ଆଜି ନିଳାଦ୍ରୀ ମହୋଦୟାଷ୍ଟମୀ “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରକଟ ଉତ୍ସବ 

“ଭୂୟଃ ଶୃଣୁସ୍ବ ଦେବସ୍ୟ ନୀଳଶୈଳାଧିପସ୍ୟ ଚ ।

ମାଧବେ ସିତ ପକ୍ଷେ ଚ ହ୍ୟଷ୍ଟମ୍ୟାଂ ଯବ୍ଦିନେ ନୃପଃ ।।

ପ୍ରାସାଦଘଟନାଂ ଚକ୍ରେ ତତସ୍ତୁ ପ୍ରତିବତ୍ସରମ ।

ଯଥା ପୁଷ୍ୟାଭିଷେକସ୍ତୁ ତବ୍ଦତ୍ତଚ୍ଚ ସମାଚରେତ।।”

(ବାମଦେବ ସଂହିତା)

ଅର୍ଥାତ :-ଏହି ତିଥିରେ ପ୍ରଭୁ ମର୍ତ୍ତ୍ୟ ବୈକୁଣ୍ଠ ରେ ପ୍ରକଟ ହୋଇଥିବାରୁ ଏହି ତିଥିକୁ ପ୍ରତିବର୍ଷ ପ୍ରକଟୋତ୍ସବ ଭାବେ ମହାସମାରୋହରେ ପାଳନ କରିବ । ପୁଷ୍ୟାଭିଷେକରେ ଶ୍ରୀଜୀଉ ଙ୍କ ଅଭିଷେକୋତ୍ସବ ପାଳନ କରିବାପରି ଏହିଦିନ ମଧ୍ୟ ଅଧିବାସିତ ଜଳରେ ଅଭିଷେକ କରିବ।

ଏହି କ୍ରମରେ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ନିଳାଦ୍ରୀ ମହୋଦୟ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ପାଳିତ ଅନ୍ୟ ମୁଖ୍ୟ ଦ୍ୱାଦଶ ଯାତ୍ରା ବ୍ୟତୀତ ତ୍ରୟୋଦଶ ଯାତ୍ରା ଭାବେ ନିଳାଦ୍ରୀ ମହୋଦୟ ସୁପରିଚିତ। ଏହା କୁ ଶ୍ରୀମନ୍ଦିର ର ପ୍ରତିଷ୍ଠା ଦିବସ ବୋଲି ମଧ୍ୟ କୁହାଯାଏ।

ଏହି ଦିନ ଶ୍ରୀମନ୍ଦିର ରେ ସକାଳ ଧୂପ ଓ ଆଲଟ ଲାଗି ସରିବା ପରେ ଭିତର ଗମ୍ଭିରାରେ ପାଣି ପଡି ପୂଜା ଠା’ ହୋଇଥାଏ। ପୂର୍ବ ଦିନରୁ ଭୋଗମଣ୍ଡପ ରେ ଅଧିବାସ ହୋଇଥିବା ୧୦୮ ଗଡୁ ଜଳକୁ ଗରାବଡୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ , ଛତ୍ର , କାହାଳି ସହ ପଟୁଆରରେ ଚାରି ଥରରେ ଚାରି ପନ୍ତି କରି ଜଳ ପୂର୍ଣ୍ଣ ଗଡୁମାନ ରତ୍ନସିଂହାସନ ନିକଟରେ ବିଜେ କରିବା ପରେ ଜଳ ପୂଜା ଓ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପୂଜାପଣ୍ଡା ସଂସ୍କାର ପୂର୍ବକ ଜଳ ଲାଗି କରନ୍ତି । ଜଳଲାଗି ଅବକାଶ ସମୟ ଭଳି ଦର୍ପଣ ଉପରେ ଲାଗି ହୋଇଥାଏ। ପରେ ପରେ ମଇଲମ , ନୂଆ ବସ୍ତ୍ର ଲାଗିହେବା ସହ ପୂଜାପଣ୍ଡା, ପତିମହାପାତ୍ର , ମୁଦିରସ୍ତ, ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର ପୂର୍ବକ ପାଳିଆ ପୁଷ୍ପାଳକଙ୍କ ସହ ଚନ୍ଦନ ସର୍ବାଙ୍ଗ କରାନ୍ତି। ତତ୍ ପଶ୍ଚାତ ଭିତରେ ପାଣି ପଡି ଧୁଆଯିବା ପରେ ମଧ୍ୟାହ୍ନ ଧୂପ ବଢିଥାଏ ତତ୍ପରେ ଅଷ୍ଟ ଦିଗପାଳ ଅନ୍ନ ବଳି ଦିଆଯାଇଥାଏ। ପରେ ଯାତ ଭୋଗ ଘଣ୍ଟ, ଛତ୍ର , କାହାଳି ସହ ଶ୍ରୀ ଛାମୁକୁ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି ଓ ଭୋଗ ସରିବା ପରେ ପାଣିପଡି ଧୋପାଖଳ ହୋଇ ତିନି ବାଡ଼ରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ। ତତ୍ପରେ ଆଜ୍ଞାମାଳ ପାଇ ଚଳନ୍ତି ବିଗ୍ରହ ଚାପକୁ ବିଜେ କରିଥାନ୍ତି।

