‘ଅଗ୍ନିପଥ’ ନିଆଁ: ବ୍ରହ୍ମପୁରରେ ବିରୋଧ, ରେଳବାଇର ସତର୍କତା

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବାହିନୀରେ ମାତ୍ର ୪ ବର୍ଷ ବୟସ ପାଇଁ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ବିରୋଧର ନିଆଁ ସାରା ଦେଶରେ ବ୍ୟାପିବାରେ ଲାଗିଛି। କ୍ଷୁବ୍ଧ ଯୁବକ, ନିଯୁକ୍ତି ଆଶାୟୀ ବେକାରମାନେ ଉଗ୍ର ହୋଇ ରେଳ ସମ୍ପତ୍ତି ନଷ୍ଟ କରିବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ରର ବିଜେପି ସରକାର ଏହାକୁ ଶାନ୍ତ କରିବାରେ ବିଫଳ ହୋଇଛି। ତେବେ ଓଡ଼ିଶା ପରି ଦେଶର ଅନ୍ୟ ଭାଗ ଯେଉଁଠି ଏଯାବତ୍ ପ୍ରତିବାଦ ହିଂସାତ୍ମକ ତଥା ଉଗ୍ରରୂପ ନେଇନାହିଁ ସେଠାରେ ରେଳବାଇ ସମ୍ପତ୍ତିକୁ ସୁରକ୍ଷା କରିବାକୁ ବ୍ୟବସ୍ଥା କରାଯାଇଛି। ସେଥିରୁ ବ୍ରହ୍ମପୁର ସହର ବାଦ୍ ପଡ଼ିନାହିଁ।

ଅଗ୍ନିପଥ ସ୍କିମ୍‌ର ପ୍ରତିବାଦ କରିଛି ଯୁବ କଂଗ୍ରେସ, ଏଆଇଡିଏସ୍‌ଓ, ଏଆଇଡିୱାଇଓ ଆଦି ସଙ୍ଗଠନ। ଯୁବ କଂଗ୍ରେସ କର୍ମୀମାନେ ଦକ୍ଷିଣାଞ୍ଚଳ ଆର୍‌ଡିସି ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେପଟେ କମାପଲ୍ଲୀ ଛକରେ ବାମପନ୍ଥୀ ଯୁବ ସଙ୍ଗଠନମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଅଗ୍ନିପଥ ସ୍କିମ୍‌କୁ ବିରୋଧ କରି ସ୍ଲୋଗାନ୍‌ବାଜି ସହ ଏହି ଯୋଜନାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଜିଲ୍ଲାର ଅନେକ ଯୁବକ ସେନା ଭର୍ତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଥିବା ବେଳେ ନିଯୁକ୍ତି ପତ୍ର ପାଇବା ଅପେକ୍ଷାରେ ଥିଲେ। ସେହିପରି ଅନେକ ଆଶାୟୀ ଶାରୀରିକ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସେପଟେ ସମ୍ଭାବ୍ୟ ହିଂସାକାଣ୍ଡକୁ ରୋକିବାକୁ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ରାଜ୍ୟ ପୋଲିସ, ସରକାରୀ ରେଳବାଇ ପୋଲିସ ଓ ରେଳ ସୁରକ୍ଷା ବଳକୁ ସତର୍କତା ସହ ମୁତୟନ କରାଯାଇଛି। ବ୍ରହ୍ମପୁର ଷ୍ଟେସନ୍‌ରେ ସଶସ୍ତ୍ର ଓଡ଼ିଶା ପୋଲିସ ମୁତୟନ କରାଯାଇଛି। ଏଥିସହ ମିଳିତ ଭାବେ ତିନି ବାହିନୀ ଫ୍ଲାଗ୍‌ମାର୍ଚ୍ଚ କରିଛନ୍ତି। କେବଳ ଗୋଟିଏ ଗେଟ୍ ପଟେ ଯାତ୍ରୀଙ୍କୁ ଯାଆସ ପାଇଁ ସୁଯୋଗ ଦିଆଯାଉଛି। ଷ୍ଟେସନ୍‌ ପରିସରରେ ଅଯଥା ଭିଡ଼ ହ୍ରାସ ପାଇଁ ପ୍ଲାଟ୍‌ଫର୍ମ ଟିକେଟ୍‌ ବିକ୍ରି ବନ୍ଦ ରଖାଯାଇଛି। କେବଳ ସଂରକ୍ଷିତ ଟିକେଟ୍‌ଧାରୀଙ୍କୁ ହିଁ ଷ୍ଟେସନ୍ ଭିତରକୁ ଛଡ଼ାଯାଉଛି। ଟ୍ରେନ୍‌ ଆସିବାର ଅଳ୍ପ ସମୟ ପୂର୍ବରୁ ହିଁ ଯାତ୍ରୀଙ୍କୁ ପ୍ଲାଟଫର୍ମ ପ୍ରବେଶ ଅନୁମତି ଦେଉଛି ପୋଲିସ। ବ୍ରହ୍ମପୁର ଦେଇ ଯାଆସ କରୁଥିବା ଏକାଧିକ ଟ୍ରେନ୍‌ ଚଳାଚଳକୁ ବାତିଲ କିମ୍ବା ଦିଗ ପରିବର୍ତ୍ତନ କରି ଦିଆଯାଇଛି।

Comments are closed.