ନବୀନ ପଟ୍ଟନାୟକ ତାରାତାରିଣୀ ମନ୍ଦିର ଓ ଅନ୍ୟ ଧର୍ମର ପୂଜା ସ୍ଥଳୀ ମାନଙ୍କ ଉନ୍ନତି ପାଇଁ ଅର୍ଥ ଅନୁଦାନ ଦେଇ ଦେଶ ପାଇଁ ଆଦର୍ଶ ହେଲେ
ବର୍ତ୍ତମାନ ଦେଶରେ ମନ୍ଦିର ଓ ମସଜିଦକୁ ନେଇ ଧର୍ମଜନିତ ଧ୍ରୁବୀକରଣ ଏତେ ବଢିଯାଇଛି ଯେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପ୍ରତି ବିପଦ ଘନୀଭୂତ ହେଉଛି ଏବଂ ସମ୍ବିଧାନରେ ଦର୍ଶାଯାଇଥିବା ଭାରତର ଧାର୍ମିକ ବହୁଳତା ପରମ୍ପରାକୁ ଭୀଷଣ ଭାବେ କୁଠାରଘାତ କରି ଦେଶର ଏକତା ଓ ଅଖଣ୍ଡତାକୁ ଅନବରତ ଭାବେ ବିପନ୍ନ କରୁଛି। ଏମିତି ବିଷାକ୍ତ ଓ ତିକ୍ତତାପୂର୍ଣ୍ଣ ପରିବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କୋଟି କୋଟି ଟଙ୍କା ଅନେକ ମନ୍ଦିର, ମସଜିଦ ଓ ଗୀର୍ଜା ଘରର ପାରିପାର୍ଶ୍ବିକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଦେଇଛନ୍ତି ଓ ତାହା ରାଜ୍ୟର ସର୍ବଧର୍ମ ସମଭାବର ପରମ୍ପରାକୁ ପ୍ରତିଫଳିତ କରି ସମଗ୍ର ଦେଶ ପାଇଁ ସାମ୍ପ୍ରଦାୟିକ ସଦଭାବନାର ବାର୍ତ୍ତା ଦେଉଛି। ଯେତେବେଳେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ମଦର ଟେରେସାଙ୍କ ଦ୍ୱାରା ସ୍ଥାପିତ ମିଶନାରୀଜ ଅଫ୍ ଚାରିଟୀ ପାଇଁ ବିଦେଶରୁ ଆସୁଥିବା ଆର୍ଥିକ ଅନୁଦାନର ଅନୁମତିକୁ ୨୫ ଡିସେମ୍ବର ୨୦୨୧ରେ ନବୀକରଣ କରି ନଥିଲେ, ସେତେବେଳେ ନବୀନ ପଟ୍ଟନାୟକ ଓଡ଼ିଶାରେ ଗରିବ ଓ ଅବହେଳିତ ଲୋକଙ୍କ ପାଇଁ କାମ କରୁଥିବା ମିଶନାରୀଜ ଅଫ୍ ଚାରିଟୀର ଶାଖାଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ପ୍ରଦାନ କରିଥିଲେ।
ଏହି ପ୍ରକାରର ସର୍ବଧର୍ମ ସମଭାବର ବିଶ୍ୱସନୀୟତାକୁ ପ୍ରତି କ୍ଷେତ୍ରରେ ପ୍ରତିପାଦିତ କରି ସେ ସମସ୍ତ ସମ୍ପ୍ରଦାୟର ପୂଜା ସ୍ଥଳୀକୁ ସମ୍ମାନ ଦେଖାଇଥାନ୍ତି। ୧୮ ମେ ୨୦୨୨ରେ ଗଞ୍ଜାମସ୍ଥିତ ଆରାଧ୍ୟା ଦେବୀ ତାରାତାରିଣୀଙ୍କ ନୂତନ ଏବଂ ଆଧୁନିକ ମନ୍ଦିରର ପ୍ରତିଷ୍ଠାରେ ଯୋଗ ଦେଇ ତାଙ୍କର ସେହି ପରିଚୟକୁ ବଜାୟ ରଖି ପାରିଛନ୍ତି। ସେ ସେହି ଦିନ ସମସ୍ତଙ୍କର ମଙ୍ଗଳ, ଉନ୍ନତି, ଶାନ୍ତି ଓ ସମାଜରେ ଏକତା ପ୍ରତିଷ୍ଠା ପାଇଁ ମା’ ତାରାତାରିଣୀଙ୍କ ପାଖରେ ପ୍ରାର୍ଥନା କରିଥିଲେ।
ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ପୀଠ ଏକ ଶକ୍ତି ପୀଠ ଭାବେ ବହୁକାଳରୁ ପ୍ରସିଦ୍ଧି ଲାଭ କରିଛି। ଋଷିକୂଲ୍ୟା ନଦୀତଟରେସ୍ଥିତ କୁମାରୀ ପର୍ବତରେ ମା’ ତାରାତାରିଣୀଙ୍କ ମନ୍ଦିର ବିଦ୍ୟମାନ ଓ କିଛି ଶତାବ୍ଦୀ ଧରି ସେହି ପବିତ୍ର ଶକ୍ତି ପୀଠ ଭକ୍ତ ଓ ତୀର୍ଥଯାତ୍ରୀଙ୍କ କେନ୍ଦ୍ରସ୍ଥଳୀ ହୋଇଛି। ଆଧୁନିକ ଢାଞ୍ଚାରେ ନିର୍ମିତ ମା’ଙ୍କ ମନ୍ଦିର ତାଙ୍କର ପରମ୍ପରା ସହ ଖାପ ଖୁଆଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ନୂଆ ସୁବିଧା ଯୋଗାଇ ଦେଇଛି। ସେହି ସୁବିଧା ମଧ୍ୟରେ ଏକ ନୂଆ ଏବଂ ମହତ୍ତ୍ୱପୂର୍ଣ୍ଣ ସୁବିଧା ହେଉଛି ଧ୍ୟାନ କେନ୍ଦ୍ର ଯେଉଁଠି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ଯେକୌଣସି ଭକ୍ତ ବା ବ୍ୟକ୍ତି ଧ୍ୟାନ କରିପାରିବେ। ନୂଆ ରୂପାନ୍ତରିତ ଆଧୁନିକ ମନ୍ଦିର ଢାଞ୍ଚାରେ ଧ୍ୟାନ କେନ୍ଦ୍ର ପାଇଁ ଯେଉଁ ପ୍ରାବଧାନ କରାଯାଇଛି ତାହା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ୧୮୯୭ରେ ସ୍ଥାପିତ ରାମକୃଷ୍ଣ ମଠର ଅନୁରୂପ। ସ୍ୱାମୀଜୀ ରାମକୃଷ୍ଣ ମଠରେ ଧ୍ୟାନ ପ୍ରକୋଷ୍ଠ କରିଥିଲେ ଓ ତାହା ପାଖରେ ପାଠାଗାର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଅର୍ଥାତ ସ୍ୱାମୀଜୀଙ୍କ ଦୃଷ୍ଟିକୋଣ ଥିଲା ଯେ ଧ୍ୟାନ ଓ ପୂଜା ସଙ୍ଗେ ସଙ୍ଗେ ଅଧ୍ୟୟନ ମଧ୍ୟ ଆବଶ୍ୟକ। ବର୍ତ୍ତମାନ ତାରାତାରିଣୀ ପୀଠରେ ଧ୍ୟାନ କେନ୍ଦ୍ର ସହିତ ପାଠାଗାର କରିବା ପାଇଁ ରୂପାନ୍ତରିତ ଆଧୁନିକ ମନ୍ଦିର ଢାଞ୍ଚାରେ ବ୍ୟବସ୍ଥା କରି ମହାନ ସନ୍ୟାସୀ ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିକୋଣ ଅନୁରୂପ କାର୍ଯ୍ୟ କରାଯାଇଛି।