ନିଳାଦ୍ରୀ ମହୋଦୟର ମହତ୍ଵ ତଥା ମହିମା ସ୍କନ୍ଦ ପୁରାଣ ରେ ପ୍ରତିପାଦିତ ହୋଇଛି ।

” ବୈଶାଖ ସ୍ୟାମଳେ ପକ୍ଷେ ଅଷ୍ଟମ୍ୟାଂ ପୁଷ୍ୟାଯୋଗତଃ । କୃତା ପ୍ରତିଷ୍ଠା ଭୋ ବିପ୍ରାଃ ଶୋଭନେ ଗୁରୁବାସରେ ।। ତଦ୍ଦିନଂ ସୁମହତ୍ ପୁଣ୍ୟଂ ସର୍ବପାପପ୍ରଣାଶନମ । ସ୍ନାନଂ ଦାନଂ ତପୋ ହୋମଃ ସର୍ଵମକ୍ଷଯ୍ୟମଶୃତେ ।। ଶୁକ୍ଳାଷ୍ଟମୀ ଯା ବୈଶାଖେ ଗୁରୁପୁଷ୍ୟାଯୁତା ଯଦା। ତସ୍ୟାମଭ୍ୟର୍ଚନଂ ବିଷ୍ଣୋଃ କୋଟିଜନ୍ମାଘନାଶନମ୍ ।। “

( ସ୍କନ୍ଦ ପୁରାଣ , ୨୭ ଅଧ୍ୟାୟ)

ସ୍ୱୟଂ ବ୍ରହ୍ମା ବୈଶାଖ ମାସର ପୁଷ୍ୟାଯୋଗଯୁକ୍ତ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାରରେ ଶ୍ରୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କଲେ । ସେହି ହେତୁ ଏଇ ଦିବସଟି ଅତ୍ୟନ୍ତ ପୁଣ୍ୟତମ ସର୍ବପାପ ବିନାଶ କାରୀ ଅଟେ। ଉକ୍ତ ଦିବସରେ ସ୍ନାନ,ଦାନ,ତପସ୍ୟା ଓ ହୋମଦି କାର୍ଯ୍ୟ କଲେ ଅକ୍ଷୟ ଫଳ ମିଳିଥାଏ। ଯେଉଁମନୁଷ୍ୟ ଏହି ଦିବସରେ ଭକ୍ତିପୂର୍ଣ୍ଣହୃଦୟ ରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରନ୍ତି ସେମାନେ କୋଟି ଜନ୍ମ ପାପରୁ ମୁକ୍ତି ଲାଭ କରିଥାନ୍ତି। (ସଂଗୃହିତ)

Comments are closed.