ଗଞ୍ଜାମ, ଗଜପତି ଜିଲ୍ଲା ପ୍ରଶାସନର ବାତ୍ୟା ମୁକାବିଲା ପ୍ରସ୍ତୁତି

ଛତ୍ରପୁର /ପାରଳାଖେମୁଣ୍ଡି: ପୁଣି ଏକ ତତଲା ମେ ମାସରେ ବାତ୍ୟା ଆଶଙ୍କା ଧିରେ ଧିରେ ମୁଣ୍ଡ ଟେକୁଛି। ଗତ କିଛି ବର୍ଷ ହେବ ଦେଶର ପୂର୍ବତଟ ତଥା ଓଡ଼ିଶା ଉପକୂଳ ଗ୍ରୀଷ୍ଣଦିନିଆ ବାତ୍ୟାର ବାରମ୍ବାର ସମ୍ମୁଖୀନ ହୋଇ ଆସୁଛି। ତେବେ ବାରମ୍ବାର ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଏଥିରେ ଚାମ୍ପିଅନ୍ ହୋଇ ଉଠିଥିବା ଓଡ଼ିଶା ସରକାର ପୁଣି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସେହି ଅନୁସାରେ ଜିଲ୍ଲାସ୍ତରରେ ମଧ୍ୟ ପ୍ରାକ୍-ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବଙ୍ଗୋପସାଗର ତଟବର୍ତ୍ତୀ ୫ଟି ବ୍ଲକ୍‌କୁ ଫୋକସ୍‌ରେ ରଖାଯାଇଛି। ସେହିପରି ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ମୁକାବିଲା ପ୍ରସ୍ତୁତି ପ୍ରତି ଗୁରୁତ୍ବ ଦିଆଯାଇଛି। ଉଭୟ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ମିଶନ୍ ଜିରୋ କାଜୁଆଲିଟି ଅନ୍ତର୍ଗତ କୌଣସି ଜୀବନହାନୀ ଯେପରି ନହୁଏ ତାହାକୁ ପ୍ରାଥମିକତା ଦେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଲର୍ଟ ଜାରି କରିବା ସହ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛି। ସଦର ମହକୁମାରେ ଉପସ୍ଥିତ ରହି ସରକାରୀ କର୍ମଚାରୀମାନେ ବାତ୍ୟା ମୁକାବିଲା ଓ ଏହାର ପ୍ରସ୍ତୁତିରେ ସହଯୋଗ କରିବେ। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବାତ୍ୟା ମୁକାବିଲା ପ୍ରସ୍ତୁତି ଭର୍ଚୁଆଲ୍ ବୈଠକରେ ପୌରୋହିତ୍ୟ କରି ସମସ୍ତ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ତହସିଲସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖିବେ। ତହସିଲଦାରଙ୍କ ସହ ମିଶି ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବେ। ଯୋଗାଣ ବିଭାଗ ପଞ୍ଚାୟତସ୍ତରରେ ଚାଉଳ, କିରୋସିନି ଆଦି ରିଲିଫ୍ ସାମଗ୍ରୀ ମହଜୁଦ୍ ରଖିବ ତ ରାସ୍ତା ମରାମତି ପାଇଁ ପଦକ୍ଷେପ ନେବ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ। ଗ୍ରାମ୍ୟ ଜଳ ଯୋଗାଣ ଓ ଜନସ୍ବାସ୍ଥ୍ୟ ବିଭାଗ ବାତ୍ୟା ପରବର୍ତ୍ତୀ ସମୟରେ ପାନୀୟ ଜଳ ଯୋଗାଣ ଯେଭଳି ବ୍ୟାହତ ନହୁଏ ସେଥିପ୍ରତି ସଜାଗ ରହିବେ। ନଦୀବନ୍ଧ ଦୁର୍ବଳ ସ୍ଥାନରେ ବାଲିବସ୍ତା ମହଜୁଦ ରଖି ସତର୍କ ରହିବ ଜଳସେଚନ ବିଭାଗ। ବିଦ୍ୟୁତ୍ ବ୍ୟବସ୍ଥା ତୁରନ୍ତ ସଜାଡ଼ିବାକୁ ପଦକ୍ଷେପ ନେବ ଟିପିଏସ୍ଓଡିଏଲ୍‌। ପୋଲିସ୍, ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ସଜାଗ ରହିବାକୁ କୁହାଯାଇଛି। ଆଜିଠାରୁ ଜିଲ୍ଲାପାଳ– ଉପଜିଲ୍ଲାପାଳ- ବ୍ଲକ୍ ତହସିଲ ଅଫିସ୍‌ରେ ୨୪ ଘଣ୍ଟିଆ ବାତ୍ୟା ମୁକାବିଲା ନିୟନ୍ତ୍ରଣ କକ୍ଷ କାର୍ଯ୍ୟାରମ୍ଭ କରିବ।

