ବିଜେଡିର ମିଶନ ବ୍ରଜରାଜନଗର- ଏପଟେ ରଣନୀତି ବୈଠକ, ସେପଟେ ମାରାଥନ ପ୍ରଚାର

ଝାରସୁଗୁଡା : ବିଜେଡିର ମିଶନ ବ୍ରଜରାଜନଗର ପାଇଁ ଦଳ ସବୁ ଝାରସୁଗୁଡାରେ ଘନ ଘନ ମାରାଥନ ବୈଠକ ଜାରି ରହିଛି। ନିର୍ବାଚନ ଦାୟିତ୍ବରେ ଥିବା ସମସ୍ତ ହେଭିୱେଟ ନେତା ଏବଂ ନିର୍ବାଚନ ମଣ୍ଡଳୀର ସକ୍ରିୟ କର୍ମୀଙ୍କୁ ନେଇ ଆଜି ଏକ ଘରୋଇ ହୋଟେଲରେ ବୈଠକ କରି ରଣନୀତି ସ୍ଥିର କରିଛନ୍ତି। ସେପଟେ, ବ୍ରଜରାଜନଗର ପୌର ପରିଷଦ ଅନ୍ତର୍ଗତ ଲମଟିବାହାଲରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ତଥା ପ୍ରଚାର ସଭା ଅନୁଷ୍ଠିତ ହୋଇଛି। ଏଥିରେ ଦଳର ବହୁ ହେଭିୱେଟ ନେତା ସାମିଲ ହୋଇଥିଲେ।

ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମନ୍ତ୍ରୀ ସମୀର ଦାସଙ୍କ ସମେତ ଦେବୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ମଞ୍ଚାସୀନ ରହି କର୍ମୀଙ୍କୁ ବିଜୟର ମନ୍ତ୍ର ଦେଇଥିଲେ। ଏଥିରେ ପ୍ରାୟ 2 ଡଜନରୁ ଅଧିକ ବିଧାୟକ ଏବଂ ବରିଷ୍ଠ ନେତା ସାମିଲ ହୋଇଥିଲେ। ସେହିପରି ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ଦଳର ବହୁ ହେଭିୱେଟ୍ ନେତା ଦିନତମାମ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମାରାଥନ ପ୍ରଚାର କରି ଦଳକୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଦିବଂଗତ ନେତା କିଶୋର ମହାନ୍ତିଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିକାଶ ଧାରାକୁ ତାଙ୍କ ଧର୍ମପତ୍ନୀଙ୍କ ଦ୍ବାରା ଅବ୍ୟାହତ ରଖିବାକୁ ଆହ୍ବାନ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ନେଇ ସବୁ ନେତା ପ୍ରତି ଗାଁ ଗାଁରେ ପ୍ରଚାରକୁ ଜୋରଦାର କରିଛନ୍ତି। ସେପଟେ, କିଶୋରଙ୍କ ଅନୁପସ୍ଥିତିରେ ଅଳକାଙ୍କୁ ପାଇ ଲୋକେ ବି ଭାବବିହ୍ବଳ ହୋଇଯାଉଥିବା ଦେଖିବାକୁ ମିଳିଛି।

Comments are closed.