ଆଜି କିଶୋର କୁମାରଙ୍କ ଜନ୍ମ ବାର୍ଷିକୀ, ଜାଣନ୍ତୁ ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ବିଷୟରେ କିଛି ଅଜଣା କଥା | News Room Odisha

ଆଜି କିଶୋର କୁମାରଙ୍କ ଜନ୍ମ ବାର୍ଷିକୀ, ଜାଣନ୍ତୁ ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ବିଷୟରେ କିଛି ଅଜଣା କଥା

ମହାନ ଗାୟକ କିଶୋର କୁମାରଙ୍କ ଆଜି (ଅଗଷ୍ଟ ୪) ହେଉଛି ଜନ୍ମ ବାର୍ଷିକୀ । କିଶୋର କୁମାର ସଙ୍ଗୀତ ଜଗତର ଏପରି ଏକ ବ୍ୟକ୍ତିତ୍ୱ ଯାହାଙ୍କ ଅବଦାନ କେବେବି ଭୁଲିହେବ ନାହିଁ | ତାଙ୍କର ଯାଦୁକରୀ କଣ୍ଠ ନିଃସୃତ ଚିରସବୁଜ ତଥା କାଳଜୟୀ ଗୀତ ଲୋକଙ୍କ ହୃଦୟରେ ଏବେ ବି ଝଙ୍କୃତ ହେଉଛି | କିଶୋର କୁମାର ଜଣେ ବହୁମୁଖୀ ପ୍ରତିଭା ଥିଲେ । ସେ ଏକାଧାରରେ ଥିଲେ ଜଣେ କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତକାର , ଅଭିନେତା, ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତା । ପେଷାଦାର ଜୀବନ ଭଳି କିଶୋର କୁମାର ବ୍ୟକ୍ତିଗତ ଜୀବନରେ ମଧ୍ୟ ଥିଲେ ଜଣେ ଖୁସ୍ ମିଜାଜ୍ ଓ ଖିଆଲି ମଣିଷ | ଆସନ୍ତୁ ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ଜୀବନର କିଛି ଅଜଣା କଥା ବିଷୟରେ ଆଲୋକପାତ କରିବା..

ମହିଳାଙ୍କ କଣ୍ଠରେ ବି ଗାଉଥିଲେ ଗୀତ:

କିଶୋର କୁମାର ଜଣେ ବହୁମୁଖୀ ପ୍ରତିଭାଧର ଥିଲେ | ସେ କେବଳ ଜଣେ ଭଲ ଗାୟକ ନୁହଁନ୍ତି ବରଂ ଅଭିନୟରେ ମଧ୍ୟ କମ୍ ନଥିଲେ। ଏହାଛଡ଼ା ସେ ମହିଳା କଣ୍ଠରେ ମଧ୍ୟ ଗୀତ ଗାଇ ପାରୁଥିଲେ। କିଶୋର କୁମାର ୧୯୬୨ ମସିହାର ଚଳଚ୍ଚିତ୍ର ‘ହାଫ୍ ଟିକେଟ୍’ରୁ’ ଆକେ ସିଧୀ ଲଗି ଦିଲ୍ ପେ ଜୈସି ‘ଗୀତ ଉଭୟ ପୁରୁଷ ଏବଂ ମହିଳା ସ୍ୱରରେ ଗାଇଥିଲେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଏହି ଗୀତଟିକୁ ଏକା ଥରକେ ରେକର୍ଡ କରିଥିଲେ। ଏବଂ ଏହି ଗୀତ ଏକ ସୁପର ହିଟ୍ ହୋଇଥିଲା | ମହିଳା କଣ୍ଠଶିଳ୍ପୀ ଭାବେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏହି ଗୀତ ଗାଇବାର ଥିଲା, କିନ୍ତୁ କୌଣସି କାରଣରୁ ସେ ଏଥିରେ ସ୍ୱର ଦେଇପାରିନଥିଲେ । ଏହି କାରଣରୁ କିଶୋର କୁମାର ଉଭୟ ପୁରୁଷ ଓ ମହିଳା କଣ୍ଠରେ ଏହି ଗୀତ ଗାଇଥିଲେ।