ସେହିପରି ଗଜପତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ କରିଛନ୍ତି। ଜିଲ୍ଲାର ସମସ୍ତ ବିଡିଓ ଏବଂ ତହସିଲଦାରଙ୍କୁ ନେଇ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜିଲ୍ଲାରୁ ଆରମ୍ଭ କରି ତଳସ୍ତର ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓମାନେ ସେମାନଙ୍କ ଅଞ୍ଚଳରେ କେତେ ପରିମାଣର ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକ, ତାହାର ତାଲିକା ଦେଲେ ଯୋଗାଣ ବିଭାଗ ତୁରନ୍ତ ତାହା ବ୍ଲକ୍ ଓ ପଞ୍ଚାୟତସ୍ତରରେ ମହଜୁଦ କରି ରଖିବା ବ୍ୟବସ୍ଥା କରିବ। ବାତ୍ୟା ସମ୍ପର୍କରେ ଜରୁରି ସେବା ଯଥା ବିଦ୍ୟୁତ୍, ମୋବାଇଲ୍, ଜଳଯୋଗାଣ ଆଦି ଯେଭଳି ବିଶେଷ ବ୍ୟାହତ ନହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇ ଥିଲା। ଜିଲ୍ଲାର ସମସ୍ତ ସ୍କୁଲ ଘର ଖୋଲା ରହିବ ଓ ସେଠାରେ ଶିକ୍ଷକମାନେ ଉପସ୍ଥିତ ରହିବେ। ଏହାଦ୍ୱାରା ଦୁର୍ଗମ ତଥା ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଏଭଳି ସରକାରୀ ସୁରକ୍ଷିତ କୋଠାକୁ ଅଚିରେ ସ୍ଥାନାନ୍ତର କରାଯାଇ ପାରିବ। ମାଟି ଅତଡ଼ା ଧସିବା ସମ୍ଭାବନା ଥିବା ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ କିଭଳି ସୁରୁଖୁରୁରେ ସ୍ଥାନାନ୍ତର କରାଯିବ ଏବଂ ଜିରୋ କାଜୁଆଲଟି ରହିବ ସେଥିପ୍ରତି ସମସ୍ତେ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ସମସ୍ତ ବିଡିଓ ଏବଂ ତହସିଲଦାର ଜନପ୍ରତିନିଧିଙ୍କ ସହ ଆଲୋଚନା କରି ଆବଶ୍ୟକ ପ୍ରତିକାର ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି।

ଯଦିଓ ଏବେ ସ୍ଥାନାନ୍ତର ନେଇ କୌଣସି ବଡ଼ ଧରଣର ଯୋଜନା ପ୍ରସ୍ତୁତ କରାଯାଇନି, ତେବେ ସମ୍ଭାବ୍ୟ ବାତ୍ୟାର ରୂପରେଖକୁ ଦେଖି ଏ ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରିବେ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ। ମୂଳ ଲକ୍ଷ୍ୟ ରହିବ ଯେମିତି ଗୋଟିଏ ମଧ୍ୟ ଜୀବନ ବାତ୍ୟା କିମ୍ବା ବର୍ଷାଜନିତ ଅଘଟଣରୁ ନଯାଏ। ପ୍ରାକୃତିକ ବିପର୍ଯ୍ୟୟ ଯଦି ଆସେ ଲୋକଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ। ଏ ଦିଗରେ ପୂର୍ବ ଅନୁଭୂତି ବେଶ୍ ସହାୟକ ହେବ।

Comments are closed.