ଆଜିଠାରୁ ଆହୁରି ବଢିବ ତାତି, ଅଭ୍ୟନ୍ତର ପାଇଁ ସତର୍କତା ଜାରି

ଭୁବନେଶ୍ବର – କିଛି ଦିନ ପରେ ପୁଣି ରାଜ୍ୟର ଉତ୍ତପ୍ତ ସହର ହୋଇଛି ସୋନପୁର । ଗତକାଲି ସେଠାରେ ୪୩.୮ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଦ୍ବିତୀୟ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ବର। ରାଜଧାନୀର ଦିନ ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରି ୪୩.୩ ଡିଗ୍ରିରେ ପହଞ୍ଚିଛି। ଅନୁଗୁଳ ତାପମାତ୍ରା ମଧ୍ୟ ୪୩ ଡିଗ୍ରି ଅତିକ୍ରମ କରି ୪୩.୧ ଡିଗ୍ରି ରହିଥିଲା। ଗତକାଲି ରାଜ୍ୟର ୨୮ ସହରର ତାପମାତ୍ରା ୪୦ ଡିଗ୍ରି ବା ତାଠାରୁ ଅଧିକ ଥିଲା । ୮ ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିଥିବା ବେଳେ ତାତିରେ କଲବଲ ହେଉଛି ସମ୍ପୂର୍ଣ୍ଣ ଓଡ଼ିଶା।

ଅନ୍ୟପଟେ ଏପ୍ରିଲ ଶେଷ ସୁଦ୍ଧ‌ା ତାତିରୁ ତ୍ରାହି ମିଳିବାର ସମ୍ଭାବନା ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ କରି ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଣୁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅନ୍ୟପଟେ ଆସନ୍ତା ୨ ଦିନରେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ।

Comments are closed.