ଚାହୁଁଥିଲେ ଏପରି ଏକ ସ୍ୱପ୍ନର ଘର :

କିଶୋର କୁମାରଙ୍କ କଳ୍ପନାର ଉଡ଼ାଣ ମଧ୍ୟ ବହୁତ ଭିନ୍ନ ଥିଲା | ତାଙ୍କ ଘର ବିଷୟରେ ତାଙ୍କର ଏକ ଭିନ୍ନ ସ୍ୱପ୍ନ ଥିଲା, ଯାହା ପୂରଣ କରିବା ପାଇଁ ସେ ତାଙ୍କ ଘରକୁ ଜଣେ ଆର୍କିଟେକଚର ବା ସ୍ଥପତିଙ୍କୁ ଡାକି ଏହି ବିଷୟରେ ଆଲୋଚନା କରିଥିଲେ । ସେ ସ୍ଥପତିଙ୍କୁ ତାଙ୍କ ପାଇଁ ଏକ ଏପରି ଘର ନିର୍ମାଣ କରିବାକୁ କହିଥିଲେ ଯେଉଁଥିରେ ପ୍ରତ୍ୟେକ କୋଠରୀରେ ଖାଲି ପାଣି ହିଁ ପାଣି ରହିବ | ସେ ଏହା ମଧ୍ୟ ଚାହୁଁଥିଲେ ଯେ ତାଙ୍କ ଶଯ୍ୟା ନିକଟରେ ଏକ ଡଙ୍ଗା ରହିବା ଉଚିତ ଯେଉଁଥିରେ ସେ ବସି ଡାଇନିଂ ହଲକୁ ଯାଇପାରିବେ | କିନ୍ତୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିନଥିଲା |

ଜଣେ ଖିଆଲି ମଣିଷ :

କିଶୋର କୁମାର ଜଣେ ମୁଡୀ ବା ଖିଆଲି ମଣିଷ ଥିଲେ ବୋଲି କୁହାଯାଏ। ସେ ଚାହିଁଲେ ଥରକରେ ଏକ ଗୀତ ରେକର୍ଡ କରି ଦେଉଥିଲେ । କିନ୍ତୁ ମୁଡ୍ ନଥିଲେ ତାଙ୍କୁ ଯେତେ ଟଙ୍କା ଦିଆଯାଉନା କାହିଁକି ସେ ଗୀତ ଗାଉ ନଥିଲେ।

ଘର ବାହାରେ ଟଙ୍ଗାଇଥିଲେ ଏପରି ଖାସ୍ ବୋର୍ଡ:

କିଶୋର କୁମାର ତାଙ୍କ ଘର ବାହାରେ ଏକ ସାଇନ୍ ବୋର୍ଡ ରଖୁଥିଲେ, ଯେଉଁଥିରେ ‘କିଶୋର ପ୍ରତି ସାବଧାନ ରୁହନ୍ତୁ’ ବୋଲି ଲେଖାଯାଇଥିଲା । ଏହା ସହ ଜଡିତ ଏକ ଘଟଣା ବି ରହିଛି । ଯେତେବେଳେ ନିର୍ମାତା-ନିର୍ଦ୍ଦେଶକ ଏଚ୍.ଏସ୍ ରାୱେଲ ତାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ, ସେତେବେଳେ କିଶୋର ତାଙ୍କ ହାତ କାଟି ଦେଇଥିଲେ । ଏଥିରେ ଆଶ୍ଚର୍ଯ୍ୟ ହୋଇ ରାୱେଲ ତାଙ୍କୁ ଏହାର କାରଣ ପଚାରିବାରୁ କିଶୋର କୁମାର କହିଥିଲେ ଯେ ମୋ ଘରେ ପ୍ରବେଶ କରିବା ପୂର୍ବରୁ ଆପଣ ବୋର୍ଡ ଦେଖିବାର ଥିଲା ।