ଜନ୍ମ ବେଦିରେ ଚତୁର୍ଦ୍ଧା ବିଗ୍ରହ

ଶ୍ରୀଗୁଣ୍ଡିଚାରେ ରଥାରୂଢ ହୋଇ ଶରଧା ବାଲିରେ ପହଁଚି ଥିବା ରଥତ୍ରୟ ରୁ ଆଜି ଜନ୍ମବେଦୀ କୁ ବିଜେ କରିଛନ୍ତି ଶ୍ରୀଜୀଉ। ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥ ଯାତ୍ରାର ଦ୍ଵିତୀୟ ପର୍ବ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର ବା ଆଡ଼ପ ମଣ୍ଡପରେ ସପ୍ତଦିନ ବ୍ୟାପୀ ଦର୍ଶନ ଦେବେ ଦାରୁ ବିଗ୍ରହ। ଆଷାଢ଼ ଶୁକ୍ଳ ତୃତୀୟା ର ସନ୍ଧ୍ୟାରେ ଶ୍ରୀଜଗନ୍ନାଥ, ବଳଭଦ୍ର, ଶୁଭଦ୍ରା, ସୁଦର୍ଶନ ସମେତ ରାମକୃଷ୍ଣ ଓ ମଦନମୋହନ ପହଣ୍ଡି ବିଜେ ରେ ଆଡ଼ପ ମଣ୍ଡପର ଜନ୍ମ ବେଦିରେ ବିଜେ କରିଛନ୍ତି। ନିର୍ଦ୍ଧାରିତ ସମୟ ରଥ ଉପରେ ସନ୍ଧ୍ୟାଧୂପ ବଢିବା ପରେ ଆଜି ରଥ ତ୍ରୟରେ ଭୋଇ ସେବକ ଙ୍କ ଦ୍ଵାରା ଚାରମାର ବନ୍ଧା ଯାଇଥିଲା।

ଏହାପରେ ପ୍ରଥମେ ବଳଭଦ୍ର ଙ୍କ ରଥରୁ ଶ୍ରୀରାମକୃଷ୍ଣ ଓ ଜଗନ୍ନାଥ ଙ୍କ ରଥରୁ ଚଳନ୍ତି ବିଗ୍ରହ ମଦନମୋହନ ପହଣ୍ଡି ବିଜେ ରେ ଗୁଣ୍ଡିଚା ମନ୍ଦିର କୁ ପ୍ରବେଶ କରିଥିଲେ। ଏହାପରେ ଚକ୍ରରାଜ ସୁଦର୍ଶନ ଶୁଭଦ୍ରା ଙ୍କ ରଥରୁ ଦଇତା ସେବକମାନେ ନିଜ କାନ୍ଧରେ ପହଣ୍ଡି କରାଇ ଜନ୍ମ ବେଦୀ କୁ ନେଇଥିଲେ। ଏହାପରେ ବଡ଼ଭାଇ ବଳଭଦ୍ର ତାଳଧ୍ୱଜ ରଥରୁ ଚକା ଛାଡିଥିଲେ। ଚାରମାର ଉପରେ ମଙ୍ଗଳାର୍ପଣ ପରେ ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ଲାଗି କରାଯାଇ ଥିଲା। ଏହାପରେ ପହଣ୍ଡି ବିଜେ ରେ ବଡ଼ ଠାକୁର ଗୁଣ୍ଡିଚା ମନ୍ଦିର କୁ ପ୍ରଵେଶ କରିଥିଲେ। ଦର୍ପ ଦଲନ ରଥରୁ ଦେବୀ ସୁଭଦ୍ରା ଙ୍କୁ ସେବକ ମାନେ କୋଳଗ୍ରତ କରି କାନ୍ଧରେ ପହଣ୍ଡି ବିଜେ କରାଇଥିଲେ। ସର୍ଵ ଶେଷରେ କଳା ଠାକୁର ଶ୍ରୀ ଜଗନ୍ନାଥ ଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଏହି ସମୟରେ କାଳିଆ ଠାକୁର ସମେତ ଭକ୍ତ ମାନେ ପ୍ରବଳ ବର୍ଷା ରେ ଓଦା ହୋଇଥିଲେ। ଭକ୍ତ ଭାବନାରେ ଏହା ଇନ୍ଦ୍ରଦେବଙ୍କ ପୁଷ୍ପବୃଷ୍ଟି ସଦୃଶ ଥିଲା ବୋଲି ଆଲୋଚନା ହୋଇଥିଲା। ମଙ୍ଗଳାର୍ପଣ ଓ ଟାହିୟା ଲାଗି ପରେ ଦଇତା ସେବକଙ୍କ ଗହଣରେ ପ୍ରଭୁ ଶରଧା ବାଲିରେ ଝୁଲି ଝୁଲି ଜନ୍ମ ବେଦୀକୁ ପ୍ରଵେଶ କରିଥିଲେ। ଘଣ୍ଟୁଆ ଙ୍କ ଘଣ୍ଟ ନାଦ, ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନି ରେ ଶରଧା ବାଲି ପ୍ରକମ୍ପିତ ହୋଇଥିଲା। ଏହି ସମୟ ରେ ଗୁଣ୍ଡିଚା ମନ୍ଦିର ବେଢାରେ ବିଭିନ୍ନ ମଠ ର ପନ୍ତି ଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା।

ଭକ୍ତଙ୍କ ସମାଗମ କୁ ଦୃଷ୍ଟି ରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ପରେ ଭକ୍ତ ମାନେ ଶରଧା ବାଲିରେ ମହାପ୍ରଭୁଙ୍କ ଏହି ପହଣ୍ଡି ଉତ୍ସବ ଦର୍ଶନ କରି କୃତାର୍ଥ ହୋଇଥିଲେ। ଆସନ୍ତା କାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରଥମ ଆଡ଼ପ ମଣ୍ଡପ ଅଭଡ଼ା ଭକ୍ତ ମାନେ ପାଇ ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.