ଡିଜେଲ ଦରବୃଦ୍ଧିର ପ୍ରଭାବ: ନିୟନ୍ତ୍ରଣ ବାହାରକୁ ଯାଉଛି ଅତ୍ୟାବଶ୍ୟକ ସାମଗ୍ରୀ | News Room Odisha

ଡିଜେଲ ଦରବୃଦ୍ଧିର ପ୍ରଭାବ: ନିୟନ୍ତ୍ରଣ ବାହାରକୁ ଯାଉଛି ଅତ୍ୟାବଶ୍ୟକ ସାମଗ୍ରୀ

ସମ୍ବଲପୁର : ଦୀର୍ଘ 2 ବର୍ଷ ଧରି କରୋନା ମହାମାରୀ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଗରିବଙ୍କ ଘରେ ଚୁଲି ଜଳିବା ବି କଷ୍ଟକର ହୋଇପଡିଛି। ହେଲେ ବର୍ତ୍ତମାନ ଏହି ମହାମାରୀରୁ ମୁକୁଳିବାକୁ ଚେଷ୍ଟା କଲା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ଏବେ କାଳ ସାଜିଲାଣି। କ୍ରମାଗତ ଭାବେ 2 ସପ୍ତାହ ଧରି ଡିଜେଲର ଦର ବୃଦ୍ଧି ଯୋଗୁଁ ଏବେ ସବୁ ଖାଉଟି ସାମଗ୍ରୀର ଦର ଗରିବଙ୍କ କ୍ରୟ କ୍ଷମତା ବାହାରକୁ ଚାଲିଗଲାଣି। ସେପଟେ, ଡିଜେଲର ଏହି କ୍ରମାଗତ ଦର ବୃଦ୍ଧି ଆଗାମୀ ଦିନରେ ପରିବହନ ସମସ୍ୟା ସୃଷ୍ଟି କରିବା ସହିତ ଖାଉଟି ସାମଗ୍ରୀର ସଙ୍କଟ ସୃଷ୍ଟି କରିବାର ଆଶଙ୍କା କଲେଣି ବ୍ୟବସାୟୀ। ଆଉ ପରୋକ୍ଷରେ ଏହା ଖାଉଟି ସାମଗ୍ରୀର ଦର ନିୟନ୍ତ୍ରଣ ବାହାରକୁ ଯିବା ଥୟ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ସେପଟେ, ଋଷ ଠାରୁ ଶସ୍ତାରେ ତେଳ କିଣିବା ସତ୍ତ୍ବେ ଏହି ଦରବୃଦ୍ଧି ଯୋଗୁଁ ଲୋକଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି।

ପ୍ରାୟ ମାସେ ହେଲା ଇନ୍ଧନ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଡିଜେଲ ଦର ବୃଦ୍ଧି ପାଇ 103 ଟଙ୍କା ଯାଏ ଛୁଇଁଲାଣି। ପୁଣି ପ୍ରତିଦିନ 10ରୁ 80 ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଉଛି। ଆଉ ଏହାର ସିଧାସଳଖ ପ୍ରଭାବ ଖାଉଟି ସାମଗ୍ରୀ ଉପରେ ପଡୁଛି। ଡିଜେଲ ଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢୁଥିବାରୁ ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢାଇବାକୁ ବାଧ୍ୟ ହେଉଛନ୍ତି।

ସମ୍ବଲପୁରର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ କ୍ଷେତରାଜପୁରକୁ ଆସୁଥିବା ସବୁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଖର୍ଚ୍ଚ ଗତ ସପ୍ତାହେ ମଧ୍ୟରେ ପ୍ରାୟ 10 ପ୍ରତିଶତ ବୃଦ୍ଧି ହୋଇଥିବା ସୂଚନା ମିଳିଛି। ଆଉ ସବୁ ରାସନ ସାମଗ୍ରୀର ଦରକୁ ବୃଦ୍ଧି କରିବାକୁ ବ୍ୟବସାୟୀମାନେ ବାଧ୍ୟ ହେଉଥିବା ସଂଘ ପ୍ରକାଶ କରିଛି। ସେପଟେ, ସବୁ ସାମଗ୍ରୀର ଦର ବାହାରୁ ପୂର୍ବ।ପେକ୍ଷା ଚଢା ଦରରେ ଆସୁଥିବା ବେଳେ ବର୍ଦ୍ଧିତ ପରିବହନ ଖର୍ଚ୍ଚକୁ ଯୋଡି ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ ବୋଲି କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି।

ସେପଟେ, ଏହି ପରିବହନ ଖର୍ଚ୍ଚ ଅଗ୍ରୀମ ଦେବାକୁ ପଡୁଥିବାରୁ କିଛି ହୋଲସେଲର୍ ସାମଗ୍ରୀ ଅର୍ଡର କରିବାରେ ବି ସମସ୍ୟାରେ ପଡୁଥିବା ସୂଚନା ମିଳୁଛି। ଆଉ ଏହି ଧାରା ଜାରି ରହିଲେ ଆଗକୁ ସାମଗ୍ରୀର ଅଭାବ ଦେଖାଦେବାର ଆଶଙ୍କା ରହିଛି। ବର୍ତ୍ତମାନ ସବୁ ପ୍ରକାର ରିଫାଇନ୍ ତେଲର ଦର 2 ଶହ ଟଙ୍କା ପାର କରିବା ଉପରେ ଥିବା ବେଳେ ସୋରିଷ ତେଲର ଅଢେଇ ଶହ ଛୁଇଁବାକୁ ବସିଲାଣି। ସେହିପରି ଡାଲି, ଚିନି, ଚାଉଳ, ଅଟା ଆଦି ସବୁ ସାମଗ୍ରୀର ଦର କ୍ରମାଗତ ଭାବେ ବଢିବାରେ ଲାଗିଛି।
ତେବେ, ବର୍ତ୍ତମାନ ନୂଆ ଆଳୁ ବଜାରକୁ ଆସିଥିବାରୁ ଏହାର ଦର ନିୟନ୍ତ୍ରଣ ଭିତରେ ଥିବା ବେଳେ ଓଡିଶା ସରକାରଙ୍କ ଯୋଗାଣ ବିଭାଗର ସଫଳ ପରିଚାଳନା ପାଇଁ ପିଆଜ ଦର ବି ନିୟନ୍ତ୍ରଣ ଭିତରେ ରହିଛି। ହେଲେ ଅନ୍ୟ ସବୁ ସାମଗ୍ରୀର ଦର ଆକାଶଛୁଆଁ ହେଲାଣି। ସ୍ଥିତି ଏପରି ହୋଇଛି ଯେ, ଗରିବ ଲୋକ ବର୍ତ୍ତମାନ ଟଙ୍କାଟିଏରେ କିଲେ ଚାଉଳ ପାଉଥିବାରୁ ଏହା ତାହାକୁ ବିରାଟ ଆଶ୍ବସ୍ତି ଦେଇଛି ସତ, ହେଲେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ବଳା ଗରିବଙ୍କୁ ଉପହାସ କରିଥିବା ବେଳେ ଚୁଲି ଜାଳିବାକୁ 70 ଟଙ୍କିଆ କିରୋସିନ୍ ବ୍ୟବହାର କରିବାକୁ ପଡୁଛି। ଏହାକୁ ନେଇ ଗରିବଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତି ଅସନ୍ତୋଷ ତେଜିବାରେ ଲାଗିଛି।