ପେଟୁପାଲିରେ ନବବଧୂଙ୍କ ମୃତ୍ୟୁ ହତ୍ୟା ଅଭିଯୋଗ ଆଣିଲେ ପରିବାର

ବରଗଡ଼: ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପେଟୁପାଲି ଗ୍ରାମରେ ନବବଧୂ ହତ୍ୟା ଅଭିଯୋଗ ଘଟଣା ସାମ୍ନାକୁ ଆସିଛି । ଏନେଇ ଝିଅର ବାପଘର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ମତେ ଅଶୋକ ରାଉତିଆଙ୍କ ପୁତ୍ରବଧୂ ମଞ୍ଜୁ ରାଉତିଆ ଗୁରୁବାର ବିଳମ୍ବିତ ରାତ୍ରିରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ନେଇ ମଞ୍ଜୁଙ୍କ ବାପାଘର ଲୁହୁରାଚଟି ପଣକିପାଲିକୁ ଫୋନ ଯୋଗେ ଜଣାଇଥିଲେ । ମଞ୍ଜୁର ସ୍ବାମୀ ମନମୋହନ ରାଉତିଆ ଖବର ପାଇ ମଞ୍ଜୁଙ୍କ ବାପାଘର ଲୋକେ ପେଟୁପାଲିରେ ପହଞ୍ଚିଥିଲେ । ତେବେ ଫୋନରେ ଖବର ଦିଆଯାଇଥିବା ମୁତାବକ ମଞ୍ଜୁଙ୍କ ମୃତଦେହ ଦଉଡ଼ିରେ ନ ଝୁଲି ଏକ ପଲଙ୍କଖଟରେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ ।

ଏନେଇ ସନ୍ଦେହ କରି ମଞ୍ଜୁକୁ ହତ୍ୟା କରାଯାଇଥିବା ମଞ୍ଜୁର ବାପାଘର ଲୋକେ ମେଲଛାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମେଲଛାମୁଣ୍ଡା ପୋଲିସ ଓ ସୋହେଲା ପୋଲିସ ତଦନ୍ତକାରୀ ଦଳ ସହିତ ଘଟଣାସ୍ଥଳକୁ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ମୃତଦେହ ରହିଥିବା ସ୍ଥାନ ଆଦି ଅନୁସନ୍ଧାନ କରୁଥିବା ଜଣାପଡ଼ିଛି । ଲୁହୁରାଚଟି ପଣକିପାଲି ଗ୍ରାମର ଜୟଦେବ ମେହେର ତାଙ୍କ ଝିଅ ମଞ୍ଜୁକୁ ପେଟୁପାଲି ଗ୍ରାମର ଅଶୋକ ରାଉତିଆଙ୍କ ପୁତ୍ର ମନମୋହନଙ୍କ ସହ ଗତ ୨୦୨୧ ବର୍ଷ ଫେବୃଆରୀ ମାସ ୨୦ ତାରିଖରେ ବିବାହ କରାଇଥିଲେ ।

Comments are closed.