ମହାନଦୀ ବିବାଦ-ଟ୍ରିବ୍ୟୁନାଲ ନିର୍ଦ୍ଦେଶ ସତ୍ତ୍ବେ ଜଳପତ୍ତନ ମାପକୁ ଛତିଶଗଡର ବିରୋଧ

ସମ୍ବଲପୁର: ଛତିଶଗଡର ମନମୁଖୀ କାମ ଦିନକୁ ଦିନ ବଢିବାରେ ଲାଗିଛି। ଏକାଛାଟିଆ ଭାବେ ମହାନଦୀର ତଣ୍ଟି ଚିପିଥିବା ଛତିଶଗଡର ଆଉ ଏକ ଦାଦାଗିରି ଏବେ ସାମ୍ନାକୁ ଆସିଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ ବି ଛତିଶଗଡ ସରକାର ବେଖାତିର କରିଥିବା ଭଳି ସାଂଘାତିକ ଖବର ଆସିଛି। ଟ୍ରିବ୍ୟୁନାଲ ନିର୍ଦ୍ଦେଶରେ ହୀରାକୁଦ ବନ୍ଧରୁ ଆରମ୍ଭ କରି ଏହାର ଉପରମୁଣ୍ଡରେ ଉଭୟ ଓଡିଶା ଏବଂ ଛତିଶଗଡରେ ମହାନଦୀରେ ଜଳପତ୍ତନ ମାପ ଚାଲିଥିବା ବେଳେ ଭୂପେଶ ବଘେଲ ସରକାରଙ୍କ ବିରୋଧ ଯୋଗୁଁ ତାହା ଅଧାରୁ ଠପ୍ ହୋଇଯାଇଛି। ଫଳରେ ଏହାକୁ ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ମହାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଟ୍ରିବ୍ୟୁନାଲ ଇତିମଧ୍ୟରେ ଉଭୟ ରାଜ୍ୟ ମଧ୍ୟରେ ଅନେକ ଥର ତ୍ରିପାକ୍ଷିକ ବୈଠକ କରି ବିଫଳ ହୋଇସାରିଛନ୍ତି। ଫଳରେ ଏହାର ଶୁଣାଣୀ ପାଇଁ ପ୍ରସଙ୍ଗ ଧାର୍ଯ୍ୟ କରିବା ପରେ ବର୍ତ୍ତମାନ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମହାନଦୀରେ ଜଳପ୍ରବାହର ସ୍ଥିତି, ଜଳଧାରଣ କ୍ଷମତା ଆକଳନ କରିବାକୁ ଟ୍ରିବୁୟନାଲ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଦ୍ବାରା ଟେଣ୍ଡର ମାଧ୍ୟମରେ ମୁମ୍ବାଇସ୍ଥିତ ସାଇଟ୍ ଇଞ୍ଜିନିଅରିଂ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଘରୋଇ ସଂସ୍ଥାକୁ ଜଳଭଣ୍ଡାରର ହାଇଡ୍ରୋଗ୍ରାଫି ସର୍ଭେ ପାଇଁ ଦାୟିତ୍ବ ଦିଆଯାଇଥିଲା। ଏଥିପାଇଁ 42 ଲକ୍ଷ 5 ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ମୋଟର୍ ବୋଟ୍ ସାହାଯ୍ୟରେ ଏହି ଦଳ ଗତ ଜାନୁଆରୀ ମାସରେ ଜଳଭଣ୍ଡାରର ବିଭିନ୍ନ ଅଞ୍ଚଳକୁ ଯାଇ ଶବ୍ଦ ତରଙ୍ଗ ମାଧ୍ୟମରେ ଜଳର ଗଭୀରତା ମାପ କରିଥିଲେ। ଏଥିପାଇଁ ଉଦ୍ଧିଷ୍ଟ ଏକ ଯନ୍ତ୍ର ଜଳଭଣ୍ଡାର ପାଣି ଭିତର ଦେଇ ପ୍ରବେଶ କରି ମାଟିକୁ ଛୁଇଁଲା ପରେ ନିର୍ଦ୍ଧିଷ୍ଟ ପ୍ରକାର ଶବ୍ଦ କରିଥାଏ। ଏହାକୁ ଶବ୍ଦ ତରଙ୍ଗ କୁହାଯାଏ। ଡ୍ୟାମକୁ ଜିପିଏସ୍ ଜରିଆରେ ଭିନ୍ନ ଭିନ୍ନ ବର୍ଗାକାରରେ ବିଭକ୍ତ କରାଯାଇ ସେସବୁ ଅଞ୍ଚଳରୁ ଜଳପତ୍ତନ କେତେ ରହିଛି ତାହାର ସର୍ଭେ କରାଯାଉଥିଲା।

ଏହି କ୍ରମରେ ଉକ୍ତ ସଂସ୍ଥା ପକ୍ଷରୁ ହୀରାକୁଦର 743 ବର୍ଗ କିମି ପରିମିତ ଅଞ୍ଚଳରେ ଜଳପତ୍ତନ ମାପ ଚାଲିଥିଲା। ହେଲେ ଓଡିଶାରେ ଏହାର ସର୍ଭେ ବା ମାପ ସରିବା ପରେ ଏହି ଦଳ ଛତିଶଗଡରେ ପ୍ରବେଶ କରିଥିଲେ। ହେଲେ କଲମାର ଜଳପତ୍ତନ ମାପିବା ପୂର୍ବରୁ ଏହି ଦଳକୁ ଛତିଶଗଡ ସରକାର ବିରୋଧ କରିଥିଲେ। ଫଳରେ ଏହି କାମ ଅଧାରୁ ବନ୍ଦ ହୋଇଯାଇଥିବା ନେଇ ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ସେପଟେ, ଏନେଇ ଓଡିଶା ସରକାରଙ୍କୁ ଅବଗତ କରାଯାଇଥିବା ବେଳେ ଟ୍ରିବ୍ୟୁନାଲଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ହୀରାକୁଦର ଉପରମୁଣ୍ଡ ମହାନଦୀର ମୁଖ୍ୟ ସ୍ରୋତରେ 7ଟି ବ୍ୟାରେଜ୍ ସମେତ ଏହାର ବେସିନରେ ଶତାଧିକ ସଂଖ୍ୟାରେ ଛତିଶଗଡ଼ ସରକାର ବନ୍ଧ ଓ ବ୍ୟାରେଜ୍ ନିର୍ମାଣ କରିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହାର ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ଟ୍ରିବ୍ୟୁନାଲ ଗଠନ ହୋଇ ଏହାର ବିଚାର ଆରମ୍ଭ ହୋଇଛି।

Comments are closed.