ଧୋକା ଦେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା, ସବୁଠି ରାଜରାସ୍ତାରେ ଚାଷୀ | News Room Odisha

ଧୋକା ଦେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା, ସବୁଠି ରାଜରାସ୍ତାରେ ଚାଷୀ

ସମ୍ବଲପୁର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗୁ ହେବା ପରଠାରୁ ସମଗ୍ର ଓଡିଶାରେ ବିଶେଷ କରି ପଶ୍ଚିମ ଓଡିଶାରେ ଚାଷୀଙ୍କ ଆନ୍ଦୋଳନ ମୁଣ୍ଡ ଟେକୁଛି। ପ୍ରତିବର୍ଷ ବହୁରାଷ୍ଟ୍ରୀୟ ଘରୋଇ କଂପାନୀ ଗୁଡିକ ଚାଷୀଙ୍କ ଠାରୁ ଶତାଧିକ କୋଟି ଟଙ୍କାର ପ୍ରିମିଅମ୍ ଆଦାୟ କରି ନେଉଥିବା ବେଳେ ଫସଲ କ୍ଷତିପୂରଣ ଦେବା ବେଳକୁ ପଛଘୁଞ୍ଚା ଦେଉଛନ୍ତି। ଏହାକୁ ନେଇ ସବୁ ବେଳେ ଚାଷୀ ଅସନ୍ତୋଷ ଦେଖିବାରେ ଲାଗିଛି। କେଉଠି ପେକ୍ସ ଘେରାଉ ତ କେଉଠି ଡିଆରସିଏସ୍ ଅଫିସ ଆଗରେ ତାଲା ମାରିବାକୁ ଚାଷୀ ବାଧ୍ୟ ହେଉଛି। ସେପଟେ, ରାଜ୍ୟ ସରକାରଙ୍କ ନିର୍ଦ୍ଦଶେ ସତ୍ତ୍ବେ ବି ଏହି ବେଲଗାମ କଂପାନି ଗୁଡିକ ଧରାଛୁଆଁ ଦେଉନଥିବା ଅଭିଯୋଗ ହେବାରେ ଲାଗିଛି।

ଗତ 2015 ମସିହାରୁ ସାରା ଦେଶରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ ଜିଲ୍ଲାରେ ହିଁ ଘୋଷଣା କରି ଶୁଭାରମ୍ଭ କରିଥିଲେ। ହେଲେ ଏହା ଆରମ୍ଭ ହେବା ଦିନରୁ ହିଁ ଚାଷୀ ଅସନ୍ତୋଷର କାରଣ ହୋଇଛି। କାରଣ, ଟାଟା ଏଆଇଜି, ରିଲାଏନ୍ସ, ପରି ବହୁରାଷ୍ଟ୍ରୀୟ କଂପାନି ଗୁଡିକର ସ୍ବାର୍ଥରେ ଆରମ୍ଭ ହୋଇଥିବା ଏହି ଯୋଜନା ପରୋକ୍ଷରେ ନିଜ ବେପାର ବଢାଇବାକୁ ଚାଷୀଙ୍କ ଶୋଷଣର ମାଧ୍ୟମ ପାଲଟିଥିବା ଅଭିଯୋଗ ହେଉଛି।

ଏହି କଂପାନି ଗୁଡିକ କେବଳ ଓଡିଶାରୁ 2 ହଜାରରୁ ଅଧିକ କୋଟି ଟଙ୍କାର ପ୍ରିମିଅମ୍ ବାବଦକୁ ସଂଗ୍ରହ କରି ନେଉଛନ୍ତି। ହେଲେ ମରୁଡି ବା ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତି ହେଲେ କ୍ଷତିପୂରଣ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଫଳରେ ପ୍ରତିବର୍ଷ ଚାଷୀଙ୍କୁ ବୀମା କ୍ଷତିପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ପଡୁଛି। ଗତ 2018-19 ବର୍ଷର କ୍ଷତିପୂରଣ ବର୍ତ୍ତମାନ ସୁଦ୍ଧା ବହୁ ଜିଲ୍ଲାର ଚାଷୀଙ୍କୁ ମିଳିନାହିଁ। ତେବେ, ପ୍ରତିବର୍ଷ କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି କଂପାନି ଗୁଡିକ କରୁଥିବାରୁ ଚାଷୀ ମଧ୍ୟ ବୀମା କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ହେଲେ ପରୋକ୍ଷରେ ଚାଷୀଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି।
ସବୁଠୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଫସଲ ହାନିର ଆକଳନ କରିବା ପାଇଁ ରାଜସ୍ବ, କୃଷି ବିଭାଗ ସମେତ ଚାଷୀ ଏବଂ ବୀମା କଂପାନି ପ୍ରତିନିଧିଙ୍କ ଉପସ୍ଥିତିରେ କ୍ରପ୍ କଟିଂ କରାଯାଇଥାଏ। ଆଉ ଏହାର ରିପୋର୍ଟ ଆଧାରରେ ହିଁ କ୍ଷତିପୂରଣ ଦେବାର ନିୟମ ରହିଛି। କିନ୍ତୁ, ଅଧିକ ଫସଲ ହାନି ହେବା ପରେ ଏହି ରିପୋର୍ଟକୁ ବୀମା କଂପାନି ଅସ୍ବୀକାର କରି ଆସୁଛି। ଆଉ ଫସଲ କଟା ସରିଥିବା ଜମିର ସାଟେଲାଇଟ୍ ସର୍ଭେ ଆଧାରରେ କ୍ଷତିପୂରଣ ଦିଆଯିବ ବୋଲି କଂପାନି ମନମୁଖୀ ନିଷ୍ପତ୍ତି ନେଉଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦଶେକୁ ବି ଅଣଦେଖା କରୁଥିବା ଦେଖିବାକୁ ମିଳୁଛି।

ଚଳିତବର୍ଷ ମଧ୍ୟ ପଶ୍ଚିମ ଓଡିଶାର ବରଗଡ, ଝାରସୁଗୁଡା, ବଲାଙ୍ଗୀର, ସୋନପୁର ସମେତ ସମସ୍ତ ଜିଲ୍ଲାରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଲାଣି। କିଛି ଦିନ ତଳେ ବରଗଡ ଜିଲ୍ଲାର ପଦ୍ମପୁରରେ ବିରାଟ ଆନ୍ଦୋଳନ ହୋଇଥିବା ବେଳେ ଆଜି ସେହି ଜିଲ୍ଲାର ଲଖନପୁରରେ ପୁଣି ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମୋଟ୍ ଉପରେ ବର୍ତ୍ତମାନ ଏହି ବୀମା କଂପାନି ଗୁଡିକ ଚାଷୀଙ୍କୁ ଶୋଷଣର ମାଧ୍ୟମ ପାଲଟିଥିବା ଅଭିଯୋଗ ହେଲାଣି।