ଗଞ୍ଜାମରେ ବାତ୍ୟା ମୁକାବିଲା ପ୍ରସ୍ତୁତି, ଆଶ୍ରୟସ୍ଥଳ ସହ ବିଭିନ୍ନ ବିଭାଗ ତୟାର

ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ଆଗୁଆ ପ୍ରସ୍ତୁତି କରିଛି। ଯଦିଓ ପାଣିପାଗ ବିଭାଗ ଆକଳନ ଅନୁସାରେ ଗଞ୍ଜାମ ଜିଲ୍ଲା ସ୍ଥଳ ଭାଗକୁ ବାତ୍ୟା ଛୁଇଁବା ଆଶା କମ୍ ଓ କେବଳ ଏହା ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ହେବ ତଥାପି ପ୍ରସ୍ତୁତିରେ କୌଣସି ଅବହେଳା କରିନି ପ୍ରଶାସନ। ଜିଲ୍ଲାର ସମସ୍ତ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ଯଥେଷ୍ଟ ସଂଖ୍ୟକ ଅସ୍ଥାୟୀ ଆଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି। ଆବଶ୍ୟକ ହେଲେ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳର ଲୋକମାନଙ୍କୁ ଏଭଳି ଆଶ୍ରୟସ୍ଥଳୀରେ ରଖାଯିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯିବ। ବାତ୍ୟା କିମ୍ବା ପ୍ରବଳ ବେଗରେ ପବନ ନହେଲେ ମଧ୍ୟ ଅଧିକ ମାତ୍ରାରେ ବର୍ଷା ହେବା କାରଣରୁ ମାଟି ଅତଡ଼ା ଧସିବା, ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି। ଏଣୁ ମାଟି ଓ ଚାଳ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଜଳ ନିଷ୍କାସନ ପାଇଁ ସମସ୍ତ ଯନ୍ତ୍ରପାତି ସହ ଟିମ୍ ସଜାଗ ରହିବେ। ଏପରିକି ଜଳପ୍ରବାହ କିମ୍ବା ଗଛ ପଡ଼ି ରାସ୍ତା ଅବରୋଧ ହେଲେ ମଧ୍ୟ ତୁରନ୍ତ ସଫା କରି ଯାତାୟାତକୁ ସ୍ଵାଭାବିକ କରିବା ସକାଶେ ସଜାଗ ରହିଛି ପ୍ରଶାସନ। ପ୍ରବଳ ବର୍ଷା ଫଳରେ ଜଳପ୍ରବାହ ବୃଦ୍ଧି ପାଇବ। ତେଣୁ ଜିଲ୍ଲାର ବିଭିନ୍ନ ଡ୍ୟାମ୍ ତଥା ନଦୀକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ କରାଇ ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ବାତ୍ୟା ପରିସ୍ଥିତି ଦେଖାଯିବ ନାହିଁ, ତଥାପି ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ପ୍ରସ୍ତୁତି କରିଥିବା କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଶନିବାର ଏକ ଜରୁରିକାଳୀନ ଆଭାସୀ ବୈଠକରେ ସେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ପୂର୍ବ ପ୍ରସ୍ତୁତି ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ନିଜ ନିଜ ସ୍ତରରେ ବୈଠକ କରି ସମସ୍ତ ପ୍ରସ୍ତୁତି କରିଛନ୍ତି। ଜନସାଧାରଣ ଆତଙ୍କିତ ନ ହେବା ସହ ବହୁ ପରିମାଣର ସାମଗ୍ରୀ କିଣି ମହଜୁଦ କରିବା ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଛି ପ୍ରଶାସନ। ଖାଦ୍ୟ ସାମଗ୍ରୀ କଳାବଜାରୀ ରୋକିବାକୁ ମଧ୍ୟ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକାରୀ କରାଯିବ। ବିଦ୍ୟୁତ୍‌ ସରବରାହ କ୍ଷେତ୍ରରେ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ମରାମତି କରି ସ୍ଥିତି ସ୍ବାଭାବିକ କରିବାକୁ ଆଗୁଆ ପ୍ରସ୍ତୁତି କରାଯାଇଛି। ସମସ୍ତ ସରକାରୀ କର୍ମଚାରୀ ନିଜ ସଦର ମହକୁମାରେ ରହିବେ।

ଘୋଡ଼ାହାଡ଼, ବାଘଲଟି, ବାହୁଦା ଡ୍ୟାମ୍ ତଥା ନଦୀ, କେନାଲ୍ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ କରି ଦିଆଯାଇଛି। ଲୋକେ ନଦୀକୁ ନଯିବା କିମ୍ବା ପାଳିତ ପଶୁଙ୍କୁ ନଛାଡ଼ିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ। ମାଛ ଧରିବା ପାଇଁ ଲୋକେ ନଦୀଗର୍ଭକୁ କିମ୍ବା ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ କରାଇ ଦିଆଯାଇଛି। ବିଭିନ୍ନ ବ୍ଲକ୍ ପ୍ରଶାସନ ପଞ୍ଚାୟତମାନଙ୍କରେ ସ୍ଥାୟୀ ଓ ଅସ୍ଥାୟୀ ସାଇକ୍ଳୋନ୍ ସେଲ୍‌ଟର ପ୍ରସ୍ତୁତ କରିଛନ୍ତି। ସେଠି ଲୋକଙ୍କୁ ଥଇଥାନ କରିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମଧ୍ୟ ପ୍ରାକ୍ – ପ୍ରସ୍ତୁତି କରାଯାଇଛି। ସ୍ଥାନାନ୍ତର ସକାଶେ ଯାନବାହନ ବ୍ୟବସ୍ଥା ସାଙ୍ଗକୁ ପାନୀୟ ଜଳ, ଶୌଚାଳୟ, ଖାଦ୍ୟ, କିରାସିନି, ଗମନାଗମନ, ଜୀବନ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଗୋପାଳପୁର ସକାଶେ ୧ ନଂ ବିପଦ ସଙ୍କେତ ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ ବୋଲି ଜଣାପଡ଼ିଛି। ସେହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଣୁ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନଙ୍କୁ ଫେରି ଆସିବାକୁ ନିର୍ଦେଶ ହୋଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗ ଜିଲ୍ଲା ସାରା ତାର ସମସ୍ତ କେନ୍ଦ୍ରକୁ ସତର୍କ କରାଇ ଦେଇଛି। ଜଳ ମଧ୍ୟରୁ ଉଦ୍ଧାର କାର୍ଯ୍ୟ ପାଇଁ ଲାଇଫ୍ ଜ୍ୟାକେଟ୍‌, ଗଛ କାଟିବାକୁ ପାଓ୍ବାର ସ, ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ପମ୍ପ୍ ସେଟ୍ ଆଦିକୁ ପରୀକ୍ଷା ନିରୀକ୍ଷା କରାଯାଇ ପ୍ରସ୍ତୁତ ରଖାଯାଇଛି। ସମସ୍ତ ଦମକଳ କର୍ମଚାରୀ କାର୍ଯ୍ୟକ୍ଷେତ୍ରରେ ଏହି ଅବଧି ପାଇଁ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ହୋଇଛି।

Comments are closed.