ଦ୍ରୌପଦୀ ମୁର୍ମୁଙ୍କୁ ନିଆରା ଶୁଭେଚ୍ଛାର ସୁଅ

ଛତ୍ରପୁର: ଆଜି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଶ୍ରୀମତି ଦ୍ରୌପଦୀ ମୁର୍ମୁ। ସେ ହେବେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରମୁଖ୍ୟ। ପ୍ରତ୍ୟେକଟି ଓଡ଼ିଆ ପାଇଁ ଏହା ଗର୍ବ ଓ ଗୌରବର ଦିନ ଯେ ଶ୍ରୀମତି ମୁର୍ମୁ ହେଉଛନ୍ତି ଓଡ଼ିଶାର ଜଣେ ଆଦିବାସୀ ନେତ୍ରୀ ଯେକି ଆମ ରାଜ୍ୟରୁ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଆସୀନ ହେବାକୁ ଯାଉଛନ୍ତି। ସେଥିପାଇଁ ତାଙ୍କୁ ଦଳମତ, ଅଞ୍ଚଳ ନିର୍ବିଶେଷରେ ସାରା ଦେଶ ଓ ସମାଜର ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହାରି ମଧ୍ୟରେ କିଛି ନିଆରା ଶୁଭେଚ୍ଛା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

କାଠରେ ଖୋଦେଇ ହୋଇଛି ନିର୍ବାଚିତ ରାଷ୍ଟ୍ରପତିଙ୍କ ଚେହେରା। ଆଉ ଏହି କାରୁକାର୍ଯ୍ୟ କରିଛନ୍ତି ହିଞ୍ଜିଳିକାଟୁ ବ୍ଲକ୍ କଣ୍ଟେଇକୋଳି ଗ୍ରାମର କାଷ୍ଟ ଶିଳ୍ପୀ ଅରୁଣ କୁମାର ସାହୁ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତି ମୁର୍ମୁ ପ୍ରାର୍ଥୀ ହେବା ପରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଅରୁଣ। ଆଉ ଏବେ ଦ୍ରୌପଦୀଜୀ ଶପଥ ଗ୍ରହଣ କରିବା ପୂର୍ବରୁ ନିର୍ମାଣ ସରିଛି ଅରୁଣଙ୍କ ଦ୍ବାରା ଗମ୍ଭାରୀ କାଠରେ ନିର୍ମିତ ୧୪ ଇଞ୍ଚ ଓସାର ଓ ୧୮ ଇଞ୍ଚ ଲମ୍ବର ଏହି ପ୍ରତିକୃତି। ଅରୁଣଙ୍କ ଇଚ୍ଛା ରାଷ୍ଟ୍ରପତିଙ୍କୁ ଦେଖା କରି ନିଜ ହାତରେ ସେ ଏହି କାଷ୍ଟକୃତି ପ୍ରଦାନ କରିବେ। ପୂର୍ବରୁ ଅରୁଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାଠ ଫଟୋ ଚିତ୍ର ପ୍ରସ୍ତୁତ କରି ତାଙ୍କୁ ଉପହାର ଭେଟି ଦେଇଛନ୍ତି।

ନିଜ କଣ୍ଠ ସ୍ଵର ଦେଇ ଶ୍ରୀମତି ମୁର୍ମୁଙ୍କ ସମ୍ମାନ ଉଦ୍ଦେଶ୍ୟରେ ସୁନ୍ଦର ଗୀତଟିଏ ଗାଇଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ ବାଇଝାଲର ଆଦିବାସୀ ଯୁବ ସଙ୍ଗୀତଜ୍ଞ ଷ୍ଟିଫେନ୍‌ ରଇତ। ଏଇ ସଙ୍ଗୀତ ମଧ୍ୟମରେ ନିଜର ଭାବନା ପ୍ରକାଶ କରିଛନ୍ତି ସେ। ତାଙ୍କର ଭାବନା ଏୟା ଯେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନେଇ ଆଦିବାସୀମାନେ ବେଶ୍ ଖୁସି। ଏହାଦ୍ୱାରା ଓଡ଼ିଶା ତଥା ଭାରତ ଏବଂ ଆଦିବାସୀଙ୍କ ଦୁଃଖ ଦୂର ହେବ। ଆଦିବାସୀଙ୍କ ସଂସ୍କୃତିକୁ ନେଇ ଅନେକ ଗୀତ ଲେଖିବା ସହ ଗାଇଛନ୍ତି ଷ୍ଟିଫେନ୍‌। ତାଙ୍କର ଅନେକ ଆଦିବାସୀ ଗୀତ ଲୋକପ୍ରିୟ ମଧ୍ୟ ହୋଇପାରିଛି। ଜଣେ ଆଦିବାସୀ ଓଡ଼ିଆ ମହିଳା ଦେଶର ସର୍ବୋଚ୍ଚ ଆସନରେ ପହଞ୍ଚିଥିବାରୁ ସେ ସଙ୍ଗୀତ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତରେ କେବେ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇବେ ବୋଲି ଆଶା ରଖିଛନ୍ତି ଷ୍ଟିଫେନ୍‌। ସଙ୍ଗୀତ ଦ୍ବାରା ନିଜ ହୃଦୟର ଭାବନାକୁ ବେଶ୍ ସରଳ, ସାବଲୀଳ ଢଙ୍ଗରେ ପରିପ୍ରକାଶ କରାଯାଇପାରେ ତାହା ପ୍ରମାଣିତ କରିଛନ୍ତି ଏହି ଆଦିବାସୀ ଯୁବ ସଙ୍ଗୀତଜ୍ଞ।

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶ୍ରୀମତି ମୁର୍ମୁ ଶପଥ ଗ୍ରହଣ କରିବା ପୂର୍ବରୁ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ବ୍ରହ୍ମପୁରସ୍ଥିତ ପାର୍ଟି ଅଫିସ୍ ଠାରେ ବିଜୟ ଉତ୍ସବ ପାଳନ କରାଯାଇଛି। ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବି ପର୍ଯ୍ୟନ୍ତ ପହଞ୍ଚାଇବାରେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ଉଚ୍ଚପ୍ରଶଂସା କରାଯାଇ ଥିଲା। ଉତ୍ସବ ପାଳନ ଅବସରରେ ସମସ୍ତେ ପରସ୍ପରଙ୍କୁ ମିଠା ଖୁଆଇଥିଲେ। ରାଜ୍ୟ ବିଜେଡି ସମ୍ପାଦକ ସୁବାସ ମହାରଣା, ଡେପୁଟି ମେୟର ଇ. ବିବେକ ରେଡ୍ଡୀଙ୍କ ସମେତ ବହୁ ନେତା ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

କନ୍ଧମାଳ ଜିଲ୍ଲା ଟିକାବାଲି ସହରରେ ବିଜେପି ପକ୍ଷରୁ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ଉତ୍ସବ ଭାବେ ପାଳନ ବେଳେ ଆଦିବାସୀଙ୍କ ନୃତ୍ୟ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ ପହଞ୍ଚିଥିବା ଓଡ଼ିଶା ମାଟିର ଆଦିବାସୀ ଝିଅଙ୍କୁ ଆଦିବାସୀ ନୃତ୍ୟ ଜରିଆରେ ଶୁଭେଚ୍ଛା ଜ୍ଞାପନ କରାଯାଇ ଥିଲା। ପାରମ୍ପରିକ ଆଦିବାସୀ ନୃତ୍ୟ ସହର ପରିକ୍ରମା ପରେ ହାଟପଦା ଠାରେ ସଭା ହୋଇଥିଲା।

Comments are closed.