ସମ୍ବଲପୁରୀ ଦିନରେ ଦୁଲୁକିଲା ସମ୍ବଲପୁର

ସମ୍ବଲପୁର : ସମ୍ବଲପୁରୀ ସାହିତ୍ୟର ପ୍ରଖ୍ୟାତ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଆଜି ସବୁଠି ସମ୍ବଲପୁରୀ ଦିନ୍ ଧୁମଧାମରେ ପାଳିତ ହୋଇଯାଇଛି। ସମ୍ବଲପୁରରୁ ଆରମ୍ଭ କରି ସାରା ପଶ୍ଚିମ ଓଡିଶା ଏପରିକି ରାଜ୍ୟ ତଥା ଦେଶ ବାହାରେ ଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀ ଏହାକୁ ମହାସମାରୋହରେ ପାଳନ କରିଛନ୍ତି। ତେବେ, ଚଳିତବର୍ଷ ସମ୍ବଲପୁରରେ ଦୁଇଟି ମଞ୍ଚରେ ଏହି ଉତ୍ସବ ପାଳିତ ହୋଇଥିବା ବେଳେ ଚର୍ଚ୍ଚିତ କଳାକାରଙ୍କ ପ୍ରଦର୍ଶନରେ ସାରା ସହର ଦୁଲୁକି ଉଠିଛି।

ସମ୍ବଲପୁରର କଚେରୀ ଛକରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନନ୍ୟା ଦାସ, ସମ୍ମାନୀତ ଅତିଥି ଭାବେ ଏସପି ବାତୁଲା ଗଙ୍ଗାଧର ଏବଂ ଆଇଆଇଏମ୍ ନିର୍ଦ୍ଦଶେକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ବାଲ ଯୋଗଦେଇ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଥିରେ ପଶ୍ଚିମ ଓଡିଶାର ବହୁ ନାଁ କରା କଳାକାର ସାମିଲ ହୋଇ ସମ୍ବଲପୁରୀ ଗୀତ ନାଚରେ ମଞ୍ଚ ଦୁଲୁକାଇ ଦେଇଛନ୍ତି। ସେହିପରି ଗଙ୍ଗାଧର ମଣ୍ଡପରେ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଆୟୋଜିତ ସମାରୋହରେ ମଧ୍ୟ ଜିଲ୍ଲାପାଳ ସୁଶ୍ରୀ ଦାସ ଏବଂ ଏସପି ଶ୍ରୀ ଗଙ୍ଗାଧର ତଥା ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର ଯୋଗଦେଇଛନ୍ତି। ଏଠାରେ ସୋସିଆଲ୍ ମିଡିଆରେ ସେନସେସନ୍ସ ପାଲଟିଥିବା ହର୍ ହର୍ ଶମ୍ଭୁର ଗାୟିକା ଅଭିଲିପ୍ସା ପଣ୍ଡା ଏବଂ ମିସ୍ ଇଣ୍ଡିଆ ପ୍ଲାନେଟ୍ ଅନ୍ବେଷା ଅଦିତି ମହାପାତ୍ର ମୁଖ୍ୟ ଆକର୍ଷଣ ପାଲଟିଥିଲେ।
ଏହି ଅବସରରେ ଉଭୟ ଅନୁଷ୍ଠାନ ପକ୍ଷରୁ ଆଜି ଦିନତମାମ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାରା ସମ୍ବଲପୁରବାସୀ ସମ୍ବଲପୁରୀ ପରିଧାନ ପିନ୍ଧିଥିବା ବେଳେ ପାରମ୍ପାରିକ ଖାଦ୍ୟ ପେୟ, କବିତା ପାଠୋତ୍ସବ ଆଦି ସମ୍ବଲପୁରୀ ସଂସ୍କୃତି ଆଧାରିତ ସମସ୍ତ କାର୍ଯ୍ୟକ୍ରମରେ ଦିନ ବିତିଛି।

Comments are closed.