ଭଞ୍ଜବଂଶୀୟ ଶାସନର ଅନନ୍ୟ କୀର୍ତ୍ତି କୁଲାଡ଼ ଗଡ଼ର ବ୍ୟାଘ୍ରଦେବୀ ମନ୍ଦିର 

ଭଞ୍ଜନଗର‌: ପ୍ରାଚୀନ ଘୁମୁସର ବା ଆଧୁନିକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ୮୩୨ ମସିହାରୁ ୧୮୩୫ ମସିହା ପର୍ଯ୍ୟନ୍ତ ପ୍ରାୟ ୫୮ ଜଣ ଭଞ୍ଜବଂଶୀୟ ରାଜା ଶାସନ କରିଥିଲେ। କଳା, ସଂସ୍କୃତି, ଆଧ୍ୟାତ୍ମିକତା ପ୍ରତି ରୁଚି ରଖୁଥିବା ଏହି ରାଜବଂଶର ଶାସନ କାଳରେ ଅନେକ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜି ସ୍ଥାପନ କରାଯାଇଥିଲା। ସେଥିମଧ୍ୟରୁ ଅନ୍ୟତମ ହେଉଛି ଭଞ୍ଜନଗର ଠାରୁ ୫ କିମି ଦୂରରେ ଅବସ୍ଥିତ କୁଲାଡ଼ ଗଡ଼ରେ ବିଜେ ଏହି ରାଜବଂଶର ଅଧିଷ୍ଠାତ୍ରୀ ଦେବୀ ମାଆ ବ୍ୟାଘ୍ରଦେବୀଙ୍କ ମନ୍ଦିର। ଏକ ସମୃଦ୍ଧ ନିର୍ମାଣ ଶୈଳୀ, ସୈନ୍ଦର୍ଯ୍ୟମୟ ଅନନ୍ୟ କୀର୍ତ୍ତି ଏହି ପୀଠ। ମନ୍ଦିରଟି ସ୍ଥାନୀୟ ଭକ‌୍ତଙ୍କ ସମେତ ବିଭିନ୍ନ ସ୍ଥାନରୁ ବହୁ ଶକ୍ତିର ଉପାସକ ମାନଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା କିଛି ମାତ୍ରାରେ ବିକଶିତ। ତଥାପି ଅଧିକ ଆକର୍ଷଣୀୟ କରାଗଲେ ଆହୁରି ଅନେକ ଦର୍ଶନାର୍ଥୀ ଓ ଭ୍ରମଣକାରୀ ଏଠାକୁ ଛୁଟି ଆସିବେ ବୋଲି ନିଃସନ୍ଦେହରେ କୁହାଯାଇପାରିବ।

ବାସ୍ତବରେ ଏହି ଅଞ୍ଚଳ ଘୁମୁସର ଗଡ଼ଜାତ ରାଜ୍ଯ ଭାବେ ଜଣାଶୁଣା ଥିଲା। ବ୍ରିଟିଶମାନଙ୍କ ବିରୋଧରେ ଘୁମୁସରର କନ୍ଧ ବିଦ୍ରୋହ ମଧ୍ଯ ଇତିହାସ ପ୍ରସିଦ୍ଧ। ଗୁମସରରୁ ଅପଭ୍ରଂଶ ହୋଇ ଘୁମୁସର ଭାବେ ଏହା ପରିଚିତ ହୋଇଥିଲା। ଗୁମ ଅର୍ଥାତ ଗୃହ ବା ଗଡ଼ ଏବଂ ସର ଅର୍ଥାତ୍ ପୋଖରୀ। ତେଣୁ ପୋଖରୀ ପାଖରେ ଗଡ଼ ନିର୍ମିତ ହୋଇଥିବାରୁ ଏହା ଗୁମସର ବା ପ୍ରକାରାନ୍ତରେ ଘୁମୁସର ନାମରେ ନାମିତ।

