‘କଣ୍ଢେଇ ଯାତ୍ରା’କୁ ଅନ୍ତର୍ଜାତୀୟ ସିନେ ପୁରସ୍କାର

ବ୍ରହ୍ମପୁର: ରେଶମ ସହରର ପ୍ରାୟ ୩୦୦ ବର୍ଷରୁ ଅଧିକ ପ୍ରାଚୀନ କଳା ଓ ସଂସ୍କୃତିର ନିଦର୍ଶନ କଣ୍ଢେଇ ଯାତ୍ରା। କାହିଁ କେଉଁ ରାଜାରାଜୁଡ଼ା ଅମଳରୁ ସହରର ବଡ଼ବଜାର ଖାସପା ସାହି ଅଞ୍ଚଳରେ ବାହୁଡ଼ା ଯାତ୍ରାର ଅନ୍ତିମ ପର୍ବ ଅର୍ଥାତ୍ ଶ୍ରାବଣ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ତିଥିରେ ଆୟୋଜିତ ହୋଇ ଆସୁଛି ଏହି ଯାତ୍ରା ଯେଉଁଥିରେ କେବଳ ଏ ସହରବାସୀ ନୁହଁନ୍ତି, ବରଂ ଆଖପାଖ ଗ୍ରାମାଞ୍ଚଳରୁ ମଧ୍ୟ ଲୋକେ ଆସି ସ୍ବତଃପ୍ରବୃତ୍ତ ସାମିଲ ହେଉଥିଲେ। ମାଟି କାରିଗରଙ୍କ ହାତତିଆରି ମାଟି- ଗୋବର କଣ୍ଢେଇ ସାଙ୍ଗକୁ କାଠ, କଥା, କାଗଜ ଓ ପରବର୍ତ୍ତୀ ସମୟରେ ମିଠା ଶର୍କରାରେ ତିଆରି ଖେଳନା, ଆଧୁନିକ ସମୟରେ ପ୍ଲାଷ୍ଟିକ୍, ରବର ଓ ଅନ୍ୟ ସାମଗ୍ରୀରେ ତିଆରି ଖେଳନା କିଣାବିକା ହୋଇ ଆସୁଥିଲା। ଅର୍ଥାତ୍ ପ୍ରାଚୀନ ଯୁଗରୁ ଆଧୁନିକ ସମୟ ପର୍ଯ୍ୟନ୍ତ ପରମ୍ପରାକୁ ନିଜ ଭିତରେ ସମାହିତ କରିଥିଲା ଏଇ ପୁରାତନ ଜନଯାତ୍ରା। ହେଲେ ଆଧୁନିକ ସମୟର ତାଡ଼ନାରେ ଧିରେ ଧିରେ ନିଷ୍ପ୍ରଭ ହୋଇ ଚାଲିଥିଲା କଣ୍ଢେଇ ଯାତ୍ରା। ତାର ଆଦୃତି କମି ଚାଲିଥିଲା। ସୀମିତ ପରିସରକୁ ହ୍ରାସ ପାଇ ଆସିଥିଲା ଯାତ୍ରାର କଳେବର। ତଥାପି ଜାରି ରହିଥିଲା ଏଇ ପରମ୍ପରା। ହେଲେ ବିଶ୍ୱ ମହାମାରୀ କରୋନା ସତେ ଯେମିତି ତାହା ଉପରେ ପ୍ରଚଣ୍ଡ ପ୍ରହାର କରିଥିଲା। ରଥଯାତ୍ରା ବନ୍ଦ ରହିବା ସହ ବନ୍ଦ ହୋଇଯାଇଛି କଣ୍ଢେଇ ଯାତ୍ରା। ତେବେ ଚଳିତ ବର୍ଷ ପୁଣି ଥରେ ଘୋଷଯାତ୍ରା ହେବାକୁ ଯାଉଛି। ଭକ୍ତଙ୍କ ଗହଣରେ ଠାକୁର ରଥରେ ବସି ଯାତ୍ରା କରିବେ। ଏଣୁ ଏଥର ବାହୁଡ଼ା ଯାତ୍ରା ପରେ ପୁଣି କଣ୍ଢେଇ ଯାତ୍ରା ଅନୁଷ୍ଠିତ ହେବାର ଆଶା ଉଜ୍ଜଳ ହୋଇ ଉଠିଛି। କୌଣସି ଆୟୋଜକଙ୍କ ବିନା ସ୍ଥାନୀୟ ଓ ଆଖପାଖ ଅଞ୍ଚଳର କଣ୍ଢେଇ ବେପାରୀଙ୍କ ସ୍ବତଃଅଂଶଗ୍ରହଣ ଫଳରେ ପୁଣି ଥରେ ଏଇ ପରମ୍ପରା ଉଜ୍ଜୀବିତ ହୋଇ ଉଠିବ ବୋଲି ଆଶା କରୁଛନ୍ତି ସଂସ୍କୃତିପ୍ରେମୀ।

