କଳିଙ୍ଗ ସ୍ଥାପତ୍ୟ ଶୈଳୀର ଶ୍ରେଷ୍ଠ ନିଦର୍ଶନ... ବଣିବକ୍ରେଶ୍ୱର ପଶ୍ଚିମମୁଖ ମହାଦେବ ମନ୍ଦିର | News Room Odisha

କଳିଙ୍ଗ ସ୍ଥାପତ୍ୟ ଶୈଳୀର ଶ୍ରେଷ୍ଠ ନିଦର୍ଶନ… ବଣିବକ୍ରେଶ୍ୱର ପଶ୍ଚିମମୁଖ ମହାଦେବ ମନ୍ଦିର

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଘୋରଡ଼ିଆ ଅଞ୍ଚଳ କୁଆପଦା ଗ୍ରାମରେ କଳିଙ୍ଗ ସ୍ଥାପତ୍ୟ ଶୈଳୀର ଶ୍ରେଷ୍ଠ ନିଦର୍ଶନ ବଣିବକ୍ରେଶ୍ୱର ମହାଦେବ ମନ୍ଦିର ରହିଛି l ଐତିହାସିକଙ୍କ ମତରେ ଏହି ପଶ୍ଚିମମୁଖ ମହାଦେବ ମନ୍ଦିରଟି ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶୀ ଶାସକଙ୍କ ଦ୍ୱାରା ନିର୍ମାଣ ହୋଇଥିଲା l

ମନ୍ଦିର ଗର୍ଭଗୃହରେ ବୃତ୍ତାକାର ଯୋନିପୀଠରେ ଅନ୍ତର୍ଭେଦି ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ ହୋଇଥିବାବେଳେ ପାର୍ଶ୍ଵଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ ଓ ମା’ ପାର୍ବତୀ ପୂଜା ପାଉଛନ୍ତି l ପଞ୍ଚରଥ ଶୈଳୀର ଏହି ମନ୍ଦିରର ବିମାନଟି ରେଖ ବିମାନ ହୋଇଥିବାବେଳେ, ଜଗମୋହନଟି ପୀଢ଼ ଶୈଳୀରେ ନିର୍ମାଣ ହୋଇଛି l ମାତ୍ର ସମ୍ପୂର୍ଣ୍ଣ ମନ୍ଦିରଟି ସୁକ୍ଷ୍ମ କାରୁକାର୍ଯ୍ୟରେ ଭରା l

ମନ୍ଦିର ନିର୍ମାଣ ଓ ଏପରି ନାମକରଣ ପଛରେ ଥିବା ଲୋକକଥା ବିଷୟରେ ସ୍ଥାନୀୟ ଅଧିବାସୀ ଗଙ୍ଗାଧର ବାବୁ ଯାହା କୁହନ୍ତି, ଗଙ୍ଗ ବଂଶର ଚତୁର୍ଥ ଶାସକ ଶ୍ରୀ ମଦନ ମହାଦେବ ଧ୍ୱଜାପାହାଡ଼ର ପୂର୍ବ ଦିଗ କଟିଦେଶରେ “ସହଜପାରି କଟକ” ନାମକ ଦୁର୍ଗ ନିର୍ମାଣ କରି ରାଜ୍ୟ ଶାସନ କରୁଥିଲେ l

ମଦନ ମହାଦେବଙ୍କ ଶାସନ କାଳକୁ ତର୍ଜମା କରିବାକୁ ଯାଇ କିଛି ଐତିହାସିକ ମତ ବ୍ୟକ୍ତ କରନ୍ତି ସେ ୧୧୯୫-୧୨୦୦ ଖ୍ରୀଷ୍ଟାବ୍ଦ, ମାତ୍ର ପାଞ୍ଚ ବର୍ଷ ଶାସନ କରିଥିଲେ l ମାତ୍ର ଆଉ କିଛି ଐତିହାସିକଙ୍କ ମତରେ ସେ ୧୧୮୫- ୧୨୦୦ ଖ୍ରୀଷ୍ଟାବ୍ଦ ଦୀର୍ଘ ୧୫ ବର୍ଷ କାଳ ରାଜ୍ୟ ଶାସନ କରିଥିଲେ l ସେ ଯାହା ବି ହେଉ ନା କାହିଁକି ଏହି କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ଶିବ ମନ୍ଦିରଟି ମଦନ ମହାଦେବ ଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କଥାକୁ ଐତିହାସିକ ମାନେ ସ୍ୱୀକାର କରନ୍ତି l