ଇତିହାସ କୁହେ ଘୁମୁସରର ରାଜା ମାନଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ସୁନ୍ଦର ଐତିହ୍ୟମାନ ସ୍ଥାପନ କରାଯାଇଥିଲା। ୧୧୯୦-୧୨୦୭ ମସିହାରେ ଘୁମୁସର ରାଜା ଶ୍ରୀପ୍ରତାପ ଭଞ୍ଜ କୁଲାଡ଼ ଗଡ଼ ସ୍ଥାପନ କରିଥିଲେ ଓ ବ୍ୟାଘ୍ରଦେବୀ ମନ୍ଦିର ପ୍ରତିଷ୍ଠା କରିଥିଲେ। ଏହି ବ୍ୟାଘ୍ରଦେବୀ ଠାକୁରାଣୀ ହେଉଛନ୍ତି ଭଞ୍ଜବଂଶୀୟ ରାଜାମାନଙ୍କର କୁଳଦେବୀ। ଓଡ଼ିଆ ସାହିତ୍ୟର ସମ୍ରାଟ କୁହାଯାଉଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଏହି କୁଲାଡ଼ ଗଡ଼ର ଭଞ୍ଜବଂଶୀୟ ରାଜା ନୀଳକଣ୍ଠ ଭଞ୍ଜଙ୍କ ପୁତ୍ର। ବ୍ୟାଘ୍ରଦେବୀଙ୍କ ଆଶୀର୍ବାଦରୁ କବିସମ୍ରାଟଙ୍କ କାଳଜୟୀ ସୃଷ୍ଟିରେ ଆଜି ଓଡ଼ିଆ ସାହିତ୍ୟ ଭଣ୍ଡାର ସମୃଦ୍ଧ। ସେହି କୁଲାଡ଼ ଗଡ଼ରେ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ଜଗନ୍ନାଥ ମନ୍ଦିର ଓ ବ୍ୟାଘ୍ରଦେବୀ ମନ୍ଦିର। ମନ୍ଦିର ପରିବେଶ ବହୁତ ସୁନ୍ଦର୍ ଓ ପରିଷ୍କାର ପରିଚ୍ଛନ୍ନ। ରେଖା ଶୈଳୀର ବିମାନ ଏବଂ ପୀଢ଼ା ଶୈଳୀର ଜଗମୋହନ ଓ ନାଟ୍ୟ ମଣ୍ଡପ ସହିତ ଜଗନ୍ନାଥଙ୍କ ମନ୍ଦିର ପରିସର ବହୁତ ବଡ଼ ଓ ସୁନ୍ଦର। ଜଗନ୍ନାଥ ମନ୍ଦିରର ପ୍ରାଚୀରକୁ ଲାଗି ଅବସ୍ଥିତ ମାଆ ବ୍ୟାଘ୍ରଦେବୀଙ୍କ ପୀଠ। ଏହି ପୀଠ ପରିସରରେ କବି ସମ୍ରାଟଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି।

ବ୍ୟାଘ୍ରଦେବୀଙ୍କ ମୂଳ ମନ୍ଦିର ରହିଛି ପାହାଡ଼ ଉପରେ। ତଳେ ବିରାଜମାନ ବ୍ୟାଘ୍ରଦେବୀଙ୍କ ମନ୍ଦିର ଠାରୁ ୫୦୦ ମିଟର ଦୂର ପାହାଡ଼ ଉପରେ ଗୋଟିଏ ଛୋଟ ଗୁମ୍ଫାରେ ପୂଜା ପାଉଛନ୍ତି ମାଆ ବ୍ୟାଘ୍ରଦେବୀ।

ପାଖାପାଖି ୨୦୦ ପାହାଚ ଚଢ଼ି ଦେବୀଙ୍କ ଆସ୍ଥାନ ପାଖରେ ପହଞ୍ଚି ହେବ। ପାହାଚ ମଝିରେ ଲୁହା ପାଇପ୍ ଦିଆ ଯାଇଛି ଯାହାକୁ ଚଢ଼ି ଭକ୍ତମାନେ ସହଜରେ ଦେବୀଙ୍କ ଆସ୍ଥାନ ନିକଟରେ ପହଞ୍ଚିପାରିବେ। ମଝିରେ ବସିବା ପାଇଁ ଓ ପାଣି ପିଇବା ପାଇଁ ମଧ୍ଯ ସୁବିଧା ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଏହି ସ୍ଥାନରେ ପାହାଡ଼ ଚଢ଼ି ଦେବୀଙ୍କ ପୀଠରେ ପହଞ୍ଚିବା ପରେ ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନମୁଗ୍ଧକର ମନେହୁଏ। ଘୁମୁସରର ଭଞ୍ଜବଂଶୀୟ ରାଜା ମାନଙ୍କ ପ୍ରାଚୀନ ଐତିହ୍ୟର ସ୍ମୃତି ବହନ କରୁଥିବା କୁଲାଡ଼ ଗଡ଼ ନିଶ୍ଚିତ ରୂପେ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ। କୁଲାଡ଼ ଯିବା ସମୟରେ ଆପଣ ଭଞ୍ଜନଗରର ଓଡ଼ିଶା ପ୍ରସିଦ୍ଧ ବିଜୁ ପଟ୍ଟନାୟକ ପାର୍କକୁ ମଧ୍ଯ ବୁଲିପାରିବେ। ଏହା ପରିବାର ନେଇ ଦେଖିଲା ଭଳି ଜାଗାଟିଏ। ଯେଉଁଠାରେ ଆପଣ ଶିବଙ୍କ ବିଶାଳ ମୂର୍ତ୍ତି ଦେଖିପାରିବେ।

Comments are closed.