ଗଣମାଧ୍ୟମରେ ଏହା ପ୍ରକାଶ ପାଇଥିଲା ଯେ ମୁଖ୍ୟମନ୍ତ୍ରୀ ସେହି ରୂପାନ୍ତରିତ ମନ୍ଦିରର ପ୍ରତିଷ୍ଠା ଦିବସରେ ଅଂଶଗ୍ରହଣ କରି ପ୍ରସାଦ ସେବନ କକ୍ଷ, ବ୍ୟାଖ୍ୟାନ କେନ୍ଦ୍ର ଏବଂ ଖାଦ୍ୟ କିଓସ୍କ ଉତ୍ସର୍ଗ କରିଛନ୍ତି। ନବୀକରଣ ହୋଇଥିବା ମନ୍ଦିର ଢାଞ୍ଚାର ବିଶେଷତ୍ୱ ହେଉଛି ଯେ ଏହା ଓଡ଼ିଶାର ବହୁ ଖ୍ୟାତିସମ୍ପନ୍ନ କଳା ଏବଂ ସ୍ଥାପତ୍ୟକୁ ଦର୍ଶାଏ। ଏହା ସେହି ପବିତ୍ର ଶକ୍ତି ପୀଠର ସତେଜ ନୂତନତା ଏବଂ ଶାନ୍ତିପୂର୍ଣ୍ଣ ପରିବେଶର ଚରିତ୍ର ଉପସ୍ଥାପନ କରେ। ସେହି ଚରିତ୍ର ଓ ଗୁଣାବଳୀ ସାଧାରଣତଃ ଗଭୀର ଧାର୍ମିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ମହତ୍ତ୍ଵ ଥିବା ସ୍ଥାନଗୁଡିକର ପବିତ୍ର ପରିବେଶର ପ୍ରଧାନ୍ୟକୁ ଦର୍ଶାଇଥାଏ।
ଯଦି ତାରାତାରିଣୀ ପୀଠର ଆଧୁନିକ ଏବଂ ରୂପାନ୍ତରିତ ମନ୍ଦିରର ଢାଞ୍ଚା ମହାତ୍ମା ଗାନ୍ଧୀଙ୍କ ୨୯ ଏପ୍ରିଲ ୧୯୩୩ରେ ହରିଜନରେ ଲିଖିତ ତାଙ୍କ ପ୍ରବନ୍ଧ “ମଡେଲ ମନ୍ଦିର”ର ସନ୍ଦର୍ଭରେ ଦେଖିବା, ତେବେ ଏକଥା ସୂଚିତ ହେବ ଯେ ନବୀକରଣ ହୋଇଥିବା ମନ୍ଦିରର ଅନେକାଂଶ ଗାନ୍ଧୀଙ୍କ ପ୍ରବନ୍ଧରେ ଲେଖାଥିବା ବିଷୟର ଅନୁରୂପ। ଗାନ୍ଧିଜୀ ଲେଖିଥିଲେ, “ମନ୍ଦିର ନିଶ୍ଚିତ ଭାବେ ବିସ୍ତୃତ ହେବା ଆବଶ୍ୟକ। ଏହା ଏକ ଗାଁ କିମ୍ବା ସହରର ମଧ୍ୟ ଭାଗରେ ରହିବା ଆବଶ୍ୟକ ନୁହେଁ। ଏହା ହରିଜନ ଏବଂ ଅନ୍ୟ ଗରିବଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଉଚିତ। ଏହାର ପରିସର ପରିଷ୍କାର ରହିବା ଉଚିତ୍। ଯଦି ସମ୍ଭବ, ଏହା ଆଖପାଖ ଠାରୁ ଅଧିକ ଉଚ୍ଚ ହେବା ଉଚିତ୍।