ଗୁଳିମାଡ଼ ଯୋଗୁଁ ଅସୁସ୍ଥ ଦନ୍ତାର ମୃତ୍ଯୁ, ଶିକାରୀ ଗିରଫ

ସମ୍ବଲପୁର : ବୁଧବାର ସମ୍ବଲପୁର ଜିଲ୍ଲାର ସାପଲହରା ଠାରେ ମୃତ୍ଯୁବରଣ କରିଥିବା ଦନ୍ତ ହାତୀ ଗୁଳିମାଡର ଶିକାର ହୋଇଥିଲା। ଆଜି ଡିଏଫଓ ବି. ନୀଳାମ୍ବର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହାଛଡା ବନ ବିଭାଗ ଏଥିରେ ସଂପୃକ୍ତ ଜଣେ ଶିକାରୀକୁ ଗିରଫ କରିଥିବା ବେଳେ ତା ପାଖରୁ ଦେଶୀ ବନ୍ଧୁକ ସହ ଧନୁତୀର, ହାତୀ ଦାନ୍ତ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ସାପଲହରା ସ୍ଥିତ ପୋଖରୀରେ ଅସୁସ୍ଥ ହାତୀ ପାଣି ପିଇବାକୁ ଯାଇ ପଙ୍କରେ ଫସିଯାଇଥିଲା। ଦୀର୍ଘ 5 ଦିନ ଧରି ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଭାଗ ବିଫଳ ହୋଇଥିଲା। ଫଳରେ ପାଣି ଭିତରେ ହିଁ ତାର ଚିକିତ୍ସା ଚାଲିଥିଲା। ତେବେ, ବୁଧବାର ତାକୁ କ୍ରେନ୍ ସାହାଯ୍ୟରେ ଉଦ୍ଧାର ପରେ ତାର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ପରେ ବ୍ୟବଚ୍ଛେଦ ବେଳେ ତାର ଆଘାତ ସ୍ଥାନରୁ ଏକ ଗୁଳିର ଖୋକା ବାହାରିଥିବା ନେଇ ଆଜି ଡିଏଫଓ ଶ୍ରୀ ନୀଳାମ୍ବର ସୂଚନା ଦେଇଛନ୍ତି। ଏହି ଘଟଣା ପରେ ବନ ବିଭାଗ ପଡିଆବାହାଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରି 3 ଜଣଙ୍କୁ ଆଣି ପଚରାଉଚୁରା କରିଥିଲା। ଏଥିରୁ ଜଣେ ଶିକାରୀ ତାର ଦୋଷ ସ୍ବୀକାର କରିଛି। ତା ଘରୁ ଏକ ଦେଶୀ ବନ୍ଧୁକ ସହ ହାତୀ ଦାନ୍ତ, ଧନୁତୀର, କୁରାଢି ଆଦି ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ତେବେ, ଗୁଳି ମାଡ ଯୋଗୁଁ ଅସୁସ୍ଥ ଥିବା ହାତୀଟି ସେପ୍ଟିସେମିଆରେ ପୀଡିତ ହୋଇଥିଲା। ଆଉ ତାର ହାର୍ଟ, କିଡନି, ଲିଭର୍ ଆଦି ଅଙ୍କ ପ୍ରତ୍ୟଙ୍ଗ ଅକାମୀ ହେବାରୁ ମୃତ୍ୟୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ସେପଟେ, ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚେଷ୍ଟା ଜାରି ରହିଥିବା ଶ୍ରୀ ନୀଳାମ୍ବର ସୂଚନା ଦେଇଛନ୍ତି।

Comments are closed.