ଆହତ ବ୍ୟକ୍ତିଙ୍କୁ ମେଡିକାଲ ନେଇ ମାନବିକତା ଦେଖାଇଲେ ଉପଜିଲ୍ଲାପାଳ

ସମ୍ବଲପୁର: ସମ୍ବଲପୁର ଉପଜିଲ୍ଲାପାଳ ଆଇଏଏସ ମୟୂର ସୂର୍ଯ୍ୟବଂଶୀ ବିକାଶ ଶନିବାର ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେଇ ମାନବିକତାର ପରିଚୟ ଦେଇଛନ୍ତି।
ଶନିବାର ଏକ ସରକାରୀ କାର୍ଯ୍ୟକ୍ରମ ସାରି ଉପଜିଲ୍ଲାପାଳ ହୀରାକୁଦରୁ ସମ୍ବଲପୁରକୁ ଫେରୁଥିଲେ। ଏହି ସମୟରେ ଚାଲି ଚାଲି ଯାଉଥିବା ଅଇଁଠାପାଲିର ରଂଜିତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଟ୍ରକ ବରେଇପାଲି ଛକ ନିକଟରେ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିଲେ। ବାଟରେ ଯାଉଥିବା ଲୋକେ ବି କେହି ସହଯୋଗ ପାଇଁ ଆସିନଥିଲେ। ଏତିକି ବେଳେ ଉପଜିଲ୍ଲାପାଳ ତୁରନ୍ତ ଏହା ଦେଖି ଗାଡି ଅଟକାଇ ଆହତଙ୍କୁ ନିଜ ଗାଡିରେ ନେଇ ବୁର୍ଲା ମେଡିକାଲରେ ପହଞ୍ଚାଇଥିଲେ। ବିଳମ୍ବ ହେଲେ ଜୀବନ ସଂକଟରେ ପଡିବାର ଆଶଙ୍କା କରି ସେ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ନିଜେ ମେଡିକାଲ ନେଇଥିଲେ। ସେଠାରେ ରଂଜିତଙ୍କୁ ଭର୍ତ୍ତି କରି ଚିକିତ୍ସା ଚାଲିଛି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଅଟକ ରଖିଛି। ତେବେ ଉପଜିଲ୍ଲାପାଳଙ୍କ ଏଭଳି ମହତ କାମକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Comments are closed.