ପ୍ରଶିକ୍ଷଣ ପାଇଁ ବ୍ରହ୍ମପୁର ଆସିଛନ୍ତି ବାଂଲା ମହିଳା କ୍ରିକେଟର୍ ସାଜିଦା

ବ୍ରହ୍ମପୁର: ସୁଦୂର ବାଂଲାଦେଶରୁ ଓଡ଼ିଶା ମାଟିକୁ ତାଙ୍କର ଆଗମନ। ଓଡ଼ିଶା ଯେଉଁଠି ନାରୀ ସଶକ୍ତିକରଣର ଧ୍ଵଜା ଉଡୁଛି, ତାହାକୁ ନିଜ ଅଭ୍ୟାସ ତଥା ସାଧନାର ସ୍ଥଳ ଭାବେ ବାଛି ନେଇଛନ୍ତି ବାଂଲାଦେଶ ଜାତୀୟ ମହିଳା କ୍ରିକେଟ୍ ଦଳର ସଦସ୍ୟା ସାଜିଦା ଅକ୍ତାର ମେଘଲା। ସାଜିଦା ଏବେ ନିଜ କ୍ରୀଡ଼ା କୈାଶଳକୁ ଉନ୍ନତ କରିବା ପାଇଁ ନିଜ ଫିଟନେସ୍ ଉପରେ ଫୋକସ୍ କରୁଛନ୍ତି। ଆଉ ସେଥିପାଇଁ ସେ ଓଡ଼ିଶା ମାଟି ତଥା ଏଠିକାର ପ୍ରଶିକ୍ଷକ ସିମାଞ୍ଚଳ ବାରିକଙ୍କୁ ବାଛି ନେଇଛନ୍ତି।

ବାଂଲାଦେଶ ୧୯ ବର୍ଷୀୟା ଜାତୀୟ କ୍ରିକେଟ୍ ଦଳରେ ଖେଳି ଆସୁଛନ୍ତି ସାଜିଦା। ହେଲେ ଫିଟନେସ୍ ଏବେ ତାଙ୍କ ପାଇଁ ଅଧିକ ମହତ୍ତ୍ଵ ରଖୁଛି। ସେଥିପାଇଁ ସେ ଜଣେ କୁଶଳୀ ଟ୍ରେନରଙ୍କ ସନ୍ଧାନରେ ଥିଲେ। ୟୁଟ୍ୟୁବ୍‌ରେ ସିମାଞ୍ଚଳ ବାରିକଙ୍କ ପ୍ରଶିକ୍ଷଣ ଶୈଳୀ ଭିଡିଓ ଦେଖି ବ୍ରହ୍ମପୁରକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ବ୍ୟାୟାମ, ଫିଟନେସ୍ ଜରିଆରେ ନିଜ ଶରୀରର ଓଜନ କମାଇବା ପାଇଁ ବାଂଲାଦେଶର ଯୋଶୁର୍ ରାଜ୍ୟରୁ ବ୍ରହ୍ମପୁର ଆସିଛନ୍ତି ୨୧ ବର୍ଷିଆ ମହିଳା କ୍ରୀଡ଼ାବିତ୍ ଜଣକ।

ସାଜିଦା ୨୦୧୯ ମସିହାରେ ଟି- ୨୦ କ୍ରିକେଟ୍‌ ମ୍ୟାଚ୍‌ରେ ପାକିସ୍ତାନ ବିରୋଧରେ ବାଂଲାଦେଶ ପକ୍ଷରୁ ଖେଳିଥିଲେ । ନିକଟରେ ନ୍ୟୁଜିଲାଣ୍ଡ ଠାରେ ହୋଇଥିବା ଅନ୍ତର୍ଜାତୀୟ ବାଳିକା ବିଶ୍ଵକପ୍ ମଧ୍ୟ ଖେଳିଥିଲେ। କେନିଆ, ସ୍କଟ୍‌ଲାଣ୍ଡ, ଶ୍ରୀଲଙ୍କା ଭଳି ଅନେକ ଦେଶର କ୍ରିକେଟ୍ ଦଳ ସହ ୮ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି ଏହି ବାମହାତୀ ମହିଳା କ୍ରିକେଟର। ଆଗକୁ ଏସିଆ କପ୍ ମ୍ୟାଚ୍ ରହିଛି।

ଲକଡାଉନ୍ ସମୟରେ ମ୍ୟାଚ୍ ଓ ଅଭ୍ୟାସ ଅଭାବରୁ ତାଙ୍କ ଶରୀରର ଓଜନ ଅହେତୁକ ବୃଦ୍ଧି ପାଇଥିଲା। ଏଣୁ ନିଜକୁ ପୁଣି ଫିଟ୍ କରି ଆଗାମୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ରଖିବାକୁ ସେ ଏହି କୈଶଳ ଆପଣାଇ ଥିବା କହିଛନ୍ତି। ଅବସରପ୍ରାପ୍ତ ସେନା ହାବିଲଦାର ସିମାଞ୍ଚଳ ବାରିକ ତାଙ୍କ ମିଶନରେ ସହାୟକ ସାଜିଛନ୍ତି। ଦୁଇ ମାସ ପୂର୍ବରୁ କୋଚ୍ ସିମାଞ୍ଚଳଙ୍କ ସହ ହ୍ବାଟସ୍ଆପ୍‌ରେ ଯୋଗାଯୋଗ କରିଥିଲେ ହାଜିରା। ସରକାରୀ ନୀତି ମୁତାବକ ସେ ବ୍ରହ୍ମପୁରରେ ପହଞ୍ଚିବା ପରେ ବୈଦ୍ୟନାଥପୁର ଥାନାରେ ନିଜର ଭିସା ଏବଂ ପାସପୋର୍ଟ ନକଲ ଦାଖଲ କରିଛନ୍ତି। ଏହାପରେ ସେ ବ୍ରହ୍ମପୁର ଫିଜିକାଲ ଏକାଡେମୀରେ ଯୋଗଦେଇ ପ୍ରଶିକ୍ଷଣରେ ସାମିଲ ହୋଇଛନ୍ତି।

Comments are closed.