବ୍ରହ୍ମପୁର। ଉଭୟ ସ୍ଥାନରେ ଯେତେବେଳେ ସିଧାସଳଖ ମେୟର ନିର୍ବାଚନ ହୋଇଥିଲା, ସେତେବେଳେ ବିଜେଡି ରାଜନୀତି ଓ ସମାଜସେବା କ୍ଷେତ୍ରରେ ଅନୁଭବ ସାଙ୍ଗକୁ ଦଳ ପ୍ରତି ନିଷ୍ଠାକୁ ଗୁରୁତ୍ବ ଦେଇଥିଲା। ଏଥିସହ ମହିଳା ସଶକ୍ତୀକରଣ ଆଭିମୁଖ୍ୟ ମଧ୍ୟ ବଜାୟ ରହିଥିଲା। ତେଣୁ ନିର୍ବାଚନ ହୋଇଥିବା ରାଜ୍ୟର ୩ଟି ମହାନଗର ନିଗମରେ ୨ଟି ସ୍ଥାନରେ ମହିଳା ମେୟର ନିର୍ବାଚିତ ହୋଇଥିଲେ। ସମସ୍ତ ୩ଟି ଯାକ କର୍ପୋରେସନ୍‌ର ମେୟର୍ ହୋଇଥିଲେ ବରିଷ୍ଠ ଓ ଅଭିଜ୍ଞ ରାଜନେତା। ତେବେ ଯେତେବେଳେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ଡେପୁଟି ମେୟର ବଛା ହୋଇଛନ୍ତି ସେତେବେଳେ ବିଜେଡି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ରାଜନୀତିର ପୁଣି ଥରେ ପରିଚୟ ପାଇଛନ୍ତି ରାଜ୍ୟବାସୀ। ମହିଳା- ପୁରୁଷ, ଅଭିଜ୍ଞ- ନୂତନ, ବରିଷ୍ଠ- ଯୁବ ଗୋଷ୍ଠୀ ଆଦି ଅନେକ ସମନ୍ୱୟକୁ ବଜାୟ ରଖି ମହାନଗରବାସୀଙ୍କ ସକାଶେ ଉପଯୁକ୍ତ ନିର୍ବାଚିତ ନେତୃତ୍ଵକୁ ସୁଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ।

କଟକରେ ମେୟର ହେଲେ ପୂର୍ବତନ ରାଜ୍ୟସଭା ସାଂସଦ ସୁବାସ ସିଂ। ତାଙ୍କ ନିକଟରେ ରହିଛି ରାଜନୀତିର ଭରପୁର ଅଭିଜ୍ଞତା। ବରିଷ୍ଠ ଓ ପୁରୁଷ ପ୍ରତିନିଧିତ୍ଵ ସହ ସନ୍ତୁଳନ ବଜାୟ ରଖିବାକୁ ଡେପୁଟି ମେୟର ପ୍ରାର୍ଥୀ ରୂପେ ବିଜେଡି ବାଛିଥିଲା ଅନୁସୂଚିତ ଜନଜାତିର ଅପେକ୍ଷାକୃତ କମ୍ ପରିଚିତ ଜଣେ ଯୁବ ଚେହେରା ଦମୟନ୍ତୀ ମାଝୀଙ୍କୁ। ବସ୍ତିବାସିନ୍ଦାଙ୍କ ପ୍ରତିନିଧିତ୍ବ କରୁଥିବା ଦମୟନ୍ତୀଙ୍କ ମାଆ ଜଣେ ଦିନ ମଜୁରିଆ। ଦମୟନ୍ତୀ ବିଶ୍ବବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ। କଟକ ଭଳି ରାଜ୍ୟର ଅନ୍ୟତମ ପୁରାତନ ମହାନଗରର ଦ୍ବିତୀୟ ମୁଖିଆ ଏକ ଗରିବ ପରିବାରର ଅଟନ୍ତି ଯେକି ରାସ୍ତାକଡ଼ର ଦରଭଙ୍ଗା ଆଜ୍‌ବେଷ୍ଟସ୍ ଓ ଜରିପାଲରେ ଢଙ୍କା ଝୁମ୍ପୁଡ଼ି ଘରେ ରହି ଆସୁଛନ୍ତି। ପାଠ ପଢା ସହ ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେବି ବୋଲି ନିର୍ବାଚିତ ହେବା ପରେ ନିଜ ପ୍ରତିକ୍ରିୟାରେ କହିଥିଲେ ଦମୟନ୍ତୀ।