… ମନ୍ଦିର ପରିସର ମଧ୍ୟରେ ଏକ ବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପାଠାଗାର ରହିଵା ଦରକାର। ପାଠାଗାର ଉଭୟ ଧର୍ମନିରପେକ୍ଷ ଏବଂ ଧାର୍ମିକ ବିଷୟରେ ସୂଚନା ଦେବା ଦରକାର। ବିଦ୍ୟାଳୟ ଏକ ସଭା କିମ୍ବା ବିତର୍କ କକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିପାରେ। ମନ୍ଦିର ସହିତ ଏକ ଧର୍ମଶାଳା କିମ୍ବା ଅତିଥି ଭବନ ରହିବା ଉଚିତ୍। ଏଥିମଧ୍ୟରୁ ପ୍ରତ୍ୟେକଟି ଏକ ପୃଥକ ଅନୁଷ୍ଠାନ ହେବ ଏବଂ ମନ୍ଦିର ଅଧୀନରେ ରହିବ ଓ ପରିସ୍ଥିତି ଏବଂ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ଏକକାଳୀନ କିମ୍ବା ଗୋଟିଏ ପରେ ଗୋଟିଏ ନିର୍ମାଣ ହୋଇପାରେ”।
ଗାନ୍ଧୀଙ୍କ ଉପରୋକ୍ତ ଲେଖାକୁ ଦେଖିଲେ ମନକୁ ଆସେ ଯେ ତାରାତାରିଣୀ ପୀଠର ରୂପାନ୍ତରିତ ମନ୍ଦିର ଢାଞ୍ଚାରେ ତାଙ୍କର ଆଦର୍ଶ ମନ୍ଦିରର ଥିବା ଅନେକ ଦୃଷ୍ଟିକୋଣର ପ୍ରତିଫଳନ ହେଉଛି। ଉଦାହରଣ ସ୍ୱରୂପ ତାରାତାରାଣୀ ମନ୍ଦିର ମାନବ ବସତି ଠାରୁ ଦୂରରେ ଅବସ୍ଥିତ, ଏହାର ଉଚ୍ଚତା ଅଧିକ, ଆଖପାଖ ପରିବେଶ ପରିଷ୍କାର ଏବଂ ଜାତି ନିର୍ବିଶେଷରେ ଲୋକମାନେ ଏଥିରେ ପ୍ରବେଶ କରୁଛନ୍ତି। ବର୍ତ୍ତମାନ ଏହାର ନୂତନ ଢାଞ୍ଚାର ଯୋଜନାରେ ଏକ ପାଠାଗାର, ଧ୍ୟାନ କେନ୍ଦ୍ର ଏବଂ ଅନ୍ୟାନ୍ୟ ଆଧୁନିକ ସୁବିଧା ପାଇଁ ବ୍ୟବସ୍ଥା ରହିଛି। ଏହା ମଧ୍ୟରୁ ଅନେକ ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ମନ୍ଦିରର ଚିନ୍ତାଧାରାର ଅନୁରୂପ।
ପୂଜାରୀ ହେଉଛି ମନ୍ଦିରର ଅବିଛେଦ୍ୟ ଅଙ୍ଗ ଓ ସେ ଭକ୍ତ ଏବଂ ଦେବୀ ଓ ଦେବତାଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରନ୍ତି। ଗାନ୍ଧୀ ଲେଖିଛନ୍ତି ଯେ ତାଙ୍କ ଆଦର୍ଶ ମନ୍ଦିରର ପୂଜାରୀ ଶାସ୍ତ୍ରଗୁଡ଼ିକ ସହିତ ଭଲ ଭାବେ ପରିଚିତ ହେବା ସଙ୍ଗେ ସଙ୍ଗେ ସେ ମନ୍ଦିର ପରିଦର୍ଶନ କରୁଥିବା ଲୋକମାନଙ୍କ ପାଇଁ ବନ୍ଧୁ ଏବଂ ମାର୍ଗଦର୍ଶକ ହେବା ଉଚିତ। ସେ ଲେଖିଥିଲେ, “ମୋର ଆଦର୍ଶ ପୂଜାରୀ ନିଶ୍ଚିତ ଭାବରେ ଈଶ୍ବରଙ୍କ ମଣିଷ ହେବା ଆବଶ୍ୟକ। ସେ ଲୋକମାନଙ୍କର ପ୍ରକୃତ ସେବକ ହେବା ଜରୁରୀ। ଯେଉଁମାନଙ୍କ ମଧ୍ୟରେ ସେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ତାଙ୍କର