ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆସନ୍ତାକାଲିରୁ ଆଦର୍ଶ ଆଚରଣ ବିଧି: ଜିଲ୍ଲାପାଳ

ଝାରସୁଗୁଡ଼ା: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଗତକାଲି ଜାତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ। ଆଉ ଆସନ୍ତାକାଲିରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ଯାଉଛି। ଏନେଇ ନିର୍ବାଚନ କମିଶନ ଲାଗୁ କରିଥିବା କଟକଣା ସଂକ୍ରାନ୍ତରେ ଜିଲ୍ଲାପାଳ ସରୋଜ କୁମାର ସାମଲ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ଘୋଷଣା କରିଛନ୍ତି।

ବ୍ରଜରାଜନଗର ବିଧାୟକ ଥିବା କିଶୋର ମହାନ୍ତିଙ୍କ ଗତ ଡିସେମ୍ବର ମାସରୁ ଆକସ୍ମିକ ଦେହାନ୍ତ ପରେ ଏହି ଆସନ ଟି ଖାଲି ପଡିଛି। ଏଥିପାଇଁ ଜାତୀୟ ନିର୍ବାଚନ କମିଶନ ଆସନ୍ତା ୩୧ ତାରିଖରେ ମତଦାନ କରିବାକୁ ଘୋଷଣା କରିଛନ୍ତି। ଏଥିପାଇଁ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆଉ ଆସନ୍ତା ୧୧ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଧାର୍ଯ୍ଯ କରାଯାଇଛି। ସେହିପରି ୧୨ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ୧୬ରେ ପ୍ରାର୍ଥୀପତ୍ର ପ୍ରତ୍ଯାହାର ତାରିଖ ଧାର୍ଯ୍ଯ କରାଯାଇଛି।

ତେବେ ଏହି ଭୋଟ ପାଇଁ ଆୟୋଗ ଜାରି କରିଥିବା କଟକଣା ସଂକ୍ରାନ୍ତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ। ଆସନ୍ତାକାଲିରୁ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ଯାଉଥିବା ବେଳେ ସବୁ ରାଜନୈତିକ ଦଳ ଏବଂ ନେତା ମନ୍ତ୍ରୀ ଏହାକୁ କଡାକଡି ପାଳନ କରିବାକୁ ଶ୍ରୀ ସାମଲ ଆହ୍ବାନ ଦେଇଛନ୍ତି। ଏହି ସମୟ ମଧ୍ଯରେ ଜିଲ୍ଲାକୁ କୌଣସି ମନ୍ତ୍ରୀ ସରକାରୀ ଗସ୍ତରେ ଆସି ପାରିବେନି। ଏହାଛଡା ସେମାନେ କୌଣସି ସରକାରୀ ଭବନ କିମ୍ବା ଅଫିସ ବ୍ୟବହାର କରିପାରିବେନି ବୋଲି ସେ ସୂଚନା ଦେଇଛନ୍ତି। ପୁଣି ଏହି ଗସ୍ତକୁ ସଂପୂର୍ଣ୍ଣ ଭାବେ ନିର୍ବାଚନୀ ଖର୍ଚ୍ଚରେ ସାମିଲ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି କୌଣସି ରାଲିରେ ୧୦ ରୁ ଅଧିକ ଯାନ ସାମିଲ ହୋଇପାରିବନି ବୋଲି ସେ ସୂଚାଇ ଦେଇଛନ୍ତି। ଏହାବାଦ ଗଣମାଧ୍ୟମ ପାଇଁ ବି ଜାରି କଟକଣା ନେଇ ସେ ସୂଚନା ଦେବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

Comments are closed.