ପୁଣି ବ୍ରଜରାଜନଗର ଦଖଲ ଟାର୍ଗେଟରେ ବିଜେଡି: ଅଳକାଙ୍କୁ ଦେଖି ଲୋକେ ଉତ୍ସାହିତ

ଝାରସୁଗୁଡା : ପୁଣି ନିଜ ଗଡ ଦଖଲ ଲକ୍ଷ୍ୟରେ ବିଜେଡି। ବ୍ରଜରାଜନଗର ଉପ ନିର୍ବାଚନରେ ବାଜିମାତ କରିବାକୁ ଦଳ ପୁରା ଦମରେ ମଇଦାନକୁ ଓହ୍ଲାଇଲାଣି। ଦିବଂଗତ ନେତା କିଶୋର ମହାନ୍ତିଙ୍କ ଏହି ଆସନକୁ ପୁଣି ଥରେ ହାତେଇବାକୁ ଦଳ ଜବରଦସ୍ତ ରଣନୀତି ପ୍ରସ୍ତୁତ କରି ପ୍ରଚାରକୁ ଜୋରଦାର କଲାଣି। ଏଥିପାଇଁ ଦଳ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କରିଥିବା ବେଳେ ଏହାବାଦ୍ ଓଡିଶାର ପ୍ରତିଟି ପ୍ରାନ୍ତର ଦଳର ହେଭିୱେଟ୍ ନେତା ବି ଏବେ ବ୍ରଜରାଜନଗରରେ ଡେରା ପକାଇବା ଆରମ୍ଭ କରିଛନ୍ତି। ସେପଟେ, ବିଜେଡିର ମହିଳା ମୋର୍ଚ୍ଚାର ଛାମୁଆ ନେତ୍ରୀଙ୍କ ଏକ ଦଳ ସହିତ ପ୍ରାର୍ଥୀ ଅଳକା ମହାନ୍ତି ପ୍ରଚାରକୁ ସରଗରମ କରି ଦେଲେଣି। ଦିବଂଗତ ନେତା କିଶୋରଙ୍କ ଅନୁପସ୍ଥିତିରେ ଅଳକାଙ୍କୁ ଦେଖି ଲୋକେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି।

 

୧୯୬୧ ମସିହାରେ ଗଠିତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଗତ ୨୦୧୯ ସୁଦ୍ଧା ସିପିଆଇ, କଂଗ୍ରେସ ଏବଂ ବିଜେପି ହାତରେ ରହି ଆସିଥିଲା। ହେଲେ ଗତ ୨୦୧୯ରେ ବିଜେଡି ପ୍ରଥମ କରି ଏହି ଆସନକୁ ଦଖଲ କରିଥିଲା। ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଏଠାରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ତେବେ, କିଶୋର ଯଦିଓ ଏହି ଆସନରୁ ପ୍ରଥମ ଥର ଛିଡା ହୋଇଥିଲେ, ଏହି ଆସନ ତାଙ୍କ ପାଇଁ ନୂଆ ନଥିଲା। ଜିଲ୍ଲାରେ ବିଜେଡିର ପ୍ରତିଷ୍ଠାତା ଭାବେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ପ୍ରତିଟି ଗାଁରେ ତାଙ୍କ କର୍ମୀ ଓ ଅନୁଗତ ରହି ଆସିଥିଲେ। ଆଉ ସେ ବିଧାୟକ ହେବା ପରେ ତାଙ୍କ ଲୋକପ୍ରିୟତା ଘରେ ଘରେ ପହଞ୍ଚି ଯାଇଥିଲା, ଯାହାକି ତାଙ୍କର ଆକସ୍ମିକ ଦେହାନ୍ତ ପରେ ପ୍ରତିଫଳିତ ହୋଇଥିଲା।

ତେବେ, ତାଙ୍କ ଦେହାନ୍ତ ପରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନରେ ଧର୍ମପତ୍ନୀ ଅଳକା ଦଳୀୟ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଆଉ ତାଙ୍କୁ ଜିତାଇବାକୁ ବିଜେଡି ପୁରା ଦମ୍ ଲଗାଇ ଦେଇଛି। ମନ୍ତ୍ରୀ ନବ ଦାସଙ୍କ ନେତୃତ୍ବରେ ଦଳର ଯୁବ, ଛାତ୍ର, ମହିଳା ଆଦି ସବୁ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଘନ ଘନ ବୈଠକ ଚାଲିଛି। ସେପଟେ, ବ୍ରଜରାଜନଗରର ଆରାଧ୍ୟ ଦେବୀ ମାଁ ଚଣ୍ଡୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଅଳକା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ତେବେ, ପ୍ରଚାର ବେଳେ କିଶୋରଙ୍କ ଲୋକପ୍ରିୟତା, ଅମାୟିକ ବ୍ୟବହାର ଏବଂ ସେବା କାମକୁ ଲୋକେ ବାହୁନି ହେଉଥିବା ଦେଖିବାକୁ ମିଳୁଛି। ଆଉ ଏହା ହିଁ ଅଳକାଙ୍କୁ ବିଜୟୀ କରାଇବ ବୋଲି ଚର୍ଚ୍ଚ। ଆରମ୍ଭ ହେଲାଣି।

ସେପଟେ, ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଜାରି କରାଯାଇଛି। ପ୍ରତି ୨ଟି ପଞ୍ଚାୟତକୁ ଜଣେ ଲେଖାଏଁ ମନ୍ତ୍ରୀ ଏବଂ ୨ ଜଣ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି।

Comments are closed.