ଏହି ସହଜପାରି କଟକ ଦୁର୍ଗକୁ ସହଯୋଗୀ ଗଡ଼ ଭାବେ ପାଞ୍ଚ ଗୋଟି ଗଡ଼ ସୁରକ୍ଷା ପ୍ରଦାନ କରୁଥିଲେ l ସେହି ଗଡ଼ ଗୁଡ଼ିକ ହେଲା କାଳୁପଡ଼ାଗଡ଼, ଅରାଗଡ଼, କୁରୁଖୀଗଡ଼, ଭୂଇଁମୂଳଗଡ଼ ଓ ଲୁଣାଗଡ଼ l ସହଜପାରି କଟକ ଦୁର୍ଗ ବା ଗଡ଼ ନିର୍ମାଣ ପୂର୍ବରୁ ରାଜା ଦିନେ ସୈନ୍ୟ ସାମନ୍ତଙ୍କ ସହିତ ପାରିଧିରେ ଆସି ଉକ୍ତ ଜଙ୍ଗଲ ଅଞ୍ଚଳରେ ବୁଲୁ ବୁଲୁ ଦେଖିଲେ ଯେ ଏକ ବଣି ଚଢ଼େଇ ବକ୍ର ନୟନରେ ତାଙ୍କ ଆଡ଼କୁ ଚାହିଁ ମଣିଷ ସ୍ୱରରେ ମଣିମା ମଣିମା ବୋଲି ଡାକ ଦେଇ ରବ କରୁଛି l

ବଣି ଚଢ଼େଇର ଏପରି ରାବର ଅର୍ଥ କ’ଣ ହୋଇପାରେ ରାଜା କିଛି ବୁଝିନପାରି ରାଜଗୁରୁଙ୍କୁ ଜିଜ୍ଞାସା କରନ୍ତେ, ରାଜଗୁରୁ କହିଲେ, ମଣିମା ଏଥିରୁ ଯାହା ସୂଚିତ ହେଉଛି ଏହା ଏକ ଶୁଭ ସଂକେତ ଓ ଏହି ସ୍ଥାନଟି ନିହାତି ଏକ ଶୁଭପ୍ରଦ ସ୍ଥାନ l ଏଣୁ ଏଠାରେ କୌଣସି କୀର୍ତ୍ତିଟିଏ ସ୍ଥାପନ କରନ୍ତୁ l କଣ୍ଟକାକିର୍ଣ୍ଣ ଉକ୍ତ ଅଞ୍ଚଳରେ ଏକ ହିରଣ୍ୟଗର୍ଭ ଶିବଲିଙ୍ଗ ରହିଥିବା ଜାଣି ମହାରାଜ ଏକ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ଆଦେଶ ଦେଲେ l

ରାଜା ଆଜ୍ଞା ପାଳନ ପୂର୍ବକ ସେହିଠାରେ ମନ୍ଦିରଟିଏ ନିର୍ମାଣ କରାଯାଇ ଶିବଲିଙ୍ଗ ପ୍ରତିଷ୍ଠା କରାଗଲା ଏବଂ ବଣି ଚଢ଼େଇର ବକ୍ର ନୟନରେ ଚାହିଁ ରାବ କରିବା ଘଟଣାକୁ ଦୃଷ୍ଟିରେ ରଖି ମହାଦେବ ଓ ମନ୍ଦିରର ନାମକରଣ “ବଣି ବକ୍ରେଶ୍ୱର” ରଖାଗଲା ଏବଂ ଠାକୁରଙ୍କ ସେବା ପୂଜା ନିମନ୍ତେ ମହାରାଜା ବାଟି ବାଟି ସମ୍ପତି ଖଞ୍ଜି ଦେଇଥିଲେ l