ତେବେ ବାସ୍ତବରେ କଣ ହେବ, ତାହା ତ ଆଗାମୀ ଦିନରେ ଜଣାଯିବ। କିନ୍ତୁ ଏଇ ପ୍ରାଚୀନ ପରମ୍ପରାକୁ ରୂପେଲି ପରଦାରେ ପ୍ରଦର୍ଶିତ କରାଇଛନ୍ତି ବ୍ରହ୍ମପୁରର ସିନେ ନିର୍ଦ୍ଦେଶକ ଇଁ ସନ୍ନ୍ୟାସୀ ମହାରଣା। ସ୍ଥାନୀୟସ୍ତରରୁ ଆରମ୍ଭ କରି ଅନ୍ତର୍ଜାତୀୟ ମଞ୍ଚରେ ନେଇ ପହଞ୍ଚାଇଛନ୍ତି। ଆମେରିକାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କଳା ସଂସ୍କୃତି ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ମଧ୍ୟ ହୋଇଛି ଡକ୍ୟୁମେଣ୍ଟାରୀ ଫିଲ୍ମ ‘କଣ୍ଢେଇ ଯାତ୍ରା’। ଏଇ ଚଳଚ୍ଚିତ୍ରଟି ନିଜର ସ୍ୱତନ୍ତ୍ରତା ତଥା ଭିନ୍ନ ସ୍ବାଦ ନିମନ୍ତେ ହାସଲ କରିଛି ବେଷ୍ଟ କ୍ରିଟିକ୍‌ସ୍‌ ଚଏସ୍ ଆୱାର୍ଡ। ୧୯୫ଟି ଦେଶର ୨୦୦୦ରୁ ଅଧିକ ସିନେମା ମଧ୍ୟରେ ସ୍ୱତନ୍ତ୍ର ବିଚାରକ ପସନ୍ଦ ବିଭାଗରେ ପୁରସ୍କାର ପାଇଛି ବ୍ରହ୍ମପୁରର ପ୍ରାଚୀନ ଲୋକ ସଂସ୍କୃତିକୁ ଦର୍ଶାଉଥିବା କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘କଣ୍ଢେଇ ଯାତ୍ରା’।

ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦାୟିତ୍ବରେ ନିଜେ ଇଁ. ସନ୍ୟାସୀ ମହାରଣା ଥିବା ବେଳେ ପ୍ରସ୍ତୁତି କ୍ଷେତ୍ରରେ ମାର୍ଗଦର୍ଶକ ସାଜିଥିଲେ ନାଟ୍ୟ ଭାରତୀ ତ୍ରିପତି ନାୟକ। ଚିତ୍ରୋତ୍ତଳନରେ ଟୁଟୁ ପ୍ରଧାନ, ପୋଷ୍ଟର୍ ଡିଜାଇନ୍‌ରେ ଟିକିରି ବେହେରା ଏବଂ ସମ୍ପାଦନାରେ ରିପନ୍‌ ସହଯୋଗ କରିଥିଲେ। ଉଦୀୟମାନ ଯୁବ ଉପସ୍ଥାପିକା ଜ୍ୟୋତିର୍ମୟୀ ପାତ୍ରଙ୍କ ପ୍ରଚ୍ଛଦ କଣ୍ଠର ସଂଯୋଜନାରେ ଭିନ୍ନତା ପାଇଁ ସ୍ବତନ୍ତ୍ର ବିଚାରକ ପସନ୍ଦ ବିଭାଗରେ ଏହି ସିନେମାଟି ଶ୍ରେଷ୍ଠ ପ୍ରତିପାଦିତ ହୋଇପାରିଛି। କଳା ସଂସ୍କୃତି ସମ୍ପନ୍ନ ଅଥଚ ଲୋପ ପାଇବାକୁ ବସିଥିବା ଏହି ଯାତ୍ରା ବିଶେଷାଙ୍କର ଚିତ୍ରଣ ଦର୍ଶକ ଏବଂ ବିଚାରକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏତେ ବଡ଼ ମଞ୍ଚରେ ଏକାଥରରେ ବିଶ୍ଵର ୧୯୫ ଦେଶରେ ପ୍ରଦର୍ଶିତ ହୋଇ ଏଭଳି ସଫଳତା ପାଇବା ନିହାତି ଭାବରେ ଏକ ଭବ୍ୟ ଉପଲବ୍ଧି ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ ଇଁ ମହାରଣା। ଆଗକୁ କଣ୍ଢେଇ ଯାତ୍ରା ଅଶୋକା ଜାତୀୟ ସିନେ ମହୋତ୍ସବ ପାଇଁ ମନୋନୟନ ପ୍ରକ୍ରିୟାରେ ରହିଥିବା ସୂଚନା ଦେଇଛନ୍ତି ସେ। ଏହି ଚଳଚ୍ଚିତ୍ର ଟିମକୁ ରାଜ୍ୟ ତଥା ଦେଶର ସିନେ ଜଗତ ସହ ସମ୍ପୃକ୍ତ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନରୁ ତଥା କଳା ଏବଂ କଳାକାର ଜଗତର ଅନେକ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.