ନିର୍ଜଳା ଏକାଦଶୀ ବା ଭୀମସେନ ଏକାଦଶୀ ବ୍ରତ ପାଳନ କଲେ ଆୟୁ ବୃଦ୍ଧି ସହିତ ନିରୋଗତା ପ୍ରାପ୍ତ ହୋଇଥାଏ

ନିର୍ଜଳା ଏକାଦଶୀ ବା ଭୀମସେନୀ ଏକାଦଶୀ I ଏହି ଏକାଦଶୀ ପାଳନ କଲେ ଏହିବ୍ରତ ରଖୁଥିବା ବ୍ରତୀମାନଙ୍କୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ। ଅନ୍ୟ ଏକାଦଶୀରେ ବ୍ରତ ଧାରୀମାନେ ଫଳାହାର କରିଥାନ୍ତି।କିନ୍ତୁ ଏହି ଏକାଦଶୀରେ କୌଣସି ଖାଦ୍ୟ କିମ୍ବା ଜଳମଧ୍ୟ ଗ୍ରହଣ କରାଯାଏ ନାହିଁ। ବିଶ୍ୱାସ କରାଯାଏ ଯେ ଏହି ଏକାଦଶୀ ପାଳନକଲେ ବ୍ରତଧାରୀ ଙ୍କୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ ।

ପୌରାଣିକ କଥାବସ୍ତୁରୁ ଜଣାଯାଏ ଏହି ଏକାଦଶୀରେ ଭୀମସେନ ବ୍ରତ ରଖିଥିଲେ । ସେ ଯେକୌଣସି ଖାଦ୍ୟକୁ ସହଜରେ ହଜମ କରିଦେଉଥିଲେ । ତାଙ୍କ ଉଦରରେ ବୃକ ନାମକ ଅଗ୍ନି ଥିବାରୁ ସେ ଏପରି ଖାଦ୍ୟ ପରିପାକ କରିପାରୁଥିଲେ । ନାଗଲୋକ ଯାଇ ସେଠି ମଧ୍ୟ ଦଶକୁଣ୍ଡ ଦୁଗ୍ଧ ପାନ କରିଥିବାରୁ ସେ ଦଶ ହଜାର ହାତୀର ଶକ୍ତି ପ୍ରାପ୍ତ ହୋଇଥିଲେ । ଏହି ରସ ପ୍ରଭାବରୁ ତାଙ୍କର ପ୍ରଚୁର କ୍ଷମତା ବଢ଼ିଯାଇଥିଲା । ତେଣୁ ସେ ଏହି ବ୍ରତ ପାଳନ କରି ପାରୁନଥିଲେ । ଥରେ ଭୀମସେନ ମହର୍ଷି ବେଦବ୍ୟାସଙ୍କୁ କହିଲେ ଦ୍ରୌପଦୀ ଏବଂ ମୋର ସମସ୍ତ ଭ୍ରାତା ଏକାଦଶୀ ବ୍ରତ ରଖୁଛନ୍ତି । କିନ୍ତୁ ମୁଁ ଭୋକ ସମ୍ଭାଳି ନପାରିବାରୁ ବ୍ରତ କରିପାରୁନାହିଁ । ଆପଣ କୌଣସି ଏକ ଉପାୟ ବତାନ୍ତୁ । ବେଦବ୍ୟାସ କହିଲେ ତୁମେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ବ୍ରତ ପାଳନ କଲେ ବର୍ଷ ସାରା ଅନ୍ୟ ସବୁ ବ୍ରତର ଫଳ ମିଳିପାରିବ । ଏଥିପାଇଁ ତୁମକୁ ଉକ୍ତ ଏକାଦଶୀରେ ଦୁଇବେଳା ଭୋଜନ ଓ ଜଳତ୍ୟାଗ କରିବାକୁ ପଡ଼ିବ । ଏହିକଥା ଶୁଣି ଭୀମ ନିର୍ଜଳା ଏକାଦଶୀ ବ୍ରତ କରିବା ପାଇଁ ଯତ୍ନଶୀଳ ହେଲେ । ଭୀମସେନ ଏହି ନିର୍ଜଳା ଏକାଦଶୀ ବ୍ରତ ପାଳନ କରିଥିବାରୁ ଏହାକୁ ଭୀମସେନୀ ଏକାଦଶୀ ବୋଲି କୁହାଯାଏ।

ଓଡ଼ିଶାରେ ବିଶେଷ କରି ଶ୍ରୀକ୍ଷେତ୍ରରେ ଏହା ରୁକ୍ମିଣୀ ହରଣ ଏକାଦଶୀ ଭାବରେ ପାଳନ କରାଯାଇଥାଏ। ଏହିଦିନ ଶ୍ରୀମନ୍ଦିର ରେ ଶ୍ରୀମଦନମୋହନ ରୁକ୍ମିଣୀଙ୍କୁ ହରଣକରି ପାରମ୍ପରିକ ବୈଦିକ ରୀତିରେ ବିବାହ କରିଥାନ୍ତି। ଏଥିପାଇଁ ଶ୍ରୀମନ୍ଦିର ରେ ସ୍ବତନ୍ତ୍ର ନୀତିକାନ୍ତି ର ଆୟୋଜନ ହୋଇଥାଏ।

Comments are closed.