ଏକ ମାର୍ଗଦର୍ଶକ, ବନ୍ଧୁ ଏବଂ ଦାର୍ଶନିକର ଯୋଗ୍ୟତା ରହିବା ଉଚିତ୍। ସେ ସର୍ବନିମ୍ନ ସମ୍ଭାବ୍ୟ ଆବଶ୍ୟକତା ଏବଂ ବ୍ୟକ୍ତିଗତ ସମ୍ପର୍କ ସହିତ ସମ୍ପୂର୍ଣ୍ଣ ସମୟ ମନ୍ଦିର ପାଇଁ ଦେବା ଆବଶ୍ୟକ। ସେ ଶାସ୍ତ୍ରରେ ପାରଦର୍ଶୀ ହେବା ଉଚିତ୍। ତାଙ୍କର କର୍ତ୍ତବ୍ୟ ଲୋକ କଲ୍ୟାଣ।”
ମା’ ତାରାତାରିଣୀଙ୍କ ପୂଜାରୀମାନେ ବ୍ରାହ୍ମଣ ଜାତିରୁ ଆସି ନଥାନ୍ତି, ସେମାନେ ଅଣ-ବ୍ରାହ୍ମଣ। ସେହି ଶକ୍ତି ପୀଠକୁ ଜାତି ନିର୍ବିଶେଷରେ ସମସ୍ତେ ଯାଇଥାନ୍ତି। ପ୍ରତ୍ୟକ୍ଷ ଦେବୀ ତାରାତାରିଣୀଙ୍କ ପୀଠର ଏହା ଏକ ବିଶେଷତ୍ଵ।
ମା’ ତାରାତାରିଣୀଙ୍କ ଐତିହ୍ୟ ଅତି ପୁରୁଣା। ଓଡ଼ିଶା ସରକାରଙ୍କ ଉଦ୍ୟମରେ ମା’ଙ୍କ ମନ୍ଦିରକୁ ଆଧୁନିକୀକରଣ କରି ରୂପାନ୍ତରିତ କରାଯାଇଛି ଓ ସେହି ଐତିହ୍ୟକୁ ବଜାୟ ରଖାଯାଇଛି। ଏହି ରୂପାନ୍ତୀକରଣରେ ସ୍ୱାମୀ ବିବେକାନନ୍ଦ ଏବଂ ମହାତ୍ମା ଗାନ୍ଧୀଙ୍କ ଦର୍ଶନକୁ କିଛି ପରିମାଣରେ ପ୍ରତିଫଳିତ କରାଯାଇଛି। ଯେଉଁମାନେ ଏହି କଷ୍ଟଦାୟକ କାର୍ଯ୍ୟରେ ଜଡିତ ଥିଲେ ଏବଂ ପ୍ରଥମ ପଦକ୍ଷେପ ନେଇଥିଲେ ସେମାନେ ଚିର ସ୍ମରଣୀୟ ହୋଇ ରହିବେ। ସର୍ବପ୍ରଥମେ ଗଞ୍ଜାମର ଲୋକମାନେ ମା’ଙ୍କ ମନ୍ଦିର ପ୍ରକଳ୍ପର ଆଧୁନିକୀକରଣ ପାଇଁ ସ୍ବେଛାକୃତ ଭାବରେ ଅର୍ଥ ଓ ସାମଗ୍ରୀ ଯୋଗାଡ଼ କରି ଅକ୍ଲାନ୍ତ ପରିଶ୍ରମ କରିଥିବାରୁ ସମସ୍ତଙ୍କ ଠାରୁ କୃତଜ୍ଞତା ପାଇବାକୁ ଯୋଗ୍ୟ ଅଟନ୍ତି। ଆକ୍ଷରିକ ଏବଂ ସାଙ୍କେତିକ ଭାବରେ ଏହା ଏକ ଲୋକମାନଙ୍କର ଆନ୍ଦୋଳନରେ ପରିଣତ ହେଲା ଏବଂ ସେମାନେ ଦେବୀ ତାରାତାରିଣୀଙ୍କ ପାଇଁ ଅନେକ କିଛି ତ୍ୟାଗ କରିଥିଲେ। ମନ୍ଦିରର ନବୀକରଣ ପାଇଁ ଏହିପରି ଲୋକଙ୍କ ଯୋଗଦାନ ଗୁଜୁରାଟର ସୋମନାଥ ମନ୍ଦିରର ପୁନଃନିର୍ମାଣ ଏବଂ ପୁନରୁଦ୍ଧାର ପାଇଁ ମହାତ୍ମା ଗାନ୍ଧୀଙ୍କ ପରାମର୍ଶ କ୍ରମେ ଜନସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରିବାକୁ ସର୍ଦ୍ଦାର ପଟେଲଙ୍କ ଉଦ୍ୟମକୁ ମନେ ପକାଇ ଦେଇଛି। ତତ୍କାଳୀନ ଗଞ୍ଜାମର ଜିଲ୍ଲାପାଳ ଭି. କାର୍ତିକେୟନ ପାଣ୍ଡିଆନ୍ ଏବଂ ବର୍ତ୍ତମାନ ୫-ଟି ସଚିବ ତାଙ୍କର କଠିନ ପରିଶ୍ରମ ଏବଂ ମନ୍ଦିର ଆଧୁନିକୀକରଣ ପାଇଁ ଅବଦାନ ପାଇଁ ପ୍ରଶଂସା ପାଇବାକୁ ଯୋଗ୍ୟ ଅଟନ୍ତି। