ନିଖୋଜ ନାବାଳିକା ଉଦ୍ଧାର: ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲିପ୍ତ କରାଇଥିବା ଅଭିଯୋଗରେ ୪ ଗିରଫ

ବ୍ରହ୍ମପୁର -ଭାଇ ସହ ଭୁଲ ବୁଝାମଣା ପରେ ଘର ଛାଡ଼ି ପଳାଇ ଆସିଥିବା ଜଣେ ନାବାଳିକାଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲିପ୍ତ କରାଇବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏଥିସହ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନୈତିକ ବ୍ୟାପାର ନିବାରଣ ଅଧିନିୟମର ବିଭିନ୍ନ ଦଫାରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ଆମ୍ବଗୁଡାର ରୋହିତ ଦାସ, ଉମରକୋଟର ବିଚିତ୍ରା ମଣ୍ଡଳ, ବ୍ରହ୍ମପୁରର ଲତା ଦାସ ଓ ଅଭିରାମ ପାତ୍ର । ଏ ବର୍ଷ ଜାନୁଆରୀ ୨୧ ତାରିଖରେ ନାବାଳିକା ଜଣକ ନିଖୋଜ ହେବା ନେଇ ଏତଲା ଦାୟର ହୋଇଥିଲା । ନିର୍ଭରଯୋଗ୍ୟ ସୂଚନା ଆଧାରରେ ନାବାଳିକାଙ୍କୁ ବ୍ରହ୍ମପୁରରେ ରହୁଥିବା ଲତା ଦାସଙ୍କ ଘରୁ ଉଦ୍ଧାର କରିଥିଲା ପୋଲିସ । ନାବାଳିକା କହିଛନ୍ତି ଯେ, ବ୍ରହ୍ମପୁରର ଅଭିରାମ ପାତ୍ର ତାଙ୍କୁ ଲତା ଦାସଙ୍କ ପାଖକୁ ନେଇଥିଲେ । ସେ ନାବାଳିକା ଥିବା ଜାଣିବା ସତ୍ତ୍ୱେ ଦୁହେଁ ତାଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନକୁ ତାଙ୍କୁ ପଠାଯାଇଥିଲା ବୋଲି ନାବାଳିକା ଜଣକ ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି । ନାବାଳିକା ଜଣକ ୬ ମାସର ଗର୍ଭବତୀ ଥିବା ଜଣାପଡିଛି । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ।

Comments are closed.