ସୋନିଆଙ୍କୁ ଅଢେଇ ଘଣ୍ଟା ଜେରା, ପୁଣି ୨୫ରେ ହାଜର ହେବେ

ନୂଆଦିଲ୍ଲୀ:ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରାର ସମ୍ମୁଖୀନ ହୋଇଛନ୍ତି । ତାଙ୍କୁ ପ୍ରାୟ ଅଢେଇ ଘଣ୍ଟା ପଚରାଉଚରା କରିବା ପରେ ଅସୁସ୍ଥତା ଯୋଗୁଁ ସୋନିଆଙ୍କ ଅନୁରୋଧ କ୍ରମେ ଇଡି ତାଙ୍କୁ ଯିବାକୁ ଦେଇଥିଲା । ସୋନିଆଙ୍କୁ ପୁଣି ଜୁଲାଇ ୨୫ରେ ହାଜର ହେବାକୁ କହିଛି ଇଡି । ସେପଟେ ସୋନିଆଙ୍କୁ ଜେରା ବିରୋଧରେ କଂଗ୍ରେସ ବହୁ ବଡ଼ ନେତା ଓ କର୍ମୀ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଆନ୍ଦୋଳନ କରିଛନ୍ତି । କଂଗ୍ରେସ କହିଛି ଯେ ସରକାର ସୋନିଆଙ୍କ ପ୍ରତି ଆକ୍ରୋଶମୂଳକ ଆଚରଣ କରୁଛନ୍ତି ।

ପୂର୍ବରୁ ସୋନିଆଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ଜୁନ୍ ମାସରେ ଏହି ମାମଲାରେ ଇଡି ପ୍ରାୟ ୫୦ ଘଣ୍ଟା ପଚରାଉଚରା କରିଥିଲା। ସେତେବେଳେ ମଧ୍ୟ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ଆର୍ଥିକ ଅନିୟମିତତା ସଂପର୍କରେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଏବଂ ଏହାର ପ୍ରକାଶନ କମ୍ପାନୀ ଏଜେଏଲ୍ ଏବଂ ୟଙ୍ଗ ଇଣ୍ଡିଆନ୍ କମ୍ପାନୀ ବିରୋଧରେ ଇଡି ତଦନ୍ତ କରୁଛି। ୟଙ୍ଗ ଇଣ୍ଡିଆରେ ସୋନିଆ ଏବଂ ରାହୁଲ ୩୬ ପ୍ରତିଶତ ଅଂଶଧନ ରହିଛି ।

Comments are closed.