ବିକଳାଙ୍ଗଙ୍କ ସମସ୍ୟା ପ୍ରତିକାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ ‘ଦିବ୍ୟାଙ୍ଗ ଜନ ସମାଧାନ’ | News Room Odisha

ବିକଳାଙ୍ଗଙ୍କ ସମସ୍ୟା ପ୍ରତିକାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ ‘ଦିବ୍ୟାଙ୍ଗ ଜନ ସମାଧାନ’

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବେଦନଶୀଳ ଶାସନ ଓ ପ୍ରଶାସନର ମନ୍ତ୍ରରେ ଅଭିମନ୍ତ୍ରିତ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମଙ୍ଗଳ ସକାଶେ ଭିନ୍ନ ଭିନ୍ନ ସମୟରେ ପଦକ୍ଷେପମାନ ଗ୍ରହଣ କରି ଆସୁଛି। ଲକଡାଉନ୍ ସମୟରେ ଲୋକଙ୍କ ନିକଟରେ ପହଞ୍ଚି ରାଜସ୍ବ ସେବା ଯୋଗାଇବାରୁ ଆରମ୍ଭ କରି ବିପତ୍ତି ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନ ପହଞ୍ଚାଇବା ହେଉ ବା ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ ସକାଶେ ପଞ୍ଚାୟତସ୍ତରରେ ଅନ୍‌ଲାଇନ୍ ଅଭିଯୋଗ ଶୁଣାଣି… ଏସବୁ ଜିଲ୍ଲା ପ୍ରଶାସନର ସୁଶାସନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କରୋନା କଟକଣା କୋହଳ ହେବା ସହ ସଂକ୍ରମଣ ଭୟ ଲଗାତାର ହ୍ରାସ ପାଇବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଦ୍ବାରା ପୁଣି ଥରେ ସଦର ମହକୁମା ଛତ୍ରପୁରରେ ସାଧାରଣ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ତେବେ ଜିଲ୍ଲାତମାମ ବିକଳାଙ୍ଗଙ୍କ ସୁବିଧା ତଥା ସେମାନଙ୍କ ସମସ୍ୟାର ସମାଧାନ ସକାଶେ ପ୍ରାଥମିକତା ଭିତ୍ତିରେ ପ୍ରଥମ ଏକ ଘଣ୍ଟା ସେମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇ ଥିଲା। ଏହାର ନାମକରଣ କରାଯାଇ ଥିଲା ‘ଦିବ୍ୟାଙ୍ଗଜନ ସମାଧାନ’। ସୋମବାର ପୂର୍ବାହ୍ନ ୧୦ଟାରୁ ୧୧ଗ ‘ଦିବ୍ୟାଙ୍ଗଜନ ସମାଧାନ’ ଓ ତାହା ପରେ ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଫିସ୍ ପରିସରରେ ହୋଇଥିବା ସ୍ବତନ୍ତ୍ର ଅଭିଯୋଗ ଶୁଣାଣିରେ ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିକଳାଙ୍ଗ ବ୍ୟକ୍ତିମାନଙ୍କ ଅଭିଯୋଗ ଶୁଣିଥିଲେ। ସମାଧାନ ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ବାରୋପ କରିଥିଲେ। ବିକଳାଙ୍ଗମାନେ ଯେପରି ସହଜରେ ଭତ୍ତା, ବୃତ୍ତି, ଭିନ୍ନକ୍ଷମ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ଏହି ଅବସରରେ ଖଲ୍ଲିକୋଟ ବ୍ଲକ୍‌ରୁ ଆସିଥିବା ୧୮ ଜଣ କିନ୍ନରଙ୍କୁ ପଟ୍ଟା ପ୍ରଦାନ କରାଯାଇ ଥିଲା। ଏହା ଥିଲା ରାଜ୍ୟର ପ୍ରଥମ ଘଟଣା ଯେଉଁଠି ଜିଲ୍ଲା ପ୍ରଶାସନ ଦ୍ୱାରା ତୃତୀୟ ଲିଙ୍ଗୀଙ୍କୁ ଜମି ପଟ୍ଟା ବିତରଣ କରାଯାଇ ଥିଲା। ଏହି କିନ୍ନରମାନଙ୍କ ନା ଥିଲା ଘର, ନା ଅଛି ଜମି। ଏଣୁ ସେମାନଙ୍କୁ ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ଡାଳବାଟି ମୌଜାରେ ଜମି ପଟ୍ଟା ପ୍ରଦାନ କରାଯାଇ ଥିଲା। ନିଶ୍ଚିତ ଭାବେ ଏହା କିନ୍ନରଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଖଲ୍ଲିକୋଟ ତହସିଲଦାର ରାଘବଚନ୍ଦ୍ର ପଟ୍ଟନାୟକ। ସେହିପରି ରାଜେଶ୍ଵରୀ କିନ୍ନର ମତବ୍ୟକ୍ତ କରିଛନ୍ତି ଯେ- ଗଞ୍ଜାମ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପ ସମାଜରେ ଅବହେଳିତ ଓ ନିଷ୍ପେଷିତ ତୃତୀୟ ଲିଙ୍ଗୀଙ୍କୁ ଜୀବନଯାପନର ନୂଆ ରାହା ଯୋଗାଇବ।

ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାରୁ ମୋଟ ୨୪୪ଟି ଆବେଦନପତ୍ର ଆସିଥିଲା। ସେଥିରୁ ପେନସନ୍ ପାଇଁ ୫୯ଟି, ସ୍ଵାସ୍ଥ୍ୟଗତ ୪ଟି, ପ୍ରମାଣପତ୍ର ନିମନ୍ତେ ୩୮ଟି, ଜୀବନଜୀବିକା ସକାଶେ ୫ଟି, ତିଆରଆଇ ରଣ ବାବଦ ୧୮ଟି, ଶିକ୍ଷା ସମ୍ପର୍କିତ ୨ଟି, ତୃତୀୟ ଲିଙ୍ଗୀଙ୍କ ଅଭିଯୋଗ ୧୮ଟି, ପିଡିଏସ୍ ବାବଦ ୨୯ଟି, ଉପକରଣ ବାବଦ ୮୯ଟି, ସରକାରୀ ସହାୟତା ବାବଦକୁ ୨ଟି, ଅନ୍ୟାନ୍ୟ ସମସ୍ୟା ବାବଦ ୧୪ଟି ଆବେଦନ ଗ୍ରହଣ କରାଯାଇଥିଲା। ମୋଟ ୯୧ଟି ଆବେଦନର ଫଇସଲା କରାଯାଇ ଥିଲା। ଏଥିସହ ଭିନ୍ନକ୍ଷମଙ୍କ ସମେତ ମୋଟ ୧୬ ଜଣଙ୍କୁ ଲାପ୍‌ଟପ୍, ୭୦ ଜଣଙ୍କୁ ବିଭିନ୍ନ ଉପକରଣ, ଜଣଙ୍କୁ ପେନସନ୍ ଓ ୨ ଜଣଙ୍କୁ ଆର୍ଥିକ ସହାୟତା, ଜଣଙ୍କୁ ତିନିଚକିଆ ସାଇକେଲ, ଜଣକୁ ଆଶା ବାଡ଼ି ପ୍ରଦାନ କରାଯାଇ ଥିଲା। ଅଭିଯୋଗ ଶୁଣାଣିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପିଡି ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପିତି ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।