ପରମ ଭକ୍ତ ମାଧବଦାସଙ୍କ ଜ୍ବରକୁ ଅଙ୍ଗୀକାର କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ | News Room Odisha

ପରମ ଭକ୍ତ ମାଧବଦାସଙ୍କ ଜ୍ବରକୁ ଅଙ୍ଗୀକାର କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

ଭକ୍ତ ମାଧବଦାସ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ। ଶ୍ରୀକ୍ଷେତ୍ର ଧାମସ୍ଥ ଫଳହାରୀ ମଠ ଥିଲା ତାଙ୍କ ନିବାସ ସ୍ଥାନ। ସମଗ୍ର ଜୀବନ ମହାପ୍ରଭୁଙ୍କ ଭଜନ କୀର୍ତ୍ତନ ସହିତ କେବଳ ଫଳହାର କରି ପ୍ରଭୁ ସ୍ମରଣ ରେ ମଜ୍ଜି ରହୁଥିଲେ।

ସମୟ କ୍ରମେ ବାର୍ଦ୍ଧକ୍ୟ ହେତୁ ଭକ୍ତ ମାଧବଦାସ ଅତିସାର ରୋଗରେ ପୀଡିତ ହେଲେ। ଏହି ସମୟରେ ତାଙ୍କର ଏକମାତ୍ର ମହୌଷଧି ଥିଲା ହରିନାମ ଭଜନ। ଏହାବ୍ୟତୀତ ସିଏ ଅନ୍ୟ କୌଣସି ମହୌଷଧି ଗ୍ରହଣ କରୁନଥିଲେ। ତାଙ୍କର ଭଜନ ନିଷ୍ଠାରେ ପ୍ରୀତ ହୋଇ ସ୍ୱୟଂ ଶ୍ରୀଜଗନ୍ନାଥ ଓ ବଳଭଦ୍ର ଦୁହେଁ କଳା ଓ ଗୋରା ଦୁଇ ବାଳକ ବେଶରେ ଆସି ମାଧବ ଦାସଙ୍କ ସେବା ଶୁଶ୍ରୂଷା କଲେ। ମହାପ୍ରଭୁଙ୍କ ଦିବ୍ୟ ହସ୍ତ ସ୍ପର୍ଶରେ ମାଧବ ଦାସ ପ୍ରତିଦିନ ଅଲୌକିକତା ଅନୁଭଵ କଲେ। କେବଳ ଅନୁଭବ କଲେ ନାହିଁ ବରଂ ଦୁଇ ଭାଇଙ୍କୁ ଚିନ୍ହି ପାରିଲେ। ବିନମ୍ରତାର ସହିତ ଶ୍ରୀଚରଣ ରେ ସିଏ ପ୍ରାର୍ଥନା କଲେ ହେ ପ୍ରଭୁ! ମୋ ପରି ଅଧମର ସେବା ସ୍ୱୟଂ କରୁଛନ୍ତି। ଶ୍ରୀଅଙ୍ଗକୁ ଅନେକ କଷ୍ଟ ହେଉଥିବ। ତେଣୁ ଦୟାକରି ମୋର ରୋଗ ଉପଶମ କରନ୍ତୁ ନଚେତ ଏ ସଂସାର ରୁ ମୋତେ ଚିର ବିଦାୟ ଦିଅନ୍ତୁ। ଭକ୍ତର ଏପରି ନିବେଦନ ଶୁଣି ଅନ୍ତର୍ଯ୍ୟାମୀ ପ୍ରଭୁ ସ୍ମିତ ହସି ତାଙ୍କୁ କହିଲେ ହେ ଭକ୍ତଶ୍ରେଷ୍ଠ !