ସଜେଇ ହେଲା ପାରଳା ବଡ଼ଦାଣ୍ଡ

ପାରଳାଖେମୁଣ୍ଡି: ଦିନକ ପରେ ଘୋଷଯାତ୍ରା। ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିବ। ଆଧ୍ୟାତ୍ମିକ ଭାବରେ ଉଦ୍‌ବୁଦ୍ଧ ଭକ୍ତ ଟାଣି ନେବେ ତିନି ରଥକୁ। ଶ୍ରୀଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଗଡ଼ି ଗଡ଼ି ଯିବ ତିନି ଠାକୁରଙ୍କ ରଥ। ଏଥିପାଇଁ ରଥ ବି ପ୍ରସ୍ତୁତ, ଆଉ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜପଥ ବା ବଡ଼ଦାଣ୍ଡ ବି ପ୍ରସ୍ତୁତ। ବେଶ୍ ଆକର୍ଷକ ଢଙ୍ଗରେ ସଜାଇ ହୋଇଗଲାଣି ପାରଳା ମୁଖ୍ୟ ସଡ଼କ। ଶୁକ୍ରବାର ସେଇ ରଙ୍ଗୀନ, ସୁସଜ୍ଜିତ ରାସ୍ତାରେ ଭକ୍ତଙ୍କ ହାତରେ ଟାଣି ଟାଣି ହୋଇ ଆଗକୁ ଗଡ଼ିଯିବ ରଥ। ସୁସଜ୍ଜିତ ପଥ ଶ୍ରଦ୍ଧାଳୁଙ୍କ ମନରେ ବେଶ୍ ଉତ୍କଣ୍ଠା ସୃଷ୍ଟି କରିଛି।

ରାଜ୍ୟର ଅନ୍ୟତମ ପୁରାତନ ଘୋଷଯାତ୍ରା ପାରଳାଖେମୁଣ୍ଡିର ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ତେବେ ଏଥର ପାରଳା ବଡ଼ଦାଣ୍ଡକୁ ପ୍ରଶାସନ ରଙ୍ଗ ଓ ଚିତ୍ରରେ ସୁନ୍ଦର ଭାବେ ସଜାଇ ଦେଇଛି। ସ୍ଥାନୀୟ ମହିଳା ଶ୍ରମିକଙ୍କ ଦ୍ୱାରା ମୁଖ୍ୟ ରାସ୍ତାକୁ ସଫେଇ କରାଯିବା ସହ କେମିକାଲ୍ ରଙ୍ଗ ଓ ପାରମ୍ପରିକ ଚିତ୍ରରେ ସଜାଇଛନ୍ତି। ପ୍ରଥମେ ବଡ଼ଦାଣ୍ଡକୁ ଲାଲ ରଙ୍ଗରେ ରଙ୍ଗୀନ କରାଯାଇଥିଲା। ପରେ ଧଳା ରଙ୍ଗରେ ଫୁଲ, ଗୋଲାକାର ଚିତ୍ର, ଏକାଧିକ ବିଶାଳକାୟ ଗୋଲାକାରରେ ବିଭିନ୍ନ ରଙ୍ଗରେ ସୁନ୍ଦର ଚିତ୍ରାଙ୍କନ କରାଯାଇ ଥିଲା। ଏଥିସହ ଦୁଇ ପାର୍ଶ୍ଵରେ ସମ୍ବଲପୁରୀ ଶାଢ଼ୀ ଆକାରରେ ଚିତ୍ର ଅଙ୍କାଯାଇ ଥିଲା। ସତେ ଯେମିତି ଉକ୍ତ ପଥ ଠାକୁରଙ୍କ ରଥ ଗଡ଼ିବାକୁ ଅପେକ୍ଷା କରି ରହିଛି। ନିଶ୍ଚିତ ଭାବେ ପ୍ରଶାସନର ଏହି ପଦକ୍ଷେପ ରଥଯାତ୍ରାକୁ ଅଧିକ ଆକର୍ଷଣୀୟ କରିବ ତାହା ନିଃସନ୍ଦେହ। ସମଗ୍ର ବଡ଼ଦାଣ୍ଡ ଠାକୁରଙ୍କ ଯାତ୍ରା ପାଇଁ ସଜେଇ ହୋଇ ରହିଛି।

ଉଲ୍ଲେଖଯୋଗ୍ୟ ଯେ ରଥଯାତ୍ରା ପାଇଁ ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡି ଏନ୍‌ଏସି ଓ ଉପଖଣ୍ଡ ପ୍ରଶାସନ ଆଗୁଆ ପ୍ରସ୍ତୁତି କରିଛି। ରଥଯାତ୍ରା ପାଇଁ ଉଦ୍ଦିଷ୍ଟ ପଡ଼ିଆକୁ ଜବରଦଖଲମୁକ୍ତ କରାଯାଇଛି। ଏଥିସହ ଶ୍ରୀଜଗନ୍ନାଥ ମନ୍ଦିର ପୁନଃନିର୍ମାଣ ପାଇଁ ମଧ୍ୟ ଦୀର୍ଘ ବର୍ଷ ପରେ ପ୍ରୟାସ ଆରମ୍ଭ ହୋଇଛି। ଏଣୁ ଏଥର ରଥଯାତ୍ରା ପାରଳା ସହରବାସୀଙ୍କ ପାଇଁ ଅଧିକ ସ୍ମରଣୀୟ ହେବା ଆଶା କରାଯାଉଛି।

Comments are closed.