ବ୍ରହ୍ମପୁରର ମେୟର୍ ହେଲେ ଦୀର୍ଘ ଦିନ ହେବ ରାଜନୀତି କ୍ଷେତ୍ରରେ ରହି ସହରବାସୀଙ୍କ ସେବା କରି ଆସୁଥିବା ଟାଣୁଆ ନେତ୍ରୀ ସଂଘମିତ୍ରା ଦଳାଇ। ତେବେ ଅନେକଙ୍କ ଆଶା ଓ ସମ୍ଭାବନାର ବିପରୀତ ଡେପୁଟି ମେୟର ଭାବେ ବଛା ହୋଇଛନ୍ତି ବିଜେଡି କର୍ପୋରେଟର୍ ଇ.ବିବେକ ରେଡ୍ଡୀ। ଏଠି ମଧ୍ୟ ଡେପୁଟି ମେୟର ପ୍ରାର୍ଥୀ ଚୟନ ବେଳେ ବିଜେଡି ସୁପ୍ରିମୋ ନିଜ ଦୂରଦୃଷ୍ଟି, ସନ୍ତୁଳନ ରାଜନୀତିର ଉଦାହରଣ ସୃଷ୍ଟି କରିଛନ୍ତି। ମେୟର ମହିଳା ଥିବା ବେଳେ ୨୬ ବର୍ଷ ବୟସ୍କ ଡେପୁଟି ମେୟର ଯୁବ ଗୋଷ୍ଠୀର ପ୍ରତିନିଧିତ୍ବ କରୁଛନ୍ତି। ପୁଣି ସେ ବ୍ରହ୍ମପୁରର କୌଣସି ୱାର୍ଡରୁ ସର୍ବାଧିକ ୨୩୨୫ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ବ୍ରହ୍ମପୁର ମହାନଗର ଯାହା ୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବ୍ୟାପ୍ତ ସେଠି ମଧ୍ୟ ବାଲାନ୍ସ ପଲିଟିକ୍ସ ସ୍ୱରୂପ ମେୟର ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ତ ଡେପୁଟି ମେୟର୍ ଗୋପାଳପୁର ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ଵ କରୁଛନ୍ତି। ବିବେକ ଜଣେ ନାଁକରା କ୍ରୀଡ଼ାବିତ୍ ତଥା ବାସ୍କେଟବଲ ଖେଳାଳି ଅଟନ୍ତି। ବିବେକ ବ୍ରହ୍ମପୁର ମହାନଗର ନିଗମର ସର୍ବକନିଷ୍ଠ କର୍ପୋରେଟର୍‌, ଜଣେ ଗ୍ରାଜୁଏଟ୍, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଅଟନ୍ତି ସେ। ନିର୍ବାଚନ ପରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶ ପ୍ରମୁଖ ବିବେକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ବିବେକ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲକ୍ଷ୍ୟ ନେଇ ଏହି ଦାୟିତ୍ବ ଦେଇଛନ୍ତି ନିଶ୍ଚିତ ଭାବେ ତାହା ପୂରଣ କରିବି। ବିକାଶ ଧାରାକୁ ଆଗକୁ ନେବାକୁ ଗୁଣ୍ଡିଚି ମୂଷା ଭଳି କାମ କରିବି।

