ଜୁଲାଇ ୨ରୁ ବିଧାନସଭା ଅଧିବେଶନ: ୬ ଘଣ୍ଟା ଚାଲିବ ଗୃହକାର୍ଯ୍ୟ, ଆଜିଠାରୁ ଆରମ୍ଭ ହେଲା ବିଧାୟକଙ୍କ କୋରୋନା ଟେଷ୍ଟ

ଭୁବନେଶ୍ୱର – ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ଗୃହକୁ କିପରି ସୁରୁଖୁରୁରେ ଚଳାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ଦିନକୁ ବିଧାନସଭା ୬ଘଣ୍ଟା ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଦୁଇଟି ପର୍ଯ୍ୟାୟରେ ଗୃହ ଚାଲିବ । ପ୍ରଥମ ପ୍ରର୍ଯ୍ୟାୟ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଗୋଟାଏ ଯାଏ ଚାଲିବ ଓ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ସଂଧ୍ୟା ୭ଟା ଯାଏ ଚାଲିବ । ଆଗରୁ ଗୃହ ୫ ଘଣ୍ଟା ଧରି ଚାଲୁଥିଲା । ଆସନ୍ତା ବିଧାନସଭା ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଛି ।

ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ପରେ ପରେ ଅନ୍ୟ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା କରାଯିବ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ କରାଯିବ । ଆଜି ବସିଥିବା ଏହି ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଓ କଂଗ୍ରେସର ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ । ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ମାନଙ୍କ କୋରୋନା ଟେଷ୍ଟ କରାଯିବ । ଆଜିଠାରୁ ୩ ଦିନିଆ କୋରୋନା ଟେଷ୍ଟ ହେବ । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଉଛି ।

Comments are closed.