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତତ୍କାଳୀନ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଅରୁଣ ପଣ୍ଡା। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୂର୍ବ ପ୍ରୟାସକୁ ଦୃଢ କରି ମନ୍ଦିର ପ୍ରକଳ୍ପକୁ କାର୍ଯ୍ୟକାରୀ କରିଥିଲେ, ଯେଉଁଥିରେ ସୁନ୍ଦର ଋଷିକୂଲ୍ୟା ନଦୀ ଫ୍ରଣ୍ଟ ଏବଂ ରିଙ୍ଗ୍ ରୋଡ୍ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିଥିବା ସ୍ଥପତି ତଥା ଅନ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଛନ୍ତିି।
ଅବଶ୍ୟ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱ ଦ୍ୱାରା ମନ୍ଦିରର ଆଧୁନିକୀକରଣ ସମ୍ଭବ ହୋଇପାରିଲା। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଏହି ବିଶାଳ ତଥା ମହାନ୍ କାର୍ଯ୍ୟରେ ଅନ୍ତର୍ଭୁକ୍ତ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ସମଗ୍ର ଦେଶରେ ଏକ ଗଠନମୂଳକ ବାତାବରଣ ସୃଷ୍ଟି କରି ଭାରତକୁ ବିଭାଜନକାରୀ ତଥା ଧ୍ରୁବୀକରଣ କରିଥିବା ଶକ୍ତିମାନଙ୍କୁ ପରାସ୍ତ କରିବ ବୋଲି ଆଶା କରାଯାଏ।
Disclaimer: The opinions expressed within this article are the personal opinions of the author. The facts and opinions appearing in the article do not reflect the views of newsroomodisha.com and newsroomodisha.com does not assume any responsibility or liability for the same.
Comments are closed.