ଉଭୟ ଦମୟନ୍ତୀ ହୁଅନ୍ତୁ ବା ବିବେକ, ଦୁହେଁ ନିଜ ନିଜ ମହାନଗର ନିଗମର ସବୁଠାରୁ କନିଷ୍ଠ ଡେପୁଟି ମେୟର୍ ସାଜିଛନ୍ତି। ଅର୍ଥାତ୍ ରାଜ୍ୟ ତଥା ଜାତିର ଭବିଷ୍ୟତ ପିଢିକୁ ରାଜନୀତିରେ ଭଲ ଭାବେ ପାଦ ଥାପିବା ସହ ସମାଜସେବା କ୍ଷେତ୍ରରେ ଅଭିଜ୍ଞ କରାଇବାକୁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ଡେପୁଟି ମେୟର୍ ନିଜ ପରିବାରରୁ ପ୍ରଥମ ଓ ଏକମାତ୍ର ବ୍ୟକ୍ତି ଭାବେ ରାଜନୀତିରେ ପାଦ ଥାପିଛନ୍ତି। କଟକ ହେଉ ବା ବ୍ରହ୍ମପୁର ଡେପୁଟି ମେୟର ରେସ୍‌ରେ ବହୁ ପୁରୁଣା କର୍ପୋରେଟରଙ୍କ ନାମ ଆସୁଥିଲା। କିନ୍ତୁ ଦଳୀୟ ସୁପ୍ରିମୋଙ୍କ ନିଷ୍ପତ୍ତି ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହେବା ଥିଲା ସ୍ୱାଭାବିକ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଅଭିଜ୍ଞତା ସହ ଯୁବ ଉତ୍ସାହର ମିଶ୍ରଣରେ ମହାନଗରର ବିକାଶକୁ ଅଧିକ ତ୍ବରାନ୍ବିତ କରିବାର ନବୀନଙ୍କ ଦୂରଦୃଷ୍ଟି ଏଥିରେ ସ୍ପଷ୍ଟ ପ୍ରତିଫଳିତ। କେବଳ ରାଜନୈତିକ ପରିବାର, ଧନୀକ ଓ ସମ୍ଭ୍ରାନ୍ତ ଶ୍ରେଣୀ ଭଳି ମାନକକୁ ଅଣଦେଖା କରି ଅଣପାରମ୍ପରିକ ଭାବେ ପ୍ରତିଭା ସମ୍ପନ୍ନ ଯୁବ ଚେହେରାଙ୍କୁ ଗୁରୁଦାୟିତ୍ଵ ଅର୍ପଣ କରିଛନ୍ତି ବିଜେଡି ସଭାପତି। ନିଶ୍ଚିତ ଭାବେ ଦଳ ଯେ ଏଥିରୁ ମହିଳା, ଯୁବ ପିଢିଙ୍କୁ କେତେ ଗୁରୁତ୍ଵ ଦେଉଛି ତାହାର ସ୍ପଷ୍ଟ ଓ ପ୍ରଭାବୀ ବାର୍ତ୍ତା ସମସ୍ତଙ୍କ ନିକଟକୁ ଯିବ।

ଅପରପକ୍ଷରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି ଚେୟାରମ୍ୟାନ୍‌ ନିର୍ବାଚନ ଆଉ ଏକ ରାଜନୈତିକ ଦିଗ ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜିଲ୍ଲାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ନିକଟବର୍ତ୍ତୀ ଗୋପାଳପୁର ନିର୍ବାଚନମଣ୍ଡଳୀ ଜିଲ୍ଲାର ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ରାଜନୀତିରେ ଏବେ ଅପେକ୍ଷାକୃତ ଅଧିକ ଗୁରୁତ୍ଵ ପାଇଛି। ଦିନ ଥିଲା ଯେଉଁଠି ବିଧାୟକବିହୀନ, ନେତୃତ୍ଵ ଅଭାବଜନିତ ସଙ୍କଟ ଭୋଗୁଥିବା ଗୋପାଳପୁର ନିର୍ବାଚନମଣ୍ଡଳୀ ଏବେ ରାଜନୈତିକ ପ୍ରତିନିଧିତ୍ବ କ୍ଷେତ୍ରରେ ଚମକି ଉଠିଛି। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଏହି ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ବ କରୁଥିବା ରାଜେଶ୍ଵରୀ ଦୋରା ନିର୍ବାଚିତ ହେବା ଓ ଏବେ ବ୍ରହ୍ମପୁରର ଡେପୁଟି ମେୟର ଭାବେ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ- ୪୨ର କର୍ପୋରେଟର୍ ଇ.ବିବେକଙ୍କ ବିଜୟ ଏହାର ନଜିର ମାତ୍ର। ଆଉ ଏହା ପଛରେ ସଫଳ ବିନ୍ଧାଣୀ ସାଜିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶ ଯେକି ବର୍ତ୍ତମାନ ଗୋପାଳପୁର ବିଧାନସଭା କ୍ଷେତ୍ରରେ ସକ୍ରିୟ ରହିଛନ୍ତି। ବିବେକ ପ୍ରଥମେ କର୍ପୋରେଟର୍ ଭାବେ ସର୍ବାଧିକ ଭୋଟରେ ବିଜୟୀ ହୋଇଥିଲେ ଆଉ ଏବେ ସେ ବ୍ରହ୍ମପୁରର ଡେପୁଟି ମେୟର ଭାବେ ଆସୀନ ହେବା ପଛରେ ଡ. ଦାସଙ୍କ ପ୍ରୟାସ ଓ ରଣନୀତି କାମ କରୁଛି ତାହା ଅସ୍ବୀକାର କରିହେବନି। ତାଙ୍କ ନେତୃତ୍ବରେ ଗୋପାଳପୁର ନିର୍ବାଚନମଣ୍ଡଳୀ ରାଜ୍ୟ ତଥା ଜିଲ୍ଲାର ରାଜନୀତିରେ ପୂର୍ବ ଗୌରବ ଫେରିପାଇବ ତାହା ନିସନ୍ଦେହରେ କୁହାଯାଇ ପାରେ।

Comments are closed.