ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପ୍ରସ୍ତୁତ, ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ତିନି ରଥ

ପୁରୀ – ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପ୍ରସ୍ତୁତ। ମହାମାରୀ ଯୋଗୁ‍ଁ ଗତ ଦୁଇ ବର୍ଷ ବିନା ଭକ୍ତରେ ବଡ଼ଦାଣ୍ଡ ଆସିଥିଲେ ମହାବାହୁ । ଏଥର ଭକ୍ତଙ୍କ ଗହଣରେ ଆସିବେ କାଳିଆ ଠାକୁର । ଶ୍ରୀମନ୍ଦିରଠୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତ ଗହଳିରେ ପରିପୂର୍ଣ୍ଣ ହେବ ପଥ । ଘୋଷ ଯାତ୍ରା ପୂର୍ବରୁ ଆଜି ସିଂହଦ୍ୱାର ଆଗରେ ଲାଗିଛି ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ । ରଥଯାତ୍ରା ପାଇଁ ରଥ ସହ ପଥ ବି ପ୍ରସ୍ତୁତ । କେବଳ ଚତୁର୍ଦ୍ଧାମୂରତିଙ୍କ ବିଜେକୁ ଅପେକ୍ଷା । ଧୀରେଧୀରେ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର ।

ଆଜି ତିନିବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ଆଗକୁ ନିଆଯାଇଥିଲା । ଏହାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଘଣ୍ଟଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ। ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ପୋଲିସ ଓ ଶ୍ରଦ୍ଧାଳୁ ୩ ରଥକୁ ସିଂହଦ୍ୱାର ଆଗକୁ ଟାଣି ନେଇଥିଲେ।
୨ ବର୍ଷର ବ୍ୟବଧାନ ପରେ ଏଥର ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଆଖି ଆଗରେ ରଖି ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା ତଥା ଅଗ୍ନିଶମ ସେବାକୁ ବ୍ୟାପକ କରାଯାଇଛି । ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦେଖି ଜନସଚେତନତାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଥଣ୍ଡା, ଜ୍ୱର, କାଶ ହୋଇଥିବା ଲୋକଙ୍କୁ ଭିଡ଼କୁ ନ ଆସିବାରୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

Comments are closed.