ଏମ୍‌କେସିଜିକୁ ନେଇ ତୁଚ୍ଛ ରାଜନୀତି କରୁଛନ୍ତି ବିରୋଧୀ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇ ବିଜେପି ଓ କଂଗ୍ରେସର ତୁଚ୍ଛ ରାଜନୀତି ପଦାରେ ପଡ଼ିଛି। ତଥାକଥିତ ଡାକ୍ତରଙ୍କ ଅଭାବ, ବିଭିନ୍ନ ବିଭାଗ ଓ ଉପକରଣ ଅଚଳ ହେବା, ଦ୍ବିତୀୟ ଫାଟକ ନଖୋଲିବା ଆଦି ପ୍ରସଙ୍ଗକୁ ନେଇ ହୀନ ରାଜନୀତି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଶେଷ କରି ବିଜେପି ତଳଦିନରେ ଯେଭଳି ତିନିଦିନିଆ ଲୋକଦେଖାଣିଆ ଧାରଣା କରିଥିଲା ତାହାର ପର୍ଦ୍ଦାଫାଶ କରିଛି ବିଜେଡି। ବ୍ରହ୍ମପୁର ସର୍କିଟ୍ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବିରୋଧୀଙ୍କ ସମସ୍ତ ଅଭିଯୋଗ ଖଣ୍ଡନ କରିବା ସହ ରାଜ୍ୟ ସରକାର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ବିକାଶ ନେଇ କଣ ସବୁ କାର୍ଯ୍ୟ କରିଛନ୍ତି ତାହାର ବିବରଣୀ ରଖିଛନ୍ତି। ଆଉ ସେମାନେ ସ୍ପଷ୍ଟ କରିଛନ୍ତି ଯେ ଲୋକଙ୍କ ସ୍ବାସ୍ଥ୍ୟସେବା କିମ୍ବା ଏମ୍‌କେସିଜି ପ୍ରତି ବିଜେପିର ଦରଦ ନାହିଁ, କେବଳ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜନୀତି ଚାଲ୍ ଖେଳୁଛି।

ବ୍ରହ୍ମପୁର ବଡ଼ ଡାକ୍ତରଖାନା ଉପରେ ତଳ ଦିନରେ ସାରା ଦକ୍ଷିଣ ଓଡ଼ିଶାର ବାସିନ୍ଦା ନିର୍ଭର କରୁଥିଲେ। ହେଲେ ସେହି ଚାପ ହ୍ରାସ ପାଇଁ ରାଜ୍ୟ ସରକାର କୋରାପୁଟରେ ଏକ ମେଡିକାଲ କଲେଜ ହସପିଟାଲ୍ ଖୋଲିଛନ୍ତି। ସେହିପରି ଆଦିବାସୀ ବହୁଳ କନ୍ଧମାଳର ଫୁଲବାଣୀରେ ମଧ୍ୟ ଆଉ ଏକ ମେଡିକାଲ କଲେଜ ହସପିଟାଲ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ଏହାଦ୍ବାରା ଦକ୍ଷିଣ ଓଡ଼ିଶାର ବ୍ୟାପକ ଅଞ୍ଚଳବାସୀଙ୍କୁ ନିଜ ନିକଟ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳିବା ସ୍ପଷ୍ଟ। ତେବେ ବର୍ତ୍ତମାନ ପାଇଁ ଆଖପାଖ ବିଭିନ୍ନ ଜିଲ୍ଲାର ବାସିନ୍ଦା ଦୁଃରାରୋଗ୍ୟ ଓ ବ୍ୟୟବହୁଳ ଖର୍ଚ୍ଚ ତଥା ଅତି ଜରୁରିକାଳୀନ ସ୍ବାସ୍ଥ୍ୟସେବା ପାଇଁ ଏମକେସିଜିକୁ ଆସିଥାନ୍ତି। ଏଠାରେ ନିକଟ ଅତୀତରେ ଉନ୍ନତ ଯନ୍ତ୍ରପାତି, ବହୁତଳ କୋଠା, ସିଧାସଳଖ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ଆଦି ଉପଲବ୍ଧ କରାଇଛନ୍ତି ରାଜ୍ୟ ସରକାର। ରୋଗୀଙ୍କୁ ଡାକ୍ତର ଚିକିତ୍ସା କରିବା, ଔଷଧ, ବିଭିନ୍ନ ଡାକ୍ତରୀ ପରୀକ୍ଷା ଓ ନିଦାନ ସୁବିଧା ମାଗଣାରେ ପାଇପାରୁଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ I ତଥାପି କିଛିଟା ସମସ୍ୟା ରହିଛି। ସାରା ଦେଶ ଭଳି ଆମ ରାଜ୍ୟରେ ଥିବା ଡାକ୍ତର ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ହସପିଟାଲ୍ ପ୍ରତିଷ୍ଠା ପ୍ରକ୍ରିୟା ଜାରି ରଖିଛନ୍ତି। ଏଣୁ ଆବଶ୍ୟକତା ପୂରଣ ତଥା କେନ୍ଦ୍ରୀୟ ଡାକ୍ତରୀ ସଂସ୍ଥା ଗାଇଡ୍‌ଲାଇନ୍ ଦୃଷ୍ଟିରୁ ଏମ୍‌କେସିଜିରୁ କିଛି ଡାକ୍ତରଙ୍କୁ ବଦଳି କରିଥିଲେ। ସେମାନଙ୍କ ସ୍ଥାନରେ ନୂତନ ଡାକ୍ତରଙ୍କୁ ପର୍ଯ୍ୟାୟକ୍ରମେ ନିଯୁକ୍ତ ଦିଆଯାଉଛି। ହେଲେ ବିଜେପି ଓ କଂଗ୍ରେସ ଏହାକୁ ନେଇ ଆରମ୍ଭ କରି ଦେଇଥିଲେ ରାଜନୀତି। ଏମ୍‌କେସିଜିରେ ଡାକ୍ତରଙ୍କ ଅଭାବ ଥିବା ବେଳେ ସରକାର ପୁଣି ଡାକ୍ତର ବଦଳି କରି ଏହାକୁ ପଙ୍ଗୁ କରିଦେବାକୁ ବସିଛନ୍ତି ବୋଲି ଅପପ୍ରଚାର ଖେଳାଇଥିଲେ। ଏଥିପାଇଁ ୩ ଦିନିଆ ଧାରଣା ମଧ୍ୟ ଦେଇଥିଲା ବିଜେପି। କିଛି କଂଗ୍ରେସ ନେତା ସୋସିଆଲ୍ ମିଡିଆରେ ଏ ନେଇ ରାଜ୍ୟ ସରକାର ଓ ବିଜେଡି ଜନପ୍ରତିନିଧିଙ୍କୁ ଟାର୍ଗେଟ୍ କରିଥିଲେ। ତାହା ତ ନିଷ୍ଫଳ ହୋଇଛି, ଓଲଟି ସାମ୍ବାଦିକ ସମ୍ମିଳନୀରେ ବିଜେଡି ତାହାର ପର୍ଦ୍ଦାଫାଶ ମଧ୍ୟ କରିଛି।

ଏମ୍‌କେସିଜିରେ ସହଯୋଗୀ ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକଙ୍କ ପଦୋନ୍ନତି ଓ ନିୟମିତ ବଦଳିକୁ ଅପପ୍ରଚାର କରି ଡାକ୍ତର ଅଭାବ ବୋଲି ଦେଖାଉଛି ବିଜେପି। ବାସ୍ତବରେ ଏମ୍‌କେସିଜିର ୩୫ଟି ବିଭାଗରେ ମୋଟ ୩୯ ପ୍ରାଧ୍ୟାପକଙ୍କ ମଧ୍ୟରୁ ୩୫ ଜଣ କାର୍ଯ୍ୟରତ ଅଛନ୍ତି। ୮୧ଟି ସହଯୋଗୀ ପ୍ରାଧ୍ୟାପକ ପଦବିରୁ ୫୧ଟି ଓ ୧୬୩ ସହକାରୀ ପ୍ରାଧ୍ୟାପକ ପଦବିରୁ ୧୫୨ ସ୍ଥାନରେ ଉପଯୁକ୍ତ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି। ଚଳିତ ମାସ ୧୭ ଓ ୧୯ ତାରିଖରେ ଏଠାରେ ୧୧ ଜଣ ସହକାରୀ ପ୍ରାଧ୍ୟାପକ, ୧୬ ଜଣ ଟ୍ୟୁଟର୍ ଓ ୪ ଜଣ ସିନିୟର ରେସିଡେଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ବଳକା ପଦବି ଶୀଘ୍ର ପୂରଣ କରାଯିବାର ପଦକ୍ଷେପ ନିଆଯାଉଛି।

ବିଜେପିର ଲୋକଦେଖାଣିଆ ରାଜନୀତିର ଉଦାହରଣ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ଜିଲ୍ଲାର ଇଷ୍ଟ ଦେବୀ ତଥା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରାତାରିଣୀ ମନ୍ଦିରର ନୂତନ ଓ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାକୁ ଆସିବା ସମୟରେ ହିଁ ଦଳ ଏମ୍‌କେସିଜି ପରିସରରେ ଧାରଣା ଦେଇଥିଲା। ତା ପୂର୍ବରୁ ଏହି ପାର୍ଟିକୁ ଯେମିତି ରୋଗୀ ଓ ଚିକିତ୍ସା ସେବା ନେଇ କେବେ କୌଣସି ଚିନ୍ତା ହୋଇ ନଥିଲା। ଆହୁରି ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଏମ୍‌କେସିଜି ଭିତ୍ତିଭୂମି ବିକାଶ ବାବଦରେ ରାଜ୍ୟ ସରକାର ୪୯୦ କୋଟି ଟଙ୍କା ବ୍ୟୟ କରିଥିବା ବେଳେ ଆହୁରି ୨୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନିକଟ ଅତୀତରେ ଖୋଲିଛି ସର୍ଜିକାଲ ଗ୍ୟାଷ୍ଟ୍ରୋ ଏଣ୍ଡ୍ରୋଲୋଜି ବିଭାଗ, ସୁପର ସ୍ପେଶାଲିଟି ବିଲ୍ଟିଂ। ଟ୍ରମା କେୟାର୍ ସେଣ୍ଟର ନବୀକରଣ କରାଯାଇଛି। ଏମ୍‌ବିବିଏସ୍ ସିଟ୍ ସଂଖ୍ୟା ୨୫୦କୁ ବୃଦ୍ଧି ସହ ପିଜି ସିଟ୍ ମଧ୍ୟ ବଢ଼ିଛି। ୨୦ ଶଯ୍ୟା ବଦଳରେ ଏବେ ୪୫ଟି ବେଡ୍ ଥିବା ଆଇସିୟୁ ଉପଲବ୍ଧ। ଆହୁରି ୭୮ ଶଯ୍ୟା ବିଶିଷ୍ଟ ଆଇସିୟୁ ନିର୍ମାଣାଧୀନ ଅଛି। ଫଳରେ ଗୁରୁତର ରୋଗୀଙ୍କ ଚିକିତ୍ସା ଏଠି ସୁବିଧାରେ ହୋଇପାରିବ। ସର୍ଜରୀ ୟୁନିଟ୍‌ରେ ବର୍ଣ୍ଣ କେୟାର ୟୁନିଟ୍ ଖୋଲିବାକୁ ଯୋଜନା ହୋଇଛି।

ସେହିପରି ଏହି ସ୍ବାସ୍ଥ୍ୟ ଅନୁଷ୍ଠାନର ଦ୍ବିତୀୟ ଫାଟକ (ବସଷ୍ଟାଣ୍ଡ ପାର୍ଶ୍ୱ) ଖୋଲିବାକୁ ନେଇ ଅପପ୍ରଚାର କରାଯାଉଛି। ନିକଟରେ ଏମ୍‌କେସିଜି ପରିସର ସମସ୍ତ ରାସ୍ତା ନୂଆ କରି ନିର୍ମାଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଓ କୋର୍ଟରେ କେସ୍ ଚାଲିଥିବାରୁ ଗେଟ୍ ଖୋଲାଯାଉନି। ତେବେ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ବିକଳ୍ପ ରାସ୍ତା କଥା ଯୋଜନା କରାଯାଇଛି। ମୋଟାମୋଟି ଭାବେ ଏମ୍‌କେସିଜିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା କରିଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ସେବାକୁ ନେଇ ବିଜେପି କେବଳ ରାଜନୀତି ବ୍ୟତୀତ ଆଉ କିଛି କରୁନାହିଁ। ଦୋଷ ଦୁର୍ବଳତା ଦେଖାଇବା ଉତ୍ତମ ବିରୋଧୀ ଦଳର କାର୍ଯ୍ୟ। ହେଲେ ବିଜେପି ଯେପରି ଉନ୍ନତ ସ୍ୱାସ୍ଥ୍ୟସେବା ସତ୍ତ୍ୱେ ତୁଚ୍ଛ ରାଜନୀତିରୁ ବିରତ ରହୁନାହିଁ, ଜିଲ୍ଲାବାସୀ ତାହାକୁ ଉଚିତ ଜବାବ ଦେବେ ବୋଲି କହିଛି ବିଜେଡି।

Comments are closed.