କର୍ଲାକୋଟ ସମଲେଶ୍ବରୀ ହାଇସ୍କୁଲରେ ଅଘଟଣ, ଛାତ୍ରୀ ନିବାସରୁ କଙ୍କାଳ ଠାବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କର୍ଲାକୋଟ ସମଲେଶ୍ଵରୀ ହାଇସ୍କୁଲ ଛାତ୍ରୀ ନିବାସରୁ ଆଜି ଏକ କଙ୍କାଳ ଠାବ ହୋଇଛି ଉଦ୍ଧାର ହୋଇଥିବା କଙ୍କାଳକୁ ନେଇ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଟଣା ଓଟରା ଲାଗିଛି । ମାଙ୍କଡ କିମ୍ବା କଟାସର କଙ୍କାଳ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଥିବା ବେଳେ ଏହା ନରକଙ୍କାଳ ବୋଲି ଗ୍ରାମବାସୀ ସନ୍ଦେହ କରିଛନ୍ତି । ସୂଚନାନୁଯାୟୀ , କିଛି ବର୍ଷ ତଳେ ବୋଡ଼େନ ଥାନା କର୍ଲାକୋଟ ସମଲେଶ୍ଵରୀ ହାଇସ୍କୁଲରେ ଆଦିବାସୀ ଛାତ୍ରୀ ମାନଙ୍କ ପାଇଁ ଶହେଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ହୋଇଥିଲା । ଏହି ଛାତ୍ରୀ ନିବାସ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିଲେ ବି ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇନାହିଁ । ଗତ କୋଭିଡ଼ ସମୟରେ ଏହି କୋଠାଗୃହକୁ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଥିଲା । ସେହିଦିନ ଠାରୁ ଏହି କୋଠାଗୃହ ବନ୍ଦ ଥିଲା । କୋଠାଗୃହର ଝରକାରେ ଜାଲି ଲାଗିଥିବା ବେଳେ ବାହାର ପଟ କବାଟ ତାଲା ବନ୍ଦ ରହିଥିଲା କୋଠାଟି ବର୍ଷାଧୂକ କାଳ ବନ୍ଦ ପଡିଥିବା ବେଳେ ଆଜି ଅପରାହ୍ନରେ ଗାଁର ପିଲାମାନେ ଲୁଚକାଳି ଖେଳୁଥିବା ସମୟରେ ହଷ୍ଟେଲ ନିକଟକୁ ଚାଲି ଯାଇଥିଲେ । ସେଠାରେ ଝରକା ଖୋଲା ଥିବା ସହ କୋଠା ଭିତରେ ଏକ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳର ଲୋକଙ୍କ ଗହଳି

ଲାଗିଥିଲା । ଏହା ଏକ ନରକଙ୍କାଳ ବୋଲି ଲୋକେ ଦାବି କରିଥିଲେ । ମଣିଷକୁ ମାରି କୋଠାରେ ଫିଙ୍ଗି ତାଲାମାରି ଦେଇଥିବା ସନ୍ଦେହ କରିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ସନ୍ଧ୍ୟାରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନାଙ୍କ ନେତୃତ୍ବରେ ଏକ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଥିଲା । କୋଠରୀର କବାଟ ଖୋଲି ପୁଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଥିଲା । ଏହି କଙ୍କାଳ ୩ ମାସରୁ ଊର୍ଦ୍ଧ୍ବ ସମୟ ହୋଇଥିବାରୁ ଦୁର୍ଗନ୍ଧ ମଧ୍ୟ ଆସୁନଥିଲା । ମୃତଦେହକୁ ପୋକ ଖାଇ ଯାଇଥିବା ବେଳେ ମାଂସ ଓ ଦେହର ଚମଡା ପଚିସଢି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଏକ ମୁଣ୍ଡର ଖପୁରୀ , ଗୋଡ ଓ ହାତର ନଳି ହାଡ , ପାଦ ଓ ପାପୁଲି ପଡିରହିଛି । ପାରିପାର୍ଶ୍ବକ ସ୍ଥିତି ଓ କଙ୍କାଳର ଅବସ୍ଥିତିକୁ ନେଇ ଏହା ଏକ ନର କଙ୍କାଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୁଲିସର ପ୍ରାଥମିକ ତଦନ୍ତରୁ ଏହା ମାଙ୍କଡ କିମ୍ବା କଟାସ ତଥା ଭୁଆଁ ବିରାଡି ( ବହଁକା ) ବୋଲି ଅନୁମାନ କରିଛି । ଝରକା ପଡ଼ୁ ଏହି ଜନ୍ତୁଟି ଭିତରକୁ ପଶି ବାହାରି ନପାରି ଭୋକ ଉପାସରେ ମରିଥିବା ପୁଲିସ ଆଶଙ୍କା କରିଛି । କୋଠାଗୃହର ବାହାର ପଟେ ତାଲା ବନ୍ଦ ରହିଥିବା ବେଳେ ଝରକାରେ ଜାଲି ଲଗିଛି । ଏଭଳି ସ୍ଥିତିରେ ମାଙ୍କଡ କିମ୍ବା କଟାସ କିଭଳି ପରିସ୍ଥିତିରେ ଭିତରକୁ ପଶିଲା ? ଯଦି ଭିତରକୁ ପଶିଲା , ତେବେ ସେହି ରାସ୍ତାରେ କାହିଁକି ପଦାକୁ ବାହାରି ପାରିନଥିଲା । ଏଥୁରୁ ଘଟଣାକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ଏହା ନରକଙ୍କାଳ ଭଳି ଦେଖାଯାଉଥିବା ବେଳେ ପୁଲିସ ଏହାକୁ ହାଲୁକା ଭାବେ ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସନ୍ଧ୍ୟାରେ ପୁଲିସ ହାଡ , ଖପୁରୀକୁ ଜବତ କରି ନେଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି । ଏନେଇ ଖଡ଼ି ଆଳ ଏସଡିପିଓ ଶ୍ରୀ ଜେନାଙ୍କୁ ପଚାରିବାରୁ , ଏହା ମଣିଷର କଙ୍କାଳ ନୁହେଁ , ମାଙ୍କଡ କିମ୍ବା କଟାସ ଭଳି ଜନ୍ତୁର କଙ୍କାଳ । କଙ୍କାଳ ଜବତ କରି ତଦନ୍ତ ଚାଲିଥିବା କହିଛନ୍ତି ।

Comments are closed.