ମହିଳା ଓ ଶିଶୁ ହିଂସା ନିରୋଧୀ କର୍ମଶାଳା ଉଦଘାଟିତ, ସାମିଲ ହେଲେ ୧୨ ଜିଲ୍ଲାର ପୁଲିସ ଅଧିକାରୀ | News Room Odisha

ମହିଳା ଓ ଶିଶୁ ହିଂସା ନିରୋଧୀ କର୍ମଶାଳା ଉଦଘାଟିତ, ସାମିଲ ହେଲେ ୧୨ ଜିଲ୍ଲାର ପୁଲିସ ଅଧିକାରୀ

ସମ୍ବଲପୁର: ମହିଳା ଏବଂ ଶିଶୁଙ୍କ ଉପରେ ହେଉଥିବା ଅପରାଧ ତଥା ଯୁବତୀ ଚାଲାଣ ରୋକିବାକୁ ଆଜି ସମ୍ବଲପୁରରେ ଦୁଇଦିନିଆ ଆଞ୍ଚଳିକ କର୍ମଶାଳା ଉଦଘାଟିତ ହୋଇଯାଇଛି। ୟୁନିସେଫ ଏବଂ ଓଡିଶା ପୁଲିସର ସିଆଇଡି କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଉତ୍ତରାଞ୍ଚଳ ରେଞ୍ଜ ଅନ୍ତର୍ଗତ ୧୨ ଟି ଜିଲ୍ଲାର ପୁଲିସ ଅଧିକାରୀ ସାମିଲ ହୋଇଛନ୍ତି।

ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ଆଜି ଏଡିଜି- ସିଆଇଡି ସିବି ରେଖା ଲୋହାନୀ ଉଦଘାଟନ କରିଛନ୍ତି। ଏଥିରେ ଡିଆଇଜି ଡ. ଦୀପକ କୁମାରଙ୍କ ସମେତ ସମ୍ବଲପୁର ଏସପି ବି. ଗଙ୍ଗାଧର ପ୍ରମୁଖ ଯୋଗଦେଇଛନ୍ତି। କର୍ମଶାଳାରେ ରିସୋର୍ସ ପର୍ସନ ଭାବେ ଆନ୍ତର୍ଜାତିକ ନ୍ୟାୟିକ ମିଶନ ଏବଂ ୟୁନିସେଫର ବିଶେଷଜ୍ଞ ମାନେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ।
ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଦିଗରେ ଥିବା ଆଇନ ବ୍ୟବସ୍ଥା, ତଦନ୍ତ ପ୍ରକ୍ରିୟା ଏବଂ ସଚେତନତା ସୃଷ୍ଟି ଉପରେ ପୁଲିସ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଆସନ୍ତାକାଲି ଏହି କର୍ମଶାଳା ଉଦଯାପିତ ହେବ।