ସେପରି କରିବାର ବିଧାନ ଆମର ନାହିଁ। ସଂସାରରେ ଯାହାର ଯେତେଦିନ ଯାହାକିଛି ଭୋଗିବାର ଅଛି ସିଏ ତାହା ଭୋଗ କରିବ। ତାହାକୁ ବ୍ୟତିକ୍ରମ କରିବାର କ୍ଷମତା ଆମର ନାହିଁ। କିନ୍ତୁ ତୁମର ରୋଗ ଯନ୍ତ୍ରଣା ଆମ୍ଭେ ଅଙ୍ଗୀକାର କରିପାରିବୁ । ଏହା କହି ବାଳକ ଦୁଇଜଣ ଅନ୍ତର୍ଦ୍ଧାନ ହୋଇଗଲେ। ସେବେଠାରୁ ମାଧବ ଦାସ କ୍ରମଶଃ ଆରୋଗ୍ୟ ପ୍ରାପ୍ତ ହେଲେ। ସଂପୂର୍ଣ୍ଣ ରୋଗମୁକ୍ତ ପରେ ମହୋଦଧି ସ୍ନାନସାରି ଶ୍ରୀମନ୍ଦିରରେ ଉପସ୍ଥିତ ହେଲେ। ଶ୍ରୀମନ୍ଦିରରେ ସେତେବେଳକୁ ଭିତରକାଠ ବନ୍ଦ ହୋଇଯାଇ ଥିବାର ଦେଖି ବଡପାଟିରେ ଡ଼ାକ ଛାଡ଼ିଲେ। ହେ କାଳିଆ ,ହେବଳିଆ , ହେ ମୋର ପ୍ରାଣର ଠାକୁର ଏ ଅଧମକୁ ଦର୍ଶନ ଦିଅ। କିନ୍ତୁ ଅର୍ଗଳି ଭିତରୁ ଉତ୍ତର ଆସିଲା ଶ୍ରୀଜୀଉ ମାନଙ୍କୁ ଜ୍ଵର ହୋଇଛି। ବର୍ତ୍ତମାନ ଦର୍ଶନ କରିବା ସମ୍ଭବ ନୁହେଁ। ଏହି ଉତ୍ତର ଥିଲା ଶ୍ରୀଜୀଉ ଙ୍କ ନିତ୍ୟ ସେବକ ବଡ଼ ପଣ୍ଡା ଙ୍କ। ଉତ୍ତର ଶୁଣି ମାଧବ ଦାସ ମୂର୍ଚ୍ଛିତ ଗଲେ , ମନେ ମନେ ଭାବିଲେ ଭାବ ବିନୋଦିଆ ଠାକୁର ତାଙ୍କୁ ଅରୋଗ୍ୟତା ପ୍ରଦାନ କରି ନିଜେ ଜ୍ବରାକ୍ରାନ୍ତ ହୋଇଛନ୍ତି। ତାଙ୍କର ସେହି ମୂର୍ଚ୍ଛା ଅବସ୍ଥାରେ ପନ୍ଦର ଦିନ ପରେ ମାଧବ ଦାସ ଇହଲୀଳା ସମ୍ବରଣ କଲେ। ଏହି ପନ୍ଦର ଦିନକୁ ଅନବସର ପାଳନ କରାଗଲା।ଭକ୍ତର ରୋଗ ଯନ୍ତ୍ରଣା ଉପଶମ ପାଇଁ ଶ୍ରୀଜଗନ୍ନାଥ ନିଜେ ଜ୍ବରାକ୍ରାନ୍ତ ହୋଇ ଭକ୍ତର ଆନୁଗତ୍ୟ ସ୍ବୀକାର କରିଥିବା ଜନଶ୍ରୁତି ରୁ ଜଣାଯାଏ।

ସେହିଦିନଠାରୁ ଅଦ୍ୟାବଧି ସେହି ‘ଅନବସର’ ନୀତି ପାଳନ ହୋଇ ଆସୁଅଛି। ଏହି ‘ଅନବସର ନୀତି ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମାଠାରୁ ବିଜେ ଅମାବାସ୍ୟା ପର୍ଯ୍ୟନ୍ତ ପାଳନ ହୋଇଥାଏ। ଉକ୍ତ ସମୟରେ ଭକ୍ତମାନେ ପଟିଦିଅଁ ଏବଂ ଅଲାରନାଥଙ୍କୁ ଦର୍ଶନ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ଫଳ ଲାଭ କରିଥାନ୍ତି।