ବିଭିନ୍ନ ଟ୍ରେନର ରହଣି ଦାବିରେ ବ୍ରଜରାଜନଗରରେ ୭ ଘଣ୍ଟା ରେଳରୋକୋ, ୩୩ରୁ ଉର୍ଦ୍ଧ୍ବ ଟ୍ରେନ୍ ବାତିଲ

ଝାରସୁଗୁଡ଼ା : ବ୍ରଜରାଜନଗରେ ବିଭିନ୍ନ ଟ୍ରେନ ରହଣି ଦାବିରେ ଆଜି ନାଗରିକ କମିଟି ପକ୍ଷରୁ ୭ ଘଣ୍ଟା ରେଳରୋକ କରାଯାଇଥିଲା। ଫଳରେ ହାବଡା- ମୁମ୍ବାଇ ରୁଟ୍ ରେ ବହୁ ଟ୍ରେନ୍ ବାତିଲ ହେବା ସହ ବହୁ ଟ୍ରେନ୍ ଗତିପଥ ପରିବର୍ତ୍ତନ କରାଯାଇଛି। ଏଥିପାଇଁ ଯାତ୍ରୀମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଛନ୍ତି। ତେବେ, ଏହି ଆନ୍ଦୋଳନରେ ବିଜେଡି ସମେତ ସବୁ ରାଜନୈତିକ ଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ।

ବ୍ରଜରାଜନଗର ରେଳରୋକ ସକାଳ ୬ ଟାରୁ ଆରମ୍ଭ ହୋଇଥିଲା। ଫଳରେ ଝାରସୁଗୁଡା ଏବଂ ବେଲପାହାଡରେ ଦ୍ରୁତଗାମୀ ଟ୍ରେନ୍ ଗୁଡିକ ଅଟକି ରହିଥିଲା। ବେଲପାହାଡରେ ଅହମ୍ମଦାବାଦ- ହାବଡା ଟ୍ରେନ୍ ଦୀର୍ଘ ୭ ଘଣ୍ଟା ଅଟକି ରହିଥିବାରୁ ଯାତ୍ରୀ ମାନେ ପ୍ରବଳ ଖରାରେ ଭୋକ ଉପାସରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେପଟେ, ବେଲପାହାଡ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଏହି ଟ୍ରେନ୍ ଅଟକି ଥିବା ବେଳେ ସେଠାରେ ପାଣି ଟୋପାଏର ବି ବ୍ୟବସ୍ଥା ନଥିବାରୁ ଏହା ଯାତ୍ରୀଙ୍କୁ ସାଂଘାତିକ ଦହଗଞ୍ଜ କରି ଦେଇଥିଲା। ସେପଟେ, ବ୍ରଜରାଜନଗରରେ ଦଳମତ ନିର୍ବିଶେଷରେ ଏବଂ ବହୁ ସଂଗଠନ ଏକାଠି ହୋଇ ରେଳ ଧାରଣା ଉପରେ ବସି ରହିଥିଲେ। ଫଳରେ ଛତିଶଗଡ ଦେଇ ଚଳାଚଳ କରୁଥିବା ୩୩ରୁ ଉର୍ଦ୍ଧ୍ବ ଟ୍ରେନ୍ ବାତିଲ ହୋଇଛି। ଅପରପକ୍ଷେ, ଏହି ରେଳରୋକ ପାଇଁ ଏହି ରୁଟରେ କୋଇଲା ପରିବହନ ବି ପୁରା ଠପ୍ ପଡିଯାଇଥିଲା। ଦୀର୍ଘ ଦିନ ହେଲା ବ୍ରଜରାଜନଗର ଦେଇ ଅନେକ ଦ୍ରୁତଗାମୀ ଟ୍ରେନର ରହଣି ଉଚ୍ଛେଦ ହୋଇଥିବା ବେଳେ ବାରମ୍ବାର ଦାବି ସତ୍ତ୍ବେ କର୍ତ୍ତୃପକ୍ଷ କର୍ଣପାତ ନ କରିବାରୁ ଆଜି ଏଭଳି ପରିସ୍ଥିତି ଉପୁଜିଥିଲା। ଦୀର୍ଘ ଘଣ୍ଟା ଧରି ଟ୍ରେନ୍ ଅଟକି ରହିବା ଦ୍ବାରା ବିଭିନ୍ନ ଷ୍ଟେସନରେ ଯାତ୍ରୀମାନେ ଷ୍ଟେସନ ମାଷ୍ଟରଙ୍କ ଅଫିସ ଆଗରେ ପ୍ରବଳ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା। ତେବେ, ସନ୍ଧ୍ୟାରେ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Comments are closed.