ଫାଟକ ଷ୍ଟେସନ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କଲେ ସହରବାସୀ, ସମ୍ବଲପୁର ବନ୍ଦ ଚେତାବନୀ | News Room Odisha

ଫାଟକ ଷ୍ଟେସନ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କଲେ ସହରବାସୀ, ସମ୍ବଲପୁର ବନ୍ଦ ଚେତାବନୀ

ସମ୍ବଲପୁର: ଲୋକଙ୍କ ବାରମ୍ବାର ଦାବି ତଥା ରେଳବାଇର ପ୍ରତିଶ୍ରୁତି ସତ୍ତ୍ବେ ସମ୍ବଲପୁର ସହରର ଐତିହାସିକ ଫାଟକ ଷ୍ଟେସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସଂପ୍ରସାରଣ ନାଁରେ ଏହି ଷ୍ଟେସନ ଉଚ୍ଛେଦକୁ ବିରୋଧ କରି ସ୍ଥାନୀୟ ବ୍ୟବସାୟୀ ସଂଗଠନ ସମେତ ନାଗରିକ କମିଟି ବର୍ଷାଧିକ ସମୟ ହେଲା ଆନ୍ଦୋଳନକୁ ଓହ୍ଲାଇଛି। ଏପରିକି ସଂସଦରେ ମଧ୍ଯ ଏହି ପ୍ରସଙ୍ଗ ଉଠି ସାରିଛି। ତଥାପି ରେଳବାଇ ନିଜ ଜିଦରେ ଅଟଳ ରହି ଗତକାଲି ଟ୍ରାକ୍ ଭଙ୍ଗା ଆରମ୍ଭ କରିଥିବା ବେଳେ ଲୋକଙ୍କ ବିରୋଧ ଯୋଗୁଁ ତାହା ବନ୍ଦ ହୋଇଯାଇଛି। ସେହିପରି ୭୨ ଘଣ୍ଟା ମଧ୍ଯରେ ତ୍ରିପାକ୍ଷିକ ବୈଠକ ନ ହେଲେ ସମ୍ବଲପୁର ବନ୍ଦ ଚେତାବନୀ ଦିଆଯାଇଛି।

ଶତାଧିକ ବର୍ଷ ପୁରୁଣା ସମ୍ବଲପୁର ଫାଟକ ଷ୍ଟେସନ ସହିତ ଗାନ୍ଧୀଙ୍କ ସ୍ମୃତି ଜଡିତ ରହିଛି। ବର୍ତ୍ତମାନ ଗାନ୍ଧୀଙ୍କ ୧୫୦ ବର୍ଷ ଜନ୍ମ ଶତବାର୍ଷିକୀ ପାଳନ ଚାଲିଥିବା ବେଳେ ସେ ଓହ୍ଲାଇଥିବା ଷ୍ଟେସନର ଉଚ୍ଛେଦକୁ ସବୁ ମହଲରୁ ବିରୋଧ କରାଯାଉଛି। ଏପରିକି ଏନେଇ ପୂର୍ବତନ ରାଜ୍ଯସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ଯ ମଧ୍ଯ ଏହି ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିଥିଲେ। ତଥାପି ରେଳବାଇ କର୍ତ୍ତୃପକ୍ଷ ଏହି ଷ୍ଟେସନରେ ଟ୍ରେନ ରହଣୀ ଦୁଇ ବର୍ଷ ହେବ ବନ୍ଦ କରିସାରିଥିବା ବେଳେ ବର୍ତ୍ତମାନ ଏହାର ଟ୍ରାକ୍ ଉଚ୍ଛେଦ କାମ ଆରମ୍ଭ ହୋଇଛି। ଫଳରେ ନାଗରିକ କମିଟି ପୁଣି ଜୋରଦାର ବିରୋଧ କରି କାମକୁ ବନ୍ଦ କରି ଦେଇଛି।
ଆସନ୍ତା ୮ ତାରିଖ ସୋମବାର ଦିନ ହେବ ଆର ଡି ସି ଅଫିସ ଓ ଜିଲାପାଳ ଅଫିସ ସାମନାରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିବାକୁ କମିଟି ଘୋଷଣା ଦେଇଛି। ଏହାଛଡା
୭୨ ଘଣ୍ଟା ମଧ୍ୟରେ ତ୍ରିପାକ୍ଷିକ ବୈଠକ ନ ହେଲେ ‘ସମ୍ବଲପୁର ବନ୍ଦ’ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଆବଶ୍ୟକ ହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଳ ରୋକୋ ଓ ରାସ୍ତା ରୋକୋ କରିବାକୁ ଚେତାଇ ଦିଆଯାଇଛି।

ଗତକାଲି ରାତିରେ ସଚେତନ ସମ୍ବଲପୁର ନାଗରିକ କମିଟି ତରଫରୁ ଏକ ଜରୁରୀ କାଳୀନ ବୈଠକରେ ଏଭଳି ଚରମ ନିଷ୍ପତ୍ତି ନିଆଯାୟୀଛି। ଅଞ୍ଚଳବାସୀ ସମ୍ପ୍ରତି ଫାଟକ ଷ୍ଟେସନ ଠାରେ ସମ୍ବଲପୁର ରେଲୱେ ଡିଭିଜନ ତରଫରୁ ଅଚାନକ ଭାବେ ଚାଲିଥିବା ଫାଟକ ଷ୍ଟେସନର ଟ୍ରାକ୍ ଭଙ୍ଗା କାର୍ଯ୍ୟକୁ ପ୍ରତିବାଦ କରି ବନ୍ଦ କରିଦେଇଛନ୍ତି।