ପରଲୋକରେ ପ୍ରଫୁଲ୍ଲ କର | News Room Odisha

ପରଲୋକରେ ପ୍ରଫୁଲ୍ଲ କର

ଭୁବନେଶ୍ବର – ନୀରବି ଗଲେ ପ୍ରଫୁଲ୍ଲ କର । ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଗୀତିକାର ପ୍ରଫୁଲ୍ଲ କରଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତର ସେ ଥିଲେ ଅପ୍ରତିନ୍ଦ୍ବନ୍ଦ୍ବୀ କଳାକାର ।ତାଙ୍କର ବିୟୋଗରେ ରାଜ୍ୟର ସାଂସ୍କୃତିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

୧୯୩୯ ଫେବୃଆରି ୧୬ ତାରିଖରେ ଜନ୍ମିତ ପ୍ରଫୁଲ୍ଲ କରଙ୍କୁ ମୃତ୍ୟୁବେଳକୁ ୮୩ ବର୍ଷ ହୋଇଥିଲା। ଓଡିଶୀ ଓ ଶାସ୍ତ୍ରୀୟ ସଂଗୀତରେ ଧୂରୀଣ ଥିବା ପ୍ରଫୁଲ୍ଲ କର ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହ ଗୀତ ରଚନା ମଧ୍ୟ କରିଛନ୍ତି । ଆଦ୍ୟ କଳାକାର ଜୀବନରେ ସେ ଗାଇଥିବା ‘କମଳ ଦେଶର ରାଜକୁମାର ମୁଁ ହାତରେ ପୁଷ୍ଫ ଧନୁ..’ ଗୀତଟି ତାଙ୍କୁ ଲୋକପ୍ରିୟ କରାଇଥିଲା । ତେଣୁ ସେ କମଳ ଦେଶର ରାଜକୁମାର ରୂପେ ସଂଗୀତ ଦୁନିଆରେ ପରିଚିତ ଥିଲେ।

ପ୍ରତିଭା ବଳରେ ସେ ସୃଷ୍ଟି କରିଛନ୍ତି ୭୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଓ ୪ଟି ବଙ୍ଗଳା ସିନେମାର ସଙ୍ଗୀତ, ଓଡ଼ିଆ ଭାଗବତ, ଛାନ୍ଦ, ଚମ୍ପୁ, ଦେଶାମତ୍ବୋଧକ ଓ ଭକ୍ତି ରସାମତ୍କ ସଙ୍ଗୀତ ସମେତ ୧୦୦ରୁ ଅଧିକ ଅଣସିନେମା ଆଲବମ । ମୋଟ ୮ ଥର ଓଡ଼ିଆ ସିନେମାର ଶ୍ରେଷ୍ଠ ସଙ୍ଗୀତକାର ଓ ଥରେ ଶ୍ରେଷ୍ଠ କଣ୍ଠଶିଳ୍ପୀର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ପ୍ରଫୁଲ୍ଲ । ସଂସ୍କୃତି ବିଭାଗର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ସହ ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି ପ୍ରଫୁଲ୍ଲ । ତାଙ୍କ ସାହିତ୍ୟ କୃତି ମଧ୍ୟରେ ରହିଛି ଭକ୍ତିଗୀତ ପୁସ୍ତକ ‘ଅନିୟ ମାଳା’, ସାମ୍ପ୍ରତିକୀ ‘ଯାହା କହୁଛି ସତ କହୁଛି’ କ୍ଷୁଦ୍ରଗଳ୍ପ ସଂକଳନ ‘ସାଉଁଟା କାହାଣୀ’ ।