ମିଳିଲା ଦାବି ପୂରଣ ପ୍ରତିଶ୍ରୁତି, ଧର୍ମଘଟ ଡାକରା ପ୍ରତ୍ୟାହାର କଲା ଘରୋଇ ବସ ମାଲିକ ସଂଘ | News Room Odisha

ମିଳିଲା ଦାବି ପୂରଣ ପ୍ରତିଶ୍ରୁତି, ଧର୍ମଘଟ ଡାକରା ପ୍ରତ୍ୟାହାର କଲା ଘରୋଇ ବସ ମାଲିକ ସଂଘ

ଭୁବନେଶ୍ବର – ୧୦ ଦଫା ଦାବି ନେଇ ଅଗଷ୍ଟ ୧ ତାରିଖରୁ ଧର୍ମଘଟ ଡାକରାକୁ ପ୍ରତ୍ୟାହାର କରିଛି ବସ୍‌ ମାଲିକ ସଂଘ । ‌ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା‌ରେ ବସିଥିବା ବୈଠକରେ ବସ୍‌ ମାଲିକ ସଂଘର ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ସଂଘ ଧର୍ମଘଟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି ।

ସଂଘ ପକ୍ଷରୁ କୁହାଯାଇଛି ଯେ ବସ୍‌ ମାଲିକମାନେ ତୃତୀୟ ପକ୍ଷଙ୍କୁ ବସ୍‌ ବିକ୍ରି କରିବା ସମୟରେ ବସ୍‌ ସହ ପରମିଟ୍‌ ବିକିପାରିବେ, ଶୋଇବା ବ୍ୟବସ୍ଥା ଥିବା ବସ୍‌ଗୁଡ଼ିକ ଦିନ ବେଳା ଚାଲିପାରିବ । ଉଚ୍ଚ ସୁରକ୍ଷା ସମ୍ପନ୍ନ ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ଏକ ମାସ ସମୟ ଦିଆଯିବ । ଜାତୀୟ ରାଜପଥ ଉପରେ ଯାତ୍ରୀମାନଙ୍କୁ ଉଠାଇବା ଓ ଓହ୍ଲାଇବା ପାଇଁ ପାର୍କିଂ ବେ ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯିବ ବୋଲି ପ୍ରତିଶ୍ରୁତି ମିଳିଛି।

ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା, ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଅର୍ଥବିଭାଗ ପ୍ରମୁଖ ସଚିବ ବିଶାଲ ଦେବ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏସ୍‌ଟିଏ ସଚିବ, କ୍ରୁଟ୍‌ କର୍ତ୍ତୃପକ୍ଷ, ବସ୍‌ ମାଲିକ ସଂଘର ସଭାପତି ଲୋକନାଥ ପାଣି, ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ମୁଖପାତ୍ର ଦେବାଶିଷ ନାୟକ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ , ଜୋନ୍‌ ଉପସଭାପତି କର୍ଣ୍